ଯନ୍ତ୍ରଣାରୁ କେବେ ମୁକ୍ତି ପାଇବେ ଯଯାତି ? କ୍ୟାନସର ସହ ଲଢୁଛନ୍ତି ୧୪ ବର୍ଷର ବାଳକ, ଶୁଖୁନି ବାପା ମା’ଙ୍କ ଆଖିର ଲୁହ ।

44

କନକ ବ୍ୟୁରୋ : ହାଡ ଉପରେ ଚମ ଛାଉଣୀ । ପାଦେ ଚାଲିବାକୁ ବି ଦେହରେ ବଳ ନାହିଁ । ଏ ହେଉଛି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ୍ ଜେନାସାହିର ନରେନ୍ଦ୍ର ଜେନାଙ୍କ ପୁଅ ଯଯାତିଙ୍କ ଅବସ୍ଥା । ଦଶମ ଶ୍ରେଣୀର ଛାତ୍ର ଯଯାତିଙ୍କ ବୟସ ମାତ୍ର ୧୪ ବର୍ଷ । ହେଲେ ଏହି ବୟସରେ ତାଙ୍କ ମୁହଁରୁ ହସ ଛଡାଇ ନେଇ ଦେହକୁ କଙ୍କାଳସାର କରିଦେଇଛି କର୍କଟ ରୋଗ । ଜୀବନକୁ ଭଲ ଭାବେ ଜାଣିବା ଆଗରୁ ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି ୧୪ ବର୍ଷର ବାଳକ । ପୁଅର ଖାଦ୍ୟ ନଳୀରେ ହୋଇଥିବା ଛିଦ୍ରକୁ ଡାକ୍ତରଙ୍କ ପରାମର୍ଶ ଅନୁସାରେ କଟକ ଏସସିବିରେ ଅପରେସନ୍ କରାଇଥିଲେ ନରେନ୍ଦ୍ର । ହେଲେ ଅପରେସନ୍ ପରେ କ୍ୟାନସର ହୋଇଛି, ପୁଅ ଆଉ ବଂଚିବନି ବୋଲି କହି ଦେଇଥିଲେ ଡାକ୍ତର । ଆଉ ଏକଥା ଶୁଣିବା ପରେ ପାହାଡ ଛିଡି ପଡିଥିଲା ଦିନ ମଜୁରିଆ ନରେନ୍ଦ୍ରଙ୍କ ମୁଣ୍ଡ ଉପରେ ।

୫ ମାସ ହେବ ଜୀବନ ସହ ସଂଗ୍ରାମ କରୁଛନ୍ତି ଯଯାତି । ଯନ୍ତ୍ରଣା ସହି ସହି ଦେହ ଦୁର୍ବଳ ହୋଇଯାଇଛି ସତ, ହେଲେ ମନୋବଳ କମିନି । ସରକାରୀ ସହାୟତା ମିଳିଲେ ଭଲ ହୋଇ ପାଠ ପଢିବେ, ଆଗକୁ ବଢିବେ ଏମିତି ଅସୁମାରୀ ଆଶା ଓ ସ୍ୱପ୍ନ ରହିଛି ଯଯାତିଙ୍କ ମନରେ । ଭଲ ପାଠ ପଢୁଥିବା ଯଯାତିଙ୍କୁ ସହାୟତା ମିଳିବା ଉଚିତ ବୋଲି ଗ୍ରାମବାସୀ ବି ଦାବି କରିଛନ୍ତି ।

ସବୁଠାରୁ ବଡ କଥା ହେଲା, ଯଯାତିଙ୍କ ପରିବାରର ଦୁଃଖ ପ୍ରଶାସନ ଆଖିରେ ସିନା ପଡିନି ହେଲେ ସହାୟତାର ହାତ ବଢାଇଛି ଯାଜପୁର କିନ୍ନର ସମାଜ । ଆର୍ଥିକ ସାହାଯ୍ୟ କରିବା ସହ ଅଧିକ ସହାୟତା ପାଇଁ ଜିଲ୍ଲାପାଳଙ୍କୁ ଜଣାଇବେ ବୋଲି କହିଛନ୍ତି କିନ୍ନର । ମେଧାବୀ ଛାତ୍ର ଯଯାତିଙ୍କ ଜୀବନ ବଂଚିଯିବା ସହ ଏହି ଗରିବ ପରିବାରର ଖୁସି ଫେରାଇ ଆଣିବାକୁ ସରକାରୀ ସହାୟତା ହିଁ ସାହା ଭରସା । ପୁଅର ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଥିବା ବେଳେ ସରକାରୀ ସହାୟତା ପାଇଁ ଅପେକ୍ଷା କରିଛନ୍ତି ଅସହାୟ ପରିବାର ।