ଘୋଷଣା କଲେ ସଂପତ୍ତି ତାଲିକା : ଅଧିକାଂଶ ମନ୍ତ୍ରୀ କୋଟିପତି

53

କନକ ବ୍ୟୁରୋ : ୨୦୧୬-୧୭ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ତାଙ୍କ ମନ୍ତ୍ରୀମାନଙ୍କ ସଂପତ୍ତି ତାଲିକା ପ୍ରକାଶ ପାଇଛି । ଏହି ତାଲିକାରେ କୋଟିପତି ଭାବେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସର୍ବାଗ୍ରେ ଥିବା ବେଳେ ଅଧିକାଂଶ ମନ୍ତ୍ରୀଙ୍କ ନାମ ରହିଛି।

ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ସମ୍ପତ୍ତି ତାଲିକାରେ ବିଭିନ୍ନ ବ୍ୟାଙ୍କରେ ଜମା, ସୁନାଗହଣା, ଗାଡ଼ି ଆଦି ମିଶାଇ ମୋଟ ୧ କୋଟି ୩୬ ଲକ୍ଷ ୩୯,୩୬୦.୧୪ ଟଙ୍କା ଥିବା ବେଳେ ତାଙ୍କ ପତ୍ନୀ ଜ୍ୟୋତି ରାଉତରାୟଙ୍କ ନାମରେ ୧ କୋଟି ୬ ଲକ୍ଷ ୨୯,୯୬୨.୩୭ ଟଙ୍କା ରହିଛି । ବିଜୟଶ୍ରୀଙ୍କ ନାମରେ ପ୍ରାୟ ୨୦ ଲକ୍ଷର ଟୋୟଟା ଫର୍‌ଚୁନର ଏବଂ ୧୯ ଲକ୍ଷର ଭକ୍ସଓ୍ଵାଗେନ୍‌, ୩୮୪ ଗ୍ରାମ ସୁନା, ତାଙ୍କ ପତ୍ନୀଙ୍କ ନାମରେ ୬୦୮ ଗ୍ରାମର ସୁନା ଥିବା ଦର୍ଶାଯାଇଛି । ତାଙ୍କର ସ୍ଥାବର ସଂପତ୍ତି ତାଲିକାରେ ଭୁବନେଶ୍ୱର ଏବଂ କଟକ କ୍ୟାଣ୍ଟନମେଣ୍ଟ ତହସିଲରେ ପ୍ଲଟ୍‌, ତାଙ୍କ ପତ୍ନୀଙ୍କ ନାମରେ ପିପିଲିରେ ୭ଟି ପ୍ଲଟ୍‌ରେ ୪.୫ ଏକର ଜମି ରହିଛି, ଯାହାର ମୂଲ୍ୟ ୪ କୋଟିରୁ ଅଧିକ ହେବ।

କୃଷି, ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ମନ୍ତ୍ରୀ ଡା. ଦାମୋଦର ରାଉତ ଏବଂ ତାଙ୍କ ପତ୍ନୀ ସେହ୍ନ ମହାପାତ୍ରଙ୍କ ନାମରେ ସ୍ଥାବର ସଂପତ୍ତି ତାଲିକାରେ ପ୍ରାୟ ୯୦ ଲକ୍ଷ ଟଙ୍କା ମୂଲ୍ୟର ଜମି, ଘର ଭୁବନେଶ୍ୱର, ନିଜ ଗ୍ରାମରେ ରହିଥିବା ଦର୍ଶାଯାଇଛି। ଅସ୍ଥାବର ସଂପତ୍ତି ମଧ୍ୟରେ ପ୍ରାୟ ୬୪ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା, ସୁନାଗହଣା ଆଦି ରହିଛି । ଯୋଜନା ଓ ସଂଯୋଜନ ମନ୍ତ୍ରୀ ଉଷା ଦେବୀଙ୍କ ନାମରେ ପ୍ରାୟ ୨୦ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା, ବୀମା, ପ୍ରାୟ ୨୦ ଲକ୍ଷ ମୂଲ୍ୟର ବିଭିନ୍ନ ଗାଡ଼ି, ସ୍ୱାମୀଙ୍କ ନାମରେ ୧.୧୦ କୋଟି ମୂଲ୍ୟର ପ୍ରାସାଦ ରହିଥିବା ଦର୍ଶାଯାଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ପ୍ରତାପ ଜେନା, ତାଙ୍କ ପତ୍ନୀ ଡେଜୀ, ପୁତ୍ର ଅଙ୍କିତ୍‌ ଏବଂ କନ୍ୟା ଐଶ୍ୱର୍ଯ୍ୟାଙ୍କ ନାମରେ ଅସ୍ଥାବର ସଂପତ୍ତି ତାଲିକାରେ ପ୍ରାୟ ୧.୬୦ କୋଟିର ବ୍ୟାଙ୍କ ଜମା, ନଗଦ ଟଙ୍କା, ସୁନାଗହଣା ଆଦି ରହିଥିବା ଦର୍ଶାଯାଇଛି। ପ୍ରାୟ ୫ କୋଟି ଟଙ୍କାର ସ୍ଥାବର ସଂପତ୍ତିରେ ରହିଛି ବିଭିନ୍ନ ସ୍ଥାନର କୃଷି ତଥା ଅଣକୃଷି ଜମି, କଟକର ଯୋବ୍ରା, ସିଡିଏର ଆବାସିକ ପ୍ଲଟ୍‌ ଇତ୍ୟାଦି।

ସେହିପରି ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଦର୍ଶାଇଥିବା ସଂପତ୍ତି ତାଲିକାରେ ନିଜ ପାଖରେ ନଗଦ ୩.୫୪ ଲକ୍ଷ ଟଙ୍କା ଥିବା ବେଳେ ପତ୍ନୀ ଜୟାଲକ୍ଷ୍ମୀଙ୍କ ହାତରେ ନଗଦ ୩.୦୮ ଲକ୍ଷ ଏବଂ ମା’ଙ୍କ ହାତରେ ୩.୫୫ ଲକ୍ଷ ଟଙ୍କା ରହିଛି। ଆରୁଖ ଦଂପତିଙ୍କର ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟ, ଗାଡ଼ି, ସୁନାଗହଣା ଭଳି ଅସ୍ଥାବର ସଂପତ୍ତି ତାଲିକାରେ କୋଟିଏରୁ ଅଧିକ ଟଙ୍କା ରହିଥିବା ଦର୍ଶାଯାଇଛି। ବିଶେଷ କରି ସେ ଏବଂ ତାଙ୍କ ପତ୍ନୀ ବିବାହ ବେଳେ ବହୁ ପରିମାଣର ସୁନାଗହଣା ଉପହାର ଭାବେ ପାଇଥିବା ବିସ୍ତାରିତ ଭାବେ ଉଲ୍ଲେଖ କରିଛନ୍ତି। ସ୍ଥାବର ସଂପତ୍ତିରେ ଭୁବନେଶ୍ୱରର ୨ଟି ପ୍ଲଟ୍‌, ଭଞ୍ଜନଗର ଏବଂ ଅନ୍ୟାନ୍ୟ ସ୍ଥାନରେ ଜମି ରହିଥିବା ସେ ଦର୍ଶାଇଛନ୍ତିି। ଖାଦ୍ୟ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ତାଙ୍କ ଆୟ ବାବଦରେ ଗତ ବର୍ଷ ୪ଲକ୍ଷ ୩ ହଜାର ୩୫୦ ଟଙ୍କା ଏବଂ ତାଙ୍କ ପତ୍ନୀ ରାଜଶ୍ରୀ ପାତ୍ର ୯୩,୧୭୦ ଟଙ୍କାର ରିଟର୍ଣ୍ଣ ଦାଖଲ କରିଛନ୍ତି। ଉଭୟଙ୍କ ପାଖରେ ଯଥାକ୍ରମେ ୨ ଲକ୍ଷ ୬୦,୩୦୦ ଟଙ୍କା ଏବଂ ୧ ଲକ୍ଷ ୨୮,୯୦୦ ଟଙ୍କା ନଗଦ ଟଙ୍କା ଥିବା ଦର୍ଶାଇଛନ୍ତି। ଅସ୍ଥାବର ସଂପତ୍ତି ତାଲିକାରେ ସେମାନେ ବିଭିନ୍ନ ବ୍ୟାଙ୍କରେ ଲକ୍ଷ ଲକ୍ଷ ଟଙ୍କାର ଜମା, ଗାଡ଼ି, ସୁନାଗହଣା ଆଦି ରହିଥିବା ଉଲ୍ଲେଖ କରିଛନ୍ତି। ସ୍ଥାବର ସଂପତ୍ତି ଭାବେ ବିଭିନ୍ନ ସ୍ଥାନରେ ଜମି, ପ୍ଲଟ୍‌ ଆଦି ରହିଥିବା ଦର୍ଶାଯାଇଛି।

ମହିଳା ଓ ଶିଶୁ ବିକାଶ ଏବଂ ମିସନ ଶକ୍ତି ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଦାଖଲ କରିଥିବା ସ୍ଥାବର ସଂପତ୍ତି ତାଲିକାରେ ୧ କୋଟି ୪୬ ଲକ୍ଷ ୫୫ ହଜାର ୭୫୦ ଟଙ୍କା ଥିବା ଦର୍ଶାଇଛନ୍ତି। ସେହିପରି ଅସ୍ଥାବର ସଂପତ୍ତି ଭାବେ ଦେଖାଇଛନ୍ତି ୫ ଲକ୍ଷ ୯୭ ହଜାର ୭୦୧ ଟଙ୍କା। ଋଣ ବାଦ୍‌ ତାଙ୍କର ମୋଟ ସଂପତ୍ତି ମୂଲ୍ୟ ୧ କୋଟି ୪୮ ଲକ୍ଷ ୭୪ ହଜାର ୯୫୧ ଟଙ୍କା ରହିଥିବା ସେ ଉଲ୍ଲେଖ କରିଛନ୍ତି । ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ ତାଙ୍କ ସ୍ଥାବର ଏବଂ ଅସ୍ଥାବର ତାଲିକାରେ ମୋଟ ୧୨ କୋଟି ୮ ଲକ୍ଷ ୫୧ ହଜାର ୯୪୫ ଟଙ୍କାର ସଂପତ୍ତି ଥିବା ଦର୍ଶାଇଛନ୍ତି । ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ନିରଞ୍ଜନ ପୂଜାରୀ ତାଙ୍କ ସଂପତ୍ତି ତାଲିକାରେ ପ୍ରାୟ ଦେଢ଼ କିଲୋଗ୍ରାମ ଓଜନର ସୁନାଗହଣା ରହିଥିବା ଉଲ୍ଲେଖ କରିଛନ୍ତି । ଏହାବ୍ୟତୀତ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର, ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ମନ୍ତ୍ରୀ ରମେଶ ମାଝୀ, ଅର୍ଥ ଓ ଅବକାରୀ ମନ୍ତ୍ରୀ ଶଶିଭୂଷଣ ବେହେରା, ପର୍ୟ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଡା. ନୃସିଂହ ଚରଣ ସାହୁ, ଶ୍ରମ ଓ ଇଏସ୍‌ଆଇ ମନ୍ତ୍ରୀ ସୁଶାନ୍ତ ସିଂ, ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ, ଆଇଟି ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା ନିଜ ନିଜ ସଂପତ୍ତି ତାଲିକା ଦାଖଲ କରିଛନ୍ତି ।