ନର୍ଲାରେ ନାବାଳିକାକୁ ପୋଡି ହତ୍ୟା ମାମଲା : ମଧୁପୁରରେ ନାବାଳିକାଙ୍କ ଅନ୍ତିମସଂସ୍କାର ସମ୍ପନ୍ନ

19

କନକ ବ୍ୟୁରୋ : କଳାହାଣ୍ଡି ନର୍ଲାରେ ନାବାଳିକାକୁ ପୋଡି ହତ୍ୟା କରିବା ଘଟଣାରେ ମଧୁପୁର ଗାଁରେ ନାବାଳିକାର ଅନ୍ତିମ ସଂସ୍କାର କରାଯାଇଛି । ଗୁରୁତର ଭାବେ ପୋଡି ଯାଇ ଆଇଜିଏଚରେ ଚିକିତ୍ସା ହେଉଥିବା ନାବାଳିକାଙ୍କ ଗତକାଲି ମୃତ୍ୟୁ ହୋଇଥିଲା । ନାବାଳିକାଙ୍କ ସମ୍ପର୍କୀୟ ମାମୁଁ ଅସଦାଚରଣ କରିବା ପରେ କିରୋସିନି ଢାଳି ମାରିଦେବାକୁ ଉଦ୍ୟମ କରିଥିଲେ । ପୀଡିତାଙ୍କୁ ପ୍ରଥମେ ଭବାନୀପାଟଣାସ୍ଥିତ ଜିଲ୍ଲା ହସ୍ପିଟାଲ, ଏହାପରେ ବୁର୍ଲା, ଶେଷରେ ରାଉରକେଲା ଆଇଜିଏଚରେ ଭର୍ତି କରାଯାଇଥିଲା ।

୭ ଦିନର ଜୀବନ ସଂଗ୍ରାମ ପରେ ଶେଷରେ ପ୍ରାଣ ହରାଇଥିଲେ ନାବାଳିକା । ଏହି ନୃଶଂସ ମାମଲାରେ ପୁଲିସ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୬ ଜଣଙ୍କୁ ଗିରଫ କରିଛି । କ୍ରାଇମବ୍ରାଂଚ ତଦନ୍ତଭାର ନେବା ପରେ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇଛି । ଘଟଣାର ତଦନ୍ତ ପାଇଁ କ୍ରାଇମବ୍ରାଂଚର ଆଉ ଏକ ଟିମ ଆଜି ମଧୁପୁର ଗାଁରେ ପହଂଚିଛି । କ୍ରାଇମବ୍ରାଂଚ ଏସପିଙ୍କ ନେତୃତ୍ୱରେ ଯାଇଥିବା ଟିମ୍ ତଦନ୍ତ ଶେଷ ହେବା ପର୍ଯ୍ୟନ୍ତ ମଧୁପୁର ଗାଁରେ ରହିବେ ।