ଦିନ ୧୨ଟାରେ ବସନ୍ତଙ୍କ ବାଜିଗଲା ବାର ! ନକଲି ବନ୍ଧୁକ ଧରି ବିଜେପି ସଭାପତିଙ୍କୁ ଅସଲରେ ଡରାଇଦେଲେ ଦୁବୁର୍ତ୍ତ

46

କନକ ବ୍ୟୁରୋ : ଦିନ ଦ୍ୱିପ୍ରହରରେ ହାତରେ ବନ୍ଧୁକ ଧରି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଦୁଇ ଯୁବକଙ୍କ ଆତଙ୍କରାଜ । ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡାଙ୍କୁ ବନ୍ଧୁକ ମୁନରେ ଦେଲେ ଧମକ । ତାହା ପୁଣି ସଭାପତିଙ୍କ ଚାମ୍ବର ଭିତରେ । ତେବେ କିଛି ଅଘଟଣ ଘଟିବା ପୂର୍ବରୁ କିଛି ସମୟ ମଧ୍ୟରେ ଦୁଇ ଯୁବକଙ୍କୁ ଘେରିଗଲେ ସେଠାରେ ଥିବା ଅନ୍ୟାନ୍ୟ ନେତା ଓ କର୍ମୀ । ବୁଝାସୁଝା କରି ଦୁଇ ଯୁବକଙ୍କୁ ଅଫିସ ବାହାରକୁ ଆଣିଲେ । ଖବର ପାଇ ପୋଲିସ ବିଜେପି କାର୍ଯ୍ୟାଳୟରେ ପହଂଚି ଦୁଇ ଯୁବକଙ୍କୁ କାବୁ କଲା । କିନ୍ତୁ ବସନ୍ତ ପଣ୍ଡାକୁ ବନ୍ଧୁକ ମୁନରେ ଧମକ ଦେବା ପଛରେ କାରଣ କଣ ଥିଲା ତାହା ବଖାଣିଥିଲେ ଦୁଇ ଅଭିଯୁକ୍ତ ।

bjpଆଶ୍ଚର୍ଯ୍ୟର କଥା ହେଉଛି ରାଜ୍ୟ ସଭାପତିଙ୍କ କଥା ସହ କିନ୍ତୁ ଦୁଇ ଯୁବକଙ୍କ କଥାର ତାଳମେଳ ନଥିଲା । ଘଟଣା ପଛରେ ସେମାନେ ଗଣମାଧ୍ୟମ ସମ୍ମୁଖରେ ରଖିଥିଲେ କିଛି ଅଲଗା କାରଣ । ବସନ୍ତ କହିଥିଲେ ଦୁଇ ଯୁବକ ତାଙ୍କୁ ଟଙ୍କା ମାଗିଥିଲେ କିନ୍ତୁ ଦୁଇ ଯୁବକ କହିଥିଲେ କନକ ନ୍ୟୁଜର ଲୋକପ୍ରିୟ କାର୍ଯ୍ୟକ୍ରମ ଲୋକ ନକଲି କଥା ଅସଲିର ଏକ ଏପିସୋଡ ବନ୍ଦ କରିବାକୁ ସେମାନେ ବସନ୍ତଙ୍କୁ ଅନୁରୋଧ କରିଥିଲେ । ବସନ୍ତ ଏଥିରେ ଅସହାୟତା ପ୍ରକାଶ କରିବାରୁ ,ସେମାନେ ଏଭଳି କାଣ୍ଡ ଭିଆଇଲେ ।

ଏହି ଘଟଣା ପରେ ପୋଲିସ ଦୁଇ ଯୁବକଙ୍କ ପାଖରୁ ଜବତ କରିଛି ଦୁଇଟି ବନ୍ଧୁକ । ତଦନ୍ତ ସମୟରେ ତାଙ୍କ ବ୍ୟାଗରୁ ମଧ୍ୟ ପୋଲିସକୁ ଆଉ ଦୁଇଟି ବନ୍ଧୁକ ସହ ଏକ ଛୁରୀ ମିଳିଥିଲା । ହେଲେ ଛାନଭିନ ପରେ ଜଣା ପଡିଲା ଯେ ସମସ୍ତ ବନ୍ଧୁକ ଥିଲା ନକଲି । କିନ୍ତୁ ବନ୍ଧୁକ ଦେଖାଇ ଧମକ ଦେବା ଅଭିଯୋଗରେ କମିଶନରେଟ ପୋଲିସ ଉଭୟଙ୍କୁ ଆଇପିସିର ଧାରା ୫୦୬,୩୪ ଓ ଆର୍ମସ ଆକ୍ଟ ଧାରା ୨୫ରେ ଗିରଫ କରିଛି ।

ତେବେ ଏହି ଘଟଣା ଦଳ ବିରୋଧରେ ହୀନ ଚକ୍ରାନ୍ତ ବୋଲି କହିଛି ବିଜେପି । କୌଣସି ଦଳର ନାଁ ନେଇ ବିଜେପି କହିଛି, ଆତତାୟୀଙ୍କୁ ପଠାଇ ବିଜେପିର ସ୍ୱର ଚପାଇଦେବାକୁ କିଛି ବିରୋଧୀ ଗୋଷ୍ଠୀ ଚକ୍ରାନ୍ତ ଚଳାଇଛନ୍ତି । ତେବେ ବିଜେଡି ଏହି ଘଟଣାରେ ପ୍ରତିକ୍ରିୟା ଦେଇ କହିଛି ଯେ, ଅଭିଯୁକ୍ତ ଦୁଇଜଣ ବିଜେପି କର୍ମୀ ବୋଲି ସ୍ୱୀକାର କରିଛନ୍ତି । ତେଣୁ ଅନ୍ୟ କାହାକୁ ଦୋଷ ଦେବା ଠିକ୍ ନୁହେଁ ।

ତେବେ ପ୍ରଶ୍ନ ଉଠୁଛି ଏହି ଘଟଣା ପାଇଁ ବନ୍ଧୁକ ଦେଖାଇ କାହିଁକି ଧମକ ଦେଲେ ଦୁଇ ଅଭିଯୁକ୍ତ । ? ଧମକ ପଛର ପ୍ରକୃତ କାରଣ କଣ ? କିଏ କହୁଛି ସତ କିଏ କହୁଛି ମିଛ ? କିନ୍ତୁ ପୁରା ଘଟଣା ପଛର ଅସଲ କାରଣ ରହସ୍ୟ ଘେରରେ ରହିଗଲା । ଯେ ସେମାନେ ରାଜ୍ୟ ସଭାପତିଙ୍କୁ ବନ୍ଧୁକ ଦେଖାଇଲେ କାହିଁକି ?