ସିରିଆ ଉପରେ ତୁର୍କୀର ଆକ୍ରମଣ : ଆମେରିକା ସମର୍ଥିତ କୁର୍ଦ୍ଦି ସେନା ଓ ଏସଡିଏଫକୁ ହଟାଇବା ପାଇଁ ଘନ ଘନ ବୋମାମାଡ

479

କନକ ବ୍ୟୁରୋ : ସିରିଆରେ ତୁର୍କୀର ଆକ୍ରମଣ । ସିରିଆ ସୀମାରୁ ଆମେରିକା ସମର୍ଥିତ କୁର୍ଦ୍ଦି ସେନା ଓ ସିରିଆ ଡେମୋକ୍ରାଟିକ ବାହିନୀ (ଏସଡିଏଫ )କୁ ହଟାଇବା ପାଇଁ ବୋମାମାଡ ଆରମ୍ଭ କରିଛି ତୁର୍କୀ । ସୀମାର ଅନେକ ଅଂଚଳକୁ ନିଜ ଦଖଲକୁ ନେଇ ଶରଣାର୍ଥୀଙ୍କୁ ଥଇଥାନ କରିବାକୁ ଯୋଜନା କରିଛି ତୁର୍କୀ । ସିରିଆରୁ ଆମେରିକା ନିଜ ସେନା ପ୍ରତ୍ୟାହାର କରିବାର ୨୪ ଘଂଟା ନପୁରୁଣୁ ଏଭଳି ଆକ୍ରମଣ ପୁଣି ସିରିଆକୁ ଅଶାନ୍ତ କରିଛି । ଏଭଳି ଆକ୍ରମଣରେ ପରେ ଆମେରିକା ରାଷ୍ଟ୍ରପତି ଡେନାଲ୍ଡ ଟ୍ରମ୍ପ ବଡ ଚେତାବନୀ ଦେଇଛନ୍ତି । ସେ କହିଛନ୍ତି, ସିରିଆ ସୀମା ଅଂଚଳରେ ତୁର୍କୀର ଆକ୍ରମଣ ବନ୍ଦ ନ ହେଲେ କଠୋର ପଦକ୍ଷେପ ଗ୍ରହଣ କରାଯିବ ସହ ଆର୍ଥିକ କଟକଣା ଲାଗୁ ହେବ ।

ତୁର୍କୀ ପ୍ରାୟ ୩ ଲକ୍ଷ ସିରିଆ ଶରଣାର୍ଥୀଙ୍କୁ ଉତରାଞ୍ଚଳ ସୀମାରେ ଥଇଥାନ କରିବା ପାଇଁ ଏହି ଆକ୍ରମଣ କରିଥିବା ଜଣାଯାଇଛି । ସେପଟେ ତୁର୍କୀ କହିଛି, ଆତଙ୍କବାଦୀ କରିଡରଙ୍କୁ ଧ୍ୱଂସ କରିବା ଲାଗି ଏହି ପଦ କ୍ଷେପ ନିଆଯାଇଛି । ତୁର୍କୀର ବୋମାବର୍ଷଣ ଫଳରେ ଚାରିଆଡେ ଆତଙ୍କର ବାତବାରଣ ଦେଖାଦେଇଛି । ଆମେରିକା ସିରିଆରୁ ନିଜର ସେନା ପ୍ରତ୍ୟାହାର କରିବା ପରେ ସୀମାର ୨ଶହ କିମି ପରିବ୍ୟାପ୍ତ ଅଂଚଳରେ ତୁର୍କୀ ଆକ୍ରମଣ କରିଛି ।