ସାପ ସହ ଖେଳୁଥିଲେ ସାପ ଧରାଳି, ରାଗିଗଲା ନାଗ ମାରିଲା ଚୋଟ ।

107

କନକ ବ୍ୟୁରୋ: ସାପ ଧରାଳିଙ୍କ ଅସାବଧାନତା ଯୋଗୁଁ ଚୋଟ ମାରିଲା ନାଗ । ବୁଗୁଡା ନିବାସୀ ସାପ ଧରାଳି ହରିଶ ପାଢ଼ୀଙ୍କୁ ଏକ ନାଗ ସାପ କାମୁଡ଼ିଥିବା ଜଣାପଡ଼ିଛି । ସୂଚନା ମୁତାବକ ସାପ ଧରିବାକୁ ଯାଇ ସାପ ସହ ଖେଳୁଥିବା ଯୋଗୁଁ ଉତକ୍ଷିପ୍ତ ନାଗ ସାପଟି ତାଙ୍କୁ ଦଂଶନ କରିଛି । ଯାହାର ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି । ସ୍ଥାନୀୟ ବାସିନ୍ଦାଙ୍କ ଘରେ ସାପ ପସିଲେ ପଶିଲେ ହରିଶ ପାଢ଼ୀଙ୍କୁ ଖୋଜିଥାନ୍ତି ଲୋକମାନେ । ଆଉ ସାପକୁ ଧରି ଜଙ୍ଗଲରେ ଛାଡିଥାନ୍ତି ହରିଶ ।

ହେଲେ ଗତ ୧୩ ଅକ୍ଟୋବର ତାରିଖ ଦିନ ଅପରାହ୍ନ ସମୟରେ ସାଙ୍ଗମାନଙ୍କ ଅନୁରୋଧ ରେ ସାପ ସହ ଖେଳ ଦେଖାଉଥିବା ବେଳେ ୫ ଫୁଟର ନାଗ ସାପଟି ହରିଶଙ୍କ ବାମ ଆଣଣ୍ଠୁକୁ କାମୁଡି ଧରିଥିଲା । ତାଙ୍କର ସାଙ୍ଗ ମାନେ ପ୍ୟାଣ୍ଟକୁ ଚିରି ସାପକୁ ଛଡ଼ାଇଥିଲେ । ଏହାପରେ ହରିଶଙ୍କ ଆଣଣ୍ଠୁରୁ ରକ୍ତ ବ।।ରିବାରେ ଲାଗିଥିଲା ସାଙ୍ଗମାନେ ତାଙ୍କୁ ତୁରନ୍ତ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସ୍ନେକ ହେଲ୍ପ ଲାଇନକୁ ଖବର ମିଳିବା ପରେ ସଂସ୍ଥାର ସଦସ୍ୟମାନେ ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲକୁ ଆଣି ଚିକିତ୍ସା କରାଇଛନ୍ତି ।

ନୟାଗଡ଼ରେ ୫ଟି ଭାଏଲ ଆଣ୍ଟି ଭେନମ ଲାଗିବା ବେଳେ, କ୍ୟାପିଟାଲ ହସ୍ପିଟାଲରେ ଅଧିକ ୨୦ ଭାଏଲ ଆଣ୍ଟି ଭେନମ ହରିଶଙ୍କୁ ଦିଆଯାଇଥିଲା । ସ୍ନେକ ହେଲ୍ପ ଲାଇନର ଅନେକ ସଦସ୍ୟ ଏବଂ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ହରିଶଙ୍କ ପାଖେ ରହି ତାଙ୍କର ଚିକିତ୍ସା ସେବାରେ ସାହାଯ୍ୟ କରିଥିଲେ । ହରିଶ କ୍ୟାପିଟାଲ ହସ୍ପିଟାଲରୁ ଛାଡ଼ ପାଇଛନ୍ତି ସତ, କିନ୍ତୁ ତାଙ୍କର ଆଣଣ୍ଠୁ ଅବସ୍ଥା ଭଲ ନାହିଁ, ଏବଂ ସେ ଅନେକ କଷ୍ଟ ମଧ୍ୟ ପାଉଛନ୍ତି । ତେବେ ଏହି ଦୁର୍ଘଟଣା ଇଚ୍ଛାକୃତ ବୋଲି କହିଛନ୍ତି ସ୍ନେକ ହେଲ୍ପ ଲାଇନ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ । ସାପ ଧରିବା ପରେ ସୁରକ୍ଷିତ ଭାବରେ ତାର ପ୍ରାକୃତିକ ଆବାସସ୍ଥଳୀରେ ଛାଡିବା ଏବଂ ସାପକୁ ସର୍ବସାଧାରଣରେ ପ୍ରଦର୍ଶନ ନକରିବା ପାଇଁ ସ୍ନେକ ହେଲ୍ପ ଲାଇନ ତରଫରୁ ଗାଇଡଲାଇନ ମଧ୍ୟ ଜାରି କରାଯାଇଥିଲେ ମଧ୍ୟ ସାପ ଧରାଳି ମାନେ ନିୟମ ଭାଙ୍ଗୁଥିବାରୁ ଏଭଳି ଘଟଣା ଘଟୁଛି ବୋଲି ଶୁଭେନ୍ଦୁ ମଲ୍ଲିକ କହିଛନ୍ତି ।

ଅନ୍ୟପଟେ ଗତ କିଛି ଦିନ ତଳେ ନିୟମ ଭାଙ୍ଗିବାରୁ ପଞ୍ଜାବର ବିକ୍ରମ ମାଲୋଟ ନାମକ ଜଣେ ସାପ ଧରାଳି ମୃତ୍ୟୁ ବରଣ କରିଥିଲେ । ଏଣୁ ବନବିଭାଗ ତରଫରୁ ସାପ ଧରାଳି ମାନଙ୍କ କାର୍ଯ୍ୟକଳାପକୁ କଡାକଡି ଭାବେ ତଦାରଖ କରିବାର ସମୟ ଆସି ଯାଇଛି ବୋଲି ମଧ୍ୟ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି ।