ବୋଗିବିଲ ବ୍ରିଜର ଓଡିଶା କନେକ୍ସନ ! ଜାଣନ୍ତୁ ଭାରତର ଦୀର୍ଘତମ ଡବଲ ଡେକର ବ୍ରିଜ ନିର୍ମାଣରେ ପଛରେ କଣ ରହିଛି ଓଡିଶାର ଅବଦାନ

683

କନକ ବ୍ୟୁରୋ :ଲୋକାର୍ପିତ ହୋଇଛି ଦେଶର ସବୁଠାରୁ ଦୀର୍ଘତମ ରେଳ ତଥା ସଡକ ବ୍ରିଜ ବୋଗିବିଲ ବ୍ରିଜ । ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମତିଥୀରେ ଏହି ବ୍ରିଜକୁ ଲୋର୍କାପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆସାମ ଓ ଅରୁଣାଚଳ ପ୍ରଦେଶକୁ ଯୋଡିଥିବା ଏହି ବୋଗିବିଲ ବ୍ରିଜ ଉପରେ ପୂରା ଦେଶର ନଜର ରହିଥିବା ବେଳେ ଏହି ବ୍ରିଜର ଓଡିଶା କନେକ୍ସନ ଏବେ ସାମ୍ନାକୁ ଆସିଛି । କଥାଟା ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ । ଜାଣନ୍ତୁ ଦେଶର ସବୁଠୁ ଲମ୍ବା ଡବଲ ଡେକର ବ୍ରିଜ ନିର୍ମାଣ ପଛରେ କଣ ରହିଛି ଓଡିଶାର ଅବଦାନ ।


ବୋଗିବିଲ ବ୍ରିଜ । ଉତ୍ତର ପୂର୍ବାଞ୍ଚଳ ରାଜ୍ୟର ଲାଇଫଲାଇନ ଭାବେ ଉଭା ହୋଇଛି ଏହି ବ୍ରିଜ । ୪.୯୪ କିଲୋମିଟରର ଏହି ବ୍ରିଜ ଭାରତ ପାଇଁ ଯେତିକି ଖୁସି ଆଣି ଦେଇଛି ପଡୋଶୀ ଚୀନ୍ ପାଇଁ ମଧ୍ୟ ସେତିକି ଚିନ୍ତା ବଢାଇଛି । ତେବେ ଏହି ବ୍ରିଜ ଓଡିଶା ପାଇଁ ମଧ୍ୟ ଖୁସି ଆଣିଛି । କାରଣ ଏହି ବ୍ରିଜର ନିର୍ମାଣ ପାଇଁ ଓଡିଶାରୁ ଯାଇଛି ଷ୍ଟିଲ । ଭାରତର ଏହି ଦୀର୍ଘତମ ବ୍ରିଜର ନିର୍ମାଣ ପାଇଁ ଅନୁଗୁଳ ଜିନ୍ଦଲ କାରଖାନାରୁ ଯାଇଛି ଷ୍ଟିଲ ପ୍ଲେଟ । ଏନେଇ ଜିନ୍ଦଲ କମ୍ପାନି ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି । ଏପରିକି ଏଥିପାଇଁ କମ୍ପାନି ଗର୍ବିତ ବୋଲି କହିଛି କମ୍ପାନି । ବୋଗିବିଲ ବ୍ରିଜରେ ମୋଟ ୨୨ ହଜାର ଟନ୍ ଷ୍ଟିଲର ବ୍ୟବହାର କରାଯାଇଛି ।

ଗୌହାଟୀ ଠାରୁ ପ୍ରାୟ ୪ଶହ କିମି ଦୂରରେ ନିର୍ମିତ ହୋଇଛି ଏହି ବୋଗିବିଲ ବ୍ରିଜ । ଏହି ସେତୁ ଆସାମର ଦିବ୍ରୁଗଡ ଓ ଅରୁଣାଚଳପ୍ରଦେଶର ଇଟ୍ଟାନଗର ମଧ୍ୟରେ ହେବ ସମ୍ପର୍କର ସେତୁ । ଏହା ସହିତ ସୁରକ୍ଷା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ତେଣୁ ଏହି ସେତୁର ଅନେକ ବିଶ୍ୱେଷତ୍ୱ ରହିଛି ।

ଦେଶର ଦୀର୍ଘତମ ଡବଲ ଡେକର ଏହି ବ୍ରିଜର ଲମ୍ବା ରହିଛି ୪.୯୪ କି.ମି । ଏହି ବ୍ରିଜକୁ ଏପରି ନିର୍ମାଣ କରାଯାଇଛି ଯାହା ୭ ରିକ୍ଟର ତୀବ୍ରତାର ଭୂକମ୍ପରେ ମଧ୍ୟ କିଛି ହେବ ନାହିଁ । ଏହା ହେଉଛି ଭାରତର ପ୍ରଥମ ୱେଲଡେଟ ଷ୍ଟିଲ୍ କଂକ୍ରିଟ ମିଶ୍ରିତ ଗ୍ରିଡର ବ୍ରିଜ୍ । ଏହି ବ୍ରିଜ ନିର୍ମାଣରେ ଷ୍ଟେନଲେସ ସାମଗ୍ରୀ ବ୍ୟବହାର ହୋଇଛି । ଯାହା ୧୨୦ ବର୍ଷ ପର୍ଯ୍ୟନ୍ତ ବ୍ରିଜକୁ ସମ୍ପୂର୍ଣ୍ଣ ସୁରକ୍ଷିତ ରଖିବ । ସେହିପରି ଏହି ଡବଲ ଡେକର ସେତୁରେ ଉଭୟ ରେଳ ଓ ସଡକ ପଥ ରହିଛି । ତଳ ସ୍ତରରେ ରହିଛି ଦୁଇ ଲାଇନ୍ ବିଶିଷ୍ଟ ବ୍ରଡ ଗଜ ରେଳ ଧାରଣା ଓ ଉପର ସ୍ତରରେ ରହିଛି ତିନି ଲେନ୍ ବିଶିଷ୍ଟ ରାସ୍ତା । ସେହିପରି ଏହି ବ୍ରିଜ୍ ଯୋଗୁଁ ଆସାମର ଦିବ୍ରୁଗଡ ଓ ଅରୁଣାଚଳପ୍ରଦେଶର ଇଟାନଗରକୁ ୭୦୫ କିମି ଦୂରତା କମ୍ ହେବ । ଏହି ସେତୁ ଦେଇ ସେନାର ଟ୍ୟାଙ୍କର ଓ ଅନ୍ୟାନ୍ୟ ପ୍ରତିରକ୍ଷା ସାମଗ୍ରୀ ଖୁବ୍ ଶୀଘ୍ର ସୀମାରେ ପହଁଚି ପାରିବ ।ଯାହାଦ୍ୱାରା ଭାରତର ପୂର୍ବାଂଚଳ ରାଜ୍ୟଗୁଡିକର ଜାତୀୟ ସୁରକ୍ଷା ସୁଦୃଢ଼ ହେବ ।

ବୋଗିବିଲ ବ୍ରିଜର ପୂରା ଇତିହାସ

ଶିଳାନ୍ୟାସର ୨୧ ବର୍ଷ ପରେ ଶେଷ ହୋଇଛି ଏହି ବୋଗିବିଲ ବ୍ରିଜ । ୧୯୮୫ ମସିହାରେ ପୋଲ ନିର୍ମାଣ ପାଇଁ ଯୋଜନା କରାଯାଇଥିଲା । ୨୨ ଜାନୁୟାରୀ ୧୯୯୭ ମସିହାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ ଡି ଦେବଗୌଡା ବ୍ରିଜର ଶିଳାନ୍ୟାସ କରିଥିଲେ । ୨୦୦୨ରେ ଅଟଳବିହାରୀ ବାଜପେୟୀଙ୍କ ସମୟରେ ଏହାର କାମ ଆରମ୍ଭ ହୋଇଥିଲା । ମନମୋହନ ସିଂହଙ୍କ ସରକାର ସମୟରେ ନିର୍ମାଣ କାର୍ଯ୍ୟ ଆଗେଇଥିଲା । ଆଉ ୨୧ ବର୍ଷ ପରେ ଶେଷ ହୋଇଛି । ଏହି ବ୍ରିଜ ନିର୍ମାଣ ପାଇଁ ଖର୍ଚ୍ଚ ହୋଇଛି ୫୯୦୦ କୋଟି ଟଙ୍କା । ଆଉ ଏହି ବ୍ରିଜକୁ ନେଇ ଏବେ ଆରମ୍ଭ ହୋଇଛି ଚର୍ଚ୍ଚା । କାରଣ ଏହା ଆସାମ ଓ ଅରୁଣାଚଳ ପ୍ରଦେଶ ମଧ୍ୟରେ ସର୍ମ୍ପକର ସେତୁ ଭାବେ ଉଭା ହୋଇଥିବା ବେଳେ ପ୍ରତିରକ୍ଷା କ୍ଷେତ୍ରରେ ମଧ୍ୟ ଭାରତ ପାଇଁ ବରଦାନ ସାବ୍ୟସ୍ତ ହେବାକୁ ଯାଉଛି ।