ଫାଶୀ ପରେ ନିର୍ଭୟାଙ୍କ ପରିବାରଙ୍କ ପ୍ରତିକ୍ରିୟା । ନିର୍ଭୟାଙ୍କ ବାପା କହିଲେ, ମହିଳାଙ୍କ ସୁରକ୍ଷା ପାଇଁ ବଡ଼ ଦିନ..ଝିଅର ଆତ୍ମାକୁ ମିଳିଥିବ ଶାନ୍ତି

ମା’ କହିଲେ ଝିଅକୁ ମିଳିଲା ନ୍ୟାୟ; ମହିଳା ପାଳିଲେ ବିଜୟଉତ୍ସବ

1,885

କନକ ବ୍ୟୁରୋ: ନିର୍ଭୟାଙ୍କୁ ମିଳିଲା ନ୍ୟାୟ । ନିଜ ଘୃଣ୍ୟ କର୍ମ ପାଇଁ ଦଣ୍ଡ ପାଇଲେ ଦୋଷୀ । ଅପେକ୍ଷାର ଘଟିଲା ଅବସାନ । ନିର୍ଭୟା ଦୋଷୀଙ୍କୁ ମିଳିଲା ଫାଶୀ । ଫାଶୀ ଖୁଣ୍ଟରେ ଝୁଲିଲେ ମୁକେଶ ସିଂହ, ବିନୟ ଶର୍ମା, ପୱନ ଗୁପ୍ତା ଓ ଅକ୍ଷୟ ସିଂହ ଠାକୁର । ନିର୍ଭୟାର ଏହି ଦୋଷୀମାନଙ୍କୁ ତିହାର ଜେଲର ଫାଶୀଖୁଂଟରେ ଝୁଲାଯାଇଛିି । ସକାଳ ସାଢେ ୫ଟାରେ ୪ ଅଭିଯୁକ୍ତ ଫାଶୀରେ ଝୁଲିଛନ୍ତି । ଉତରପ୍ରଦେଶ ମିରଟରୁ ଆସିଥିବା ଜହ୍ଲାଦ ପବନ ୪ଜଣଙ୍କୁ ଫାଶୀ ଦେଇଛନ୍ତି । ୩୦ ମିନିଟରେ ଲଟକି ରହିବା ପରେ ଫାଶୀ ଖୁଂଟ ପାଖକୁ ଯାଇ ମେଡିକାଲ ଅଫିସର ସେମାନଙ୍କୁ ମୃତ ଘୋଷଣା କରିଥିଲେ । ଶବ ଗୁଡିକୁ ଦୀନଦୟାଲ ଉପାଧ୍ୟାୟ ହସ୍ପିଟାଲକୁ ପଠାଇ ଦିଆଯାଇଚି । କିଛି ସମୟ ପରେ ଶବଗୁଡିକର ପୋଷ୍ଟମର୍ଟମ କରାଯିବ । ୫ଜଣିଆ ଡାକ୍ତରୀ ଦଳ ଶବବ୍ୟବଛେଦ କରିବେ । ୨୦୧୨ ଡିସେମ୍ବର ୧୬ ତାରିଖରେ ନିର୍ଭୟାକାଣ୍ଡ ଘଟିଥିବା ବେଳେ ୭ ବର୍ଷ ୩ ମାସ ପରେ ନିର୍ଭୟାଙ୍କୁ ନ୍ୟାୟ ମିଳିଛି ।

ସେପଟେ, ୪ ଦୋଷୀଙ୍କୁ ଫାଶୀ ମିଳିବା ପରେ ନିର୍ଭୟାଙ୍କ ବାପା ଓ ମା ଖୁସି ପ୍ରକାଶ କରିଛନ୍ତି । ନିର୍ଭୟାଙ୍କ ବାପା କହିଛନ୍ତି, ମହିଳା ସୁରକ୍ଷା ପାଇଁ ଆଜିର ଦିନ ଏକ ବଡ ଦିନ । ଝିଅର ଆତ୍ମାକୁ ଆଜି ଶାନ୍ତି ମିଳିଥିବ । ସେହିପରି ନିର୍ଭୟାଙ୍କ ମା ଆଶାଦେବୀ କହିଛନ୍ତି, ସାରା ଦେଶ ଓ ଝିଅକୁୁ ନ୍ୟାୟ ମିଳିଛି । ଆଜି ମାର ଧର୍ମ ବି ପୂରଣ ହୋଇଛି । ସେପଟେ ଦୋଷୀଙ୍କୁ ଫାଶୀ ଦିଆଯିବା ପରେ ମହିଳାମାନେ ଖୁସି ମନାଇଛନ୍ତି ।

ଅନ୍ୟପଟେ,ନିର୍ଭୟା ଦୋଷୀଙ୍କୁ ଫାଶୀ ହେବା ପରେ ଲୋକଙ୍କ ମନରେ ମଧ୍ୟ ଖୁସି ପ୍ରକାଶ ପାଇଛି । ସକାଳୁ ସକାଳୁ ତିହାର ସମ୍ମୁଖରେ ଶହ ଶହ ଲୋକଙ୍କର ଲାଗିଥିଲା ଭିଡ । ହାତରେ ତ୍ରିରଙ୍ଗା ଧରି ନିର୍ଭୟା ଲଂଗ ଲିଭ୍ ଓ ଭାରତ ମାତାକି ଜୟ ନାରାରେ କମ୍ପିଥିଲା ପୁରା ପରିବେଶ । ଏହା ସହିତ ମିଠା ଖୁଆଇ ଖୁସି ମନାଇଥିଲେ ଲୋକେ । ଦୀର୍ଘ ଦିନ ଧରି ଦୋଷୀଙ୍କୁ ଫାଶୀ ମିଳିବା ନେଇ ବିଳମ୍ବ ଜାରି ରହିଥିଲା । ଗୋଟିଏ ପରେ ଗୋଟିଏ ଫାଶୀ ତାରିଖ ଘୁଂଚିବା ନେଇ ଦେଖାଦେଇଥିବା ଅସନ୍ତୋଷର ଆଜି ପରିସମାପ୍ତି ଘଟିଛି । ନିର୍ଭୟାଙ୍କ ପୈତୃକ ଗାଁ ଉତରପ୍ରଦେଶର ବାଲିଆରେ ମଧ୍ୟ ଏହାକୁ ନେଇ ବିଜୟଉତ୍ସବ ମନାଇଛନ୍ତି ଗ୍ରାମବାସୀ । ବିଳମ୍ବ ହୋଇଥିଲେ ବି ଗାଁର ଝିଅକୁ ନ୍ୟାୟ ମିଳିଥିବାରୁ ମଥାରେ ଟୀକା ଲଗାଇ, ପରସ୍ପର ପରସ୍ପରକୁ ମିଠା ଖୁଆଇ ଖୁସି ମନାଇଛନ୍ତି । ସମଗ୍ର ମହିଳାଙ୍କ ପାଇଁ ଏହା ବିଜୟ ବୋଲି ଗ୍ରାମବାସୀ କହିଛନ୍ତି ।

ଫାଶୀ ପୂର୍ବରୁ ଗତକାଲି ରାତିରେ କୋର୍ଟରେ ଜରୁରୀ ଶୁଣାଣି ହୋଇଥିଲା । ଶେଷ ପ୍ରୟାସ କରିଥିଲେ ଦୋଷୀଙ୍କ ଓକିଲ ଏପି ସିଂହଲ । ଗତକାଲି ଦିଲ୍ଲୀର ପଟିଆଲା ହାଇସକୋର୍ଟ ମୃତ୍ୟୁର ପରୱାନା ଉପରେ ରୋକ ଲଗାଇବାକୁ ମନା କରିଦେଇଥିଲେ । ତେବେ ମଝି ରାତିରେ ଏହା ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ଅପିଲ କରିଥିଲେ ଦୋଷୀଙ୍କ ଓକିଲ ଏପି ସିଂହ । ଦିଲ୍ଲୀ ହାଇକୋର୍ଟର ଦୁଇ ଜଣ ବିଚାରପତି ସ୍ୱତନ୍ତ୍ର ଭାବେ ମଝି ରାତିରେ ଏହି ଆବେଦନର ଶୁଣାଣି କରିଥିଲେ ।

ପ୍ରାୟ ୯୦ ମିନିଟର ଶୁଣାଣି ପରେ ଫାଶୀ ରୋକିବାକୁ ଦୋଷୀଙ୍କ ଆବେଦନକୁ ଖାରଜ କରିଦେଇଥିଲେ । ତେବେ ଏହା ପରେ ଦୋଷୀଙ୍କ ଓକିଲ ସୁପ୍ରିମ କୋର୍ଟରେ ପୁଣି ଫାଶୀ ରୋକିବାକୁ ଆବେଦନ କରିଥିଲେ । ରାତି ପ୍ରାୟ ୩ଟାରେ ସୁପ୍ରିମକୋର୍ଟରେ ଶୁଣାଣି ଆରମ୍ଭ ହୋଇଥିଲା । ଜଷ୍ଟିସ୍ ଭାନୁମତିଙ୍କ ଖଣ୍ଡପୀଠ ଶୁଣାଣି କରି ଦୋଷୀଙ୍କ ପକ୍ଷରୁ ହୋଇଥିବା ଆବେଦନକୁ ଖାରଜ କରିଥିଲେ । ଏହାପରେ ସାଢ଼େ ୫ଟାରେ ୪ ଦୋଷୀଙ୍କୁ ଫାଶୀ ମିଳିଥିଲା ।