ଜିଓ ଗ୍ରାହକଙ୍କୁ ଜବରଦସ୍ତ ଝଟକା: ଆଜିଠୁ ଅନ୍ୟ ନମ୍ବରକୁ କଲ୍ କଲେ ମିନିଟ୍ ପିଛା ଲାଗିବ ୬ ପଇସା; ଜାଣନ୍ତୁ ଆପଣଙ୍କ ନମ୍ବରରେ ପୁରୁଣା ପ୍ଲାନ ସକ୍ରିୟ ଥିଲେ କଣ କରିବାକୁ ହେବ?

3,136

କନକ ବ୍ୟୁରୋ: ରିଲାଏନ୍ସ ଜିଓ ଗ୍ରାହକଙ୍କୁ ଆଉଟଗୋଇଂ କଲ କରିିବା ଲାଗି ଶୁଳ୍କ ଗଣିବାକୁ ପଡିବ । ଅନ୍ୟ ଅପରେଟରଙ୍କ ନମ୍ବରକୁ କଲ କଲେ ମିନିଟ୍ ପିଛା ୬ ପଇସା ଦେବାକୁ ପଡିବ । ଜିଓ ପକ୍ଷରୁ ଗତକାଲି ଏହି ଘୋଷଣା କରାଯାଇଛି । ଆଉଟ୍ ଗୋଇଂ କଲ କରିବା ଲାଗି ଗ୍ରାହହକଙ୍କୁ ଏକ ସ୍ୱତନ୍ତ୍ର ଟପ ଅପ ଭାଉଚର କିଣିବାକୁ ପଡିବ । ଅନ୍ୟ ଅପରେଟରଙ୍କୁ କଲ କରିବା ଲାଗି ଜିଓ ଗ୍ରାହକଙ୍କ ଇଂଟରକନେକ୍ଟ ୟୁସେଜ୍ ଚାର୍ଜ (ଆଇୟୁସି) ଟପ୍ ଅପ୍ କିଣିବାକୁ ପଡିବ । ଆଇୟୁସି ଟପ୍ ଅପ୍ ଯଥାକ୍ରମେ ୧୦, ୨୦, ୫୦ ଓ ୧୦୦ ଟଙ୍କାରେ ଉପଲବ୍ଧ । ୧୦ ଟଙ୍କିଆ ଭାଉଚରରେ ଗ୍ରାହକମାନେ କଲ ପାଇଁ ୧୨୪ ମିନିଟ୍ ଓ ୧ ଜିବି ମାଗଣା ଡାଟା ପାଇବେ । ସେହିପରି ୨୦ ଟଙ୍କିଆ ଭାଉଚର କିଣିଲେ ସେମାନଙ୍କୁ କଲ ପାଇଁ ୨୪୯ ମିନିଟ୍ ଓ ୨ ଜିବି ଡାଟା ମାଗଣାରେ ମିଳିବ । ୫୦ ଟଙ୍କିଆ ଭାଉଚରର କଲ ପାଇଁ ୬୫୬ ମିନିଟ୍ ଓ ୫ ଜିବି ଡାଟା ମିଳିବ । ୧୦୦ ଟଙ୍କିଆ ଭାଉଚର ରିଚାର୍ଜ କଲେ ଗ୍ରାହକମାନେ କଲ କରିବା ଲାଗି ୧୩୬୨ ମିନିଟ୍ ଓ ୧୦ ଜିବି ଡାଟା ମାଗଣାରେ ପାଇପାରିବେ । ତେବେ ଜିଓ ତାର ଗ୍ରାହକଙ୍କଠାରୁ ଅନ୍ୟ ନମ୍ବରକୁ କଲ କରିବା ବେଳେ ମିନିଟ୍ ପିଛା ୬ ପଇସାର ଶୁଳ୍କ ଆଦୟ କରିବ ବୋଲି ଘୋଷଣା କରିଛି । ଏହି ନିଷ୍ପତି ପଛର କାରଣ ଭାବେ ଜିଓ କହିଛି େଇଂଟରକନେକ୍ଟ ୟୁସେଜ ଚାର୍ଜ ତଥା ଇୟୁସି ପାଇଁ ଏହି ଶୁଳ୍କ ଆଦାୟ କରାଯିବ ।

ଆଇୟୁସି କଣ ?

ଆଇୟୁସି ହେଉଛି ଏକ ପ୍ରକାର ଶୁଳ୍କ । ଯେତେବେଳେ ଗୋଟିଏ କଂପାନୀର ମୋବାଇଲ ଗ୍ରାହକ ଅନ୍ୟ ଏକ କଂପାନୀର ନେଟୱାର୍କକୁ କଲ ପାଇଁ ବ୍ୟବହାର କରନ୍ତି ସେତେବେଳେ ଏହି ଶୁଳ୍କ ଲାଗିଥାଏ । ଉଦାହରଣ ସ୍ୱରୂପ ଯଦି ଜିଓର ଜଣେ ଗ୍ରାହକ ବିଏସଏନଏଲ ନମ୍ବରକୁ କଲ କରନ୍ତି ତେବେ ସେହି ସମୟରେ ତାଙ୍କୁ କଥାବାର୍ତ୍ତା ହେବା ଲାଗି ବିଏସଏନଏଲ ନେଟୱାର୍କକୁ ବ୍ୟବହାର କରିବାକୁ ପଡିଥାଏ । ନିଜର ନେଟୱାର୍କ ବ୍ୟବହାର କରିବାର ଅନୁମତି ଦେବା ଲାଗି ଜିଓଠାରୁ ବିଏସଏନଏଲ ଏକ ଶୁଳ୍କ ନେଇଥାଏ । ସେହି ଶୁଳ୍କକୁ ଆଇୟୁସି କୁହାଯାଏ । ଭାରତୀୟ ଦୂର ସଂଚାର ନିୟାମକ କର୍ତ୍ତୃପକ୍ଷ ଅନୁଯାୟୀ, ଏହି ଶୁଳ୍କ ପରିମାଣ ଏବେ ମିନିଟ୍ ପିଛା ୬ ପଇସା ରହିଛି । ପୂର୍ବରୁ ଏହା ୧୪ ପଇସା ଥିଲା । ୨୦୧୭ରେ ସେଥିରେ ଶେଷ ଥର ଲାଗି ହ୍ରାସ ଘୋଷଣା କରାଯାଇଛି ।

ଜିଓ ପାଇଁ କଣ ସମସ୍ୟା?

ଜିଓର ୪ଜି ଗ୍ରାହକମାନେ ପ୍ରଥମ ଦିନରୁ ମାଗଣାରେ ଭଏସ କଲ ସୁବିଧା ପାଉଛନ୍ତି । କିନ୍ତୁ ଦେଶରେ ଏବେବି ୩୫ କୋଟି ୨ଜି ଗ୍ରାହକ ଅଛନ୍ତି । ଯେଉଁମାନଙ୍କୁ ଆଉଟଗୋଇଂ କଲ କରିବା ଲାଗି ମୋଟା ଅଙ୍କର ରିଚାର୍ଜ କରିବାକୁ ପଡୁଛି । ସେଥିପାଇଁ ଏହି ଗ୍ରାହକମାନେ ଆଉଟଗୋଇଂ କଲ କରିବା ବଦଳରେ ମିସଡ କଲ କରିବାକୁ ଅଧିକ ପସନ୍ଦ କରୁଛନ୍ତି । ଜିଓ ନମ୍ବରରୁ ଯେତେବେଳେ ସେମାନେ ମିସଡ କଲ କରନ୍ତି ସେ ଯେଉଁ କଂପାନୀର ନମ୍ବର ବ୍ୟବହାର କରନ୍ତି ସେହି କଂପାନୀକୁ ଆଇୟୁସି ଶୁଳ୍କ ଦେବାକୁ ପଡେନାହିଁ । ମାତ୍ର ଜିଓ ଗ୍ରାହକ ଉକ୍ତ ନମ୍ବରକୁ କଲ କରି କଥାବାର୍ତ୍ତା ହେବା ବେଳେ ଉକ୍ତ ଗ୍ରାହକଙ୍କ କଂପାନି ଜିଓ ଠାରୁ ପ୍ରତି ମିନିଟ ପାଇଁ ୬ ପଇସା ଆଦାୟ କରିଥାଏ । ଜିଓ ନମ୍ବରରେ ପ୍ରତିଦିନ ୨୫ରୁ ୩୦ କୋଟି ମିସଡ କଲ ଆସୁଛି । ତାହା ଉପରେ କଂପାନୀ ଟଙ୍କିଟିଏ ବି ପାଉନାହିଁ । କିନ୍ତୁ ଜିଓ ଗ୍ରାହକମାନେ ଅନ୍ୟ ନମ୍ବରକୁ କଲ କରୁଥିବାରୁ ବିଗତ ତିନି ବର୍ଷରେ ଜିଓ ପକ୍ଷରୁ ଆଇୟୁସି ଚାର୍ଜ ବାବଦରେ ୧୩ ହଜାର କୋଟି ଟଙ୍କା ଗଣିବାକୁ ପଡୁଛି ।

ମାମଲାଟି କଣ?

୨୦୧୧ରେ ଟ୍ରାଇ ପକ୍ଷରୁ କୁହାଯାଇଥିଲା ଯେ, ଆଇୟୁସିକୁ ପର୍ଯ୍ୟାୟକ୍ରମେ ଶୂନ ପର୍ଯ୍ୟନ୍ତ ଖସାଇଦିଆଯିବ । ୨୦୧୭ରେ ଟ୍ରାଇ ଏହି ଶୁଳ୍କକୁ ମିନିଟ ପିଛା ୧୪ ପଇସାରୁ କମାଇ ୬ ପଇସା କରିଥିଲା । ଏବଂ ଏଥିସହିତ ପ୍ରତିଶ୍ରୁତି ଦେଇଥିଲା ଯେ ୨୦୨୦ ଜାନୁଆରି ୧ ସୁଦ୍ଧା ଏହି ଶୁଳ୍କକୁ ଶୂନ କରିଦିଆଯିବ । ମାତ୍ର ତିନି ମାସ ପୂର୍ବେ ସେହି ନିଷ୍ପତିର ପୁନର୍ବିଚାର କରିବାକୁ ଟ୍ରାଇ ନିଷ୍ପତି ନେଇଥିଲା । ସେଥିପାଇଁ ଜିଓ ପକ୍ଷରୁ ଏହି ଘୋଷଣା କରାଯାଇଛି ।

ଜିଓ ଗ୍ରାହକଙ୍କୁ କଣ କରିବାକୁ ପଡିବ ?

ଯେଉଁ ଗ୍ରାହକମାନଙ୍କ ନମ୍ବରରେ ପୂର୍ବରୁ କୌଣସି ପ୍ଲାନ ସକ୍ରିୟ ରହିଛି ସେମାନେ ଯେଉଁଭଳି ମାଗଣା କଲ କରୁଥିଲେ ସେହି ସୁବିଧା ପାଇପାରିବେ । ସେମାନଙ୍କ ପ୍ଲାନର ବୈଧତା ଶେଷ ହୋଇଯିବ । ପରେ ଯେତେବେଳେ ସେମାନେ ପୁଣି ଥରେ ରିଚାର୍ଜ କରିବେ ସେହି ସମୟରେ ସେମାନଙ୍କୁ ଏକ ସ୍ୱତନ୍ତ୍ର ଭାଉଚର କିଣିବାକୁ ପଡିବ ଯାହାକୁ ଜିଓ ପକ୍ଷରୁ ଆଇୟୁସି ଭାଉଚର କୁହାଯାଉଛି । ଏହା ୧୦, ୨୦, ୫୦ ଏବଂ ୧୦୦ ଟଙ୍କାରେ ଉପଲବ୍ଧ ହେଉଛି । ମାତ୍ର ଅକ୍ଟୋବର ୧୦ରୁ ଯେଉଁ ଗ୍ରାହକମାନେ ନିଜ ନମ୍ବରକୁ ନୂଆ ରିଚାର୍ଜ କରିବେ ସେମାନଙ୍କୁ ଏହି ଭାଉଚର ନିଶ୍ଚିତ ରୂପେ କିଣିବାକୁ ପଡିବ । ଅନ୍ୟଥା ସେମାନେ ଅନ୍ୟ ନମ୍ବରକୁ ଆଉଟଗୋଇଂ କଲ କରିପାରିବେ ନାହିଁ ।