ଆସନ୍ତା ୨୪ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗିରହିବ ବର୍ଷା : ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି
କନକ ବ୍ୟୁରୋ : ଆସନ୍ତା ୨୪ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗିରହିବ । କିଛି ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ସହ କିଛି ସ୍ଥାନରେ କୁଆପଥର ବର୍ଷା ହେବ । ପବନ ଓ ବିଜୁଳି ସହ କିଛି ସ୍ଥାନରେ ଝଡ଼ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି । ଆସନ୍ତା ୪ ଦିନ ଏହିଭଳି ପାଗ ଲାଗି ରହିବାର ଆଶଙ୍କା ଥିବାରୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ଭୁବନେଶ୍ବର ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ବରଗଡ଼, ସୋନପୁର, ବଲାଙ୍ଗୀର, ବୌଦ୍ଧ, କନ୍ଧମାଳ ଓ ଗଞ୍ଜାମ ଆଦି ଜିଲ୍ଲାରେ କୁଆପଥର ବର୍ଷା ହେବ । ଏହି ସମୟରେ ପବନର ବେଗ ମଧ୍ୟ ବଢ଼ିବ। ଘଣ୍ଟା ପ୍ରତି ୪୦/୫୦ କିମି ବେଗରେ ପବନ ବହିବ । ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ନୂଆପଡ଼ା, କେନ୍ଦୁଝର, ମୟୂରଭଞ୍ଜ, କଳାହାଣ୍ଡି, ରାୟଗଡ଼ା, ନୟାଗଡ଼, ଖୋର୍ଧା, ପୁରୀ, କଟକ, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ବର, ଦେବଗଡ଼ ଓ ଭଦ୍ରକ ଆଦି ଜିଲ୍ଲାର କେତେକ ସ୍ଥାନରେ ବିଜୁଳି ସହ ବର୍ଷା ଲାଗି ରହିବ । ପବନର ବେଗ ୪୦/୫୦ କିମି ରହିବ ।
ଏହି ସମୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ପାଗ ମେଘୁଆ ରହିବ। କିଛି ସ୍ଥାନରେ ହାଲୁକା ବର୍ଷା ତ’ ଅନ୍ୟ କେତେକ ସ୍ଥାନରେ ଝଡ଼ବର୍ଷା ହେବ । ଫଳରେ ପରିବେଶ ଅପେକ୍ଷାକୃତ ଥଣ୍ଡା ରହିବ ଓ ଏହି ସମୟରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୪ ଡିଗ୍ରି ଓ ସର୍ବନିମ୍ନ ତାପମାତ୍ରା ୨୧ ଡିଗ୍ରି ମଧ୍ୟରେ ରହିବ । ଗତ ୩୬ ଘଣ୍ଟା ମଧ୍ୟରେ କୋରାପୁଟରେ ସର୍ବାଧିକ ୧୭.୬ ମିମି ବର୍ଷା ହୋଇଥିବା ବେଳେ ରାୟଗଡ଼ାରେ ୧୩.୪ ମିମି, ସୁନ୍ଦରଗଡ଼ରେ ୭ ମିମି, ଝାରସୁଗୁଡ଼ାରେ ୩ ମିମି ଓ ଗୋପାଳପୁରରେ ହାଲୁକା ବର୍ଷା ହୋଇଥିବାର ରେକର୍ଡ କରାଯାଇଛି। ଅଧିକାଂଶ ସ୍ଥାନରେ ଆଜି ପାଗ ମେଘୁଆ ଥିବା ଜଣାପଡ଼ିଛି ।