ଅର୍ଥ କମିଶନଙ୍କ ମୁହଁରେ ‘କାଳିଆ’ ପ୍ରଶଂସା । କହିଲେ , କୃଷକଙ୍କ ପାଇଁ ସବୁଠାରୁ ସର୍ବୋତ୍ତମ ଯୋଜନା ।

719

କନକ ବ୍ୟୁରୋ:’ କାଳିଆ’ ଯୋଜନାକୁ ନେଇ ରାଜ୍ୟ ରାଜନୀତିରେ ହଡ଼କମ୍ପ ସୃଷ୍ଟି ହେଉଥିବାବେଳେ ଅର୍ଥ କମିଶନ ଅଧ୍ୟକ୍ଷ ଏହି ଯୋଜନାକୁ ପ୍ରଶଂସା କରିଛନ୍ତି । ପଞ୍ଚଦଶ ଅର୍ଥ କମିଶନ ଅଧ୍ୟକ୍ଷ ନନ୍ଦ କିଶୋର ସିଂହଙ୍କ କହିବା ମୁତାବକ ‘କାଳିଆ’ ଯୋଜନା ବର୍ତ୍ତମାନ ପର୍ଯ୍ୟନ୍ତ କୃଷକଙ୍କ ପାଇଁ ସର୍ବକୃଷ୍ଠ ବ୍ୟବସ୍ଥିତ ଯୋଜନା । ଏହାଦ୍ୱାରା ଚାଷୀମାନେ ଅଧିକ ଉପକୃତ ହେବେ । କିନ୍ତୁ ଏହାକୁ ସଠିକ ଭାବେ ପରିଚାଳନା କରିବାର ଆବଶ୍ୟକ ରହିଛି । ଏବଂ ଯୋଜନା ଅନୁସାରେ ଚାଷୀଙ୍କୁ ଉପଯୁକ୍ତ ଅର୍ଥ ମିଳିଲେ ଯୋଜନା ସଫଳ ହୋଇପାରିବ ।

ସେହିଭଳି ରାଜ୍ୟ ସରକାରଙ୍କୁ ଅର୍ଥ କମିଶନ ଅଧ୍ୟକ୍ଷ ନନ୍ଦକିଶୋର ସିଂହ ସାମ୍ବାଦିକ ସମ୍ମିଳନୀରେ ପ୍ରଶଂସା କରିବା ସହ ବିଭିନ୍ନ କ୍ଷେତ୍ରରେ ବିଚାର ବିମର୍ଷ କରି ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି । ସରକାରଙ୍କ ଆର୍ଥିକ ପରିଚାଳନା, ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାକୁ ପ୍ରଶଂସା କରିଛନ୍ତି ଅର୍ଥ କମିଶନ ।
ଅନ୍ୟପଟେ ଓଡ଼ିଶାରେ ସ୍ଥିର ସରକାର ଥିବାରୁ ରାଜ୍ୟର ଅଭିବୃଦ୍ଧି ହେଉଛି । ଏବଂ କେନ୍ଦ୍ର ସରକାରଙ୍କ ଅର୍ଥକୁ ସଠିକ୍ ଭାବେ ରାଜ୍ୟ ସରକାର ବିନିଯୋଗ କରୁଛନ୍ତି ବୋଲି କହିଛନ୍ତି ଅର୍ଥ କମିଶନ ଅଧ୍ୟକ୍ଷ ନନ୍ଦକିଶୋର ସିଂହ । ଏବେ ‘କାଳିଆ’ ଯୋଜନାକୁ ନେଇ କଳି ଲାଗୁଥିବାବେଳେ ଅର୍ଥ କମିଶନଙ୍କ ପ୍ରଶଂସା ହୁଏତ ରାଜ୍ୟ ରାଜନୀତିରେ ଉଷ୍ମତା ଆଣିପାରେ ବୋଲି ଚର୍ଚ୍ଚା ହେଉଛି ।