ଜଗତସିଂହପୁର ବେଗୁନିଆରୁ ୧୦ରୁ ଉର୍ଦ୍ଧ୍ୱ ନାଗ ସାପ ଉଦ୍ଧାର : ଭୟରେ ୩ଟି ସାପକୁ ପିଟିପିଟି ମାରିଲେ ଲୋକେ,ଆହୁରି ସାପ ଥିବା ଆଶଙ୍କା

36

କନକ ବ୍ୟୁରୋ : ଧାମନଗର ପରେ ଏବେ ଜଗତସିଂହପୁରରେ ନାଗବଂଶ । ତିର୍ତୋଲ ବ୍ଲକ ଅନ୍ତର୍ଗତ ବେଗୁନିଆ ଗାଁରେ ସାପ ଦେଖିବାକୁ ମିଳିଛି । ଏହି ଗାଁର କଳ୍ପତରୁ ନାୟକଙ୍କ ଘରୁ ୧୦ରୁ ଅଧିଳ ନାଗସାପ ଉଦ୍ଧାର କରାଯାଇଛି । ଏମାନଙ୍କ ମଧ୍ୟରେ ୨ଟି ସାପ ଜୀବନ୍ତ ରହିଛନ୍ତି । ଭୟରେ ଲୋକେ ୩ଟି ସାପକୁ ପିଟି ପିଟି ମାରିଦେଇଛନ୍ତି । ଏବେ ବି ଘର ଭିତରେ ଥିବା ଗାତରେ ସାପ ଥିବା ଆଶଙ୍କା କରାଯାଉଛି ।

ସୂଚନାଯୋଗ୍ୟ ଗତ କିଛି ଦିନ ଭିତରେ ଭଦ୍ରକ ଧାମନଗରରୁ ଉଦ୍ଧାର ହୋଇଥିଲେ ନାଗବଂଶ । ଧାମନଗର ପାଇକସାହିର ବିଜୟଙ୍କ ଘରୁ ୧୩୦ଟି ନାଗ ସାପ ବାହାରି ଥିବା ବେଳେ ପାଖ ଗାଁ କଂଟାବାରେଣୀରୁ ବାହାରିଥିଲା ୨୦ଟି ସାପ । ଯାହାକୁ ଏବେ ସାରା ଅଂଚଳରେ ଏକ ଆତଙ୍କର ବାତାବରଣ ଖେଳି ଯାଇଛି । ନାଗବଂଶର ଖବରକୁ ନେଇ ଯେଉଁ ତିନି ଦିନ ହେଲା ଚର୍ଚ୍ଚା ଆଲୋଚନା ଲାଗି ରହିଥିବାବେଳେ ତା’ ଉପରୁ ଏକ ବଡ ରହସ୍ୟ ଉନ୍ମୋଚିତ ହୋଇଛି । ସାପ ବଂଶବୃଦ୍ଧି ପାଇବାର କାରଣ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ୟ୍ୟ ହୋଇଯିବେ । ମାଟି ଘରର ଏହି ସବୁ ଗାତରେ ହିଁ ବର୍ଷ ବର୍ଷ ଧରି ରହି ଆସୁଥିଲେ ସେହି ବିଶଧର ସାପ ।

ଦୁଇ-ଚାରିଟି ନୁହେଁ ଗୋଟିଏ ଘରୁ ଉଦ୍ଧାର ହୋଇଥିଲେ ପ୍ରାୟ ଦେଢ଼ ଶହ ନାଗସାପ । ଘରର ବିଭିନ୍ନ କୋଣରେ ଲୁଚି ରହିଥିବା ଏହି ସାପ ସବୁ ଗୋଟିଏ ସ୍ଥାନରୁ ବାହାରିବା ପରେ ଘଟଣାର ଗୁରୁତ୍ୱ ବଢ଼ିଯାଇଥିଲା । ସାପ ସବୁ ବିଭିନ୍ନ ଗାତରେ ରହି ଆସୁଥିଲେ । ତେବେ ସବୁଠାରୁ ବଡ କଥା ହେଉଛି ସାପ ବଂଶବୃଦ୍ଧି ପଛରେ ରହିଛି ଏମିତି ଏକ କାରଣ, ଯାହା ଅନ୍ଧବିଶ୍ୱାସ ଉପରେ ପର୍ୟ୍ୟବେସିତ । ଘରେ ଭିତରେ ଥିବା ଉଈ ହୁଙ୍କା ଏବଂ ଏହାକୁ ନେଇ ଜଣେ ମଙ୍ଗଳା ସାଧକ ପରାମର୍ଶ ହିଁ ସାପବଂଶ ବୃଦ୍ଧିର କାରଣ । ଘରର ମୁରବୀ ବିଜୟ ଭୁୟାଁ ଘରେ ସାପ ରହିଥିବା ଜାଣିଥିଲେ ସୁଦ୍ଧା ସାଧକଙ୍କ ପରାମର୍ଶ ଅନୁସାରେ କ୍ଷୀର, ଧୂପ ଏବଂ ଫୁଲ ଦେଇ ପୂଜା କରୁଥିଲେ । ଯାହା ଫଳରେ ଘରେ ସାପସବୁ ଅନାୟାସରେ ବଢ଼ିବାରେ ଲାଗିଥିଲେ ।

ସେପଟେ ପିପିଲିରୁ ମଧ୍ୟ ଉଦ୍ଧାର ହୋଇଛି ନାଗ ସାପ ଛୁଆ । ପିପିଲି ସୁହାଗପୁରରୁ ଆଜି ୧୨ଟି ନାଗ ସାପ ଉଦ୍ଧାର କରାଯାଇଛି । ସ୍ଥାନୀୟ ବାସିନ୍ଦା ଅନାଦି ସାହୁଙ୍କ ଘରୁ ଏ ସବୁ ସାପକୁ ଉଦ୍ଧାର କରିଛନ୍ତି ସ୍ନେକ ହେଲ୍ପଲାଇନ୍ ସଦସ୍ୟ । ତେବେ ଏବେ ବି ତାଙ୍କ ଘରେ ଆହୁରି ନାଗ ଥିବା ସନ୍ଦେହ କରାଯାଉଛି । ଘଟଣା ସମ୍ପର୍କରେ ଜଣାପଡିବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି ।