ହ୍ୟାକ୍ ହୋଇଗଲା ଗୁଗୁଲ୍ ମ୍ୟାପ୍ ! ଗ୍ରୀନ୍ ବଦଳରେ ରେଡ୍ ହୋଇଗଲା ସିଗନାଲ୍, ଜାଣନ୍ତୁ କେମିତି ହେଲା ସମ୍ଭବ ।

274

କନକ ବ୍ୟୁରୋ : ଆପଣ ଆଗରୁ ଗୁଗଲ ଆକାଉଣ୍ଟ ବା ଫେସବୁକ୍‌ ଆକାଉଣ୍ଟ ହ୍ୟାକ୍‌ ହେବା ଖବର ନିଶ୍ଚୟ ଶୁଣିଥିବେ। କିନ୍ତୁ କେବେ ଗୁଗଲ ମ୍ୟାପ୍‌ ହ୍ୟାକ୍‌ ହେବା ଖବର ଆପଣ ଶୁଣିଥିଲେ କି ? କଥାଟି ବିଶ୍ୱାସ କରି ହେଉନଥିଲେ ମଧ୍ୟ ସତ । ଜଣେ ଯୁବକ ୯୯ଟି ପୁରୁଣା ସ୍ମାର୍ଟଫୋନ ଜରିଆରେ ଗୁଗଲ ମ୍ୟାପକୁ ହ୍ୟାକ୍‌ କରିିଥିବା ଜଣା ପଡ଼ିଛି । ଯୁବକଜଣଙ୍କ ଗୁଗଲ ମ୍ୟାପରେ ଦିଆଯାଇଥିବା ସୁବିଧାର ଫାଇଦା ଉଠାଇ ଏଭଳି କରିଥିବା ସାମ୍ନାକୁ ଆସିଛି ।

ଯୁବକଙ୍କ ନାଁ ସିମୋନ ୱେକର୍ଟ ବୋଲି ଜଣା ପଡ଼ିଥିବା ବେଳେ ସେ ଗୁଗଲ ମ୍ୟାପ୍‌ ହ୍ୟାକ୍‌ କରି ଟ୍ରାଫିକର ସ୍ଥିତି ସଂପୂର୍ଣ୍ଣ ଭାବରେ ବଦଳାଇ ଦେଇଥିଲେ । ଯେଉଁଠି ଲୋକଙ୍କୁ ଗ୍ରୀନ୍‌ ସିଗନାଲ ଦେଖାଇବା କଥା ସେଠାରେ ଲୋକେ ରେଡ୍‌ ସିଗନାଲ ଦେଖିବାକୁ ପାଇଥିଲେ । ରାସ୍ତାରେ ଭିଡ଼ ନଥାଇ ମଧ୍ୟ ଲୋକଙ୍କୁ ଗୁଗଲ ମ୍ୟାପରେ ପ୍ରବଳ ଭିଡ଼ ଥିବା ଦେଖାଇଥିଲା । ଏଭଳି କରିବା ପାଇଁ ସିମୋନ ୱେକର୍ଟ ୯୯ଟି ସ୍ମାର୍ଟଫୋନ ନେଇ ଟ୍ରାଫିକ୍‌ ନଥିବା ରାସ୍ତାରେ ଚାଲିବା ଆରମ୍ଭ କରିଥିଲେ ।

ସବୁ ସ୍ମାର୍ଟଫୋନରେ ଗୁଗଲ ମ୍ୟାପ୍‌ ଆକ୍ଟିଭ୍‌ ରହିଥିବା ବେଳେ ଫୋନର ଲୋକେସନକୁ ମଧ୍ୟ ଆକ୍ଟିଭ୍‌ କରିଥିଲେ ସିମୋନ ୱେକର୍ଟ । ଏଭଳି କରିବା ଦ୍ୱାରା ସେ ଯେଉଁ ଖାଲି ରାସ୍ତା ଦେଇ ଯାଉଥିଲେ, ଗୁଗଲ ମ୍ୟାପରେ ଲୋକଙ୍କୁ ଟ୍ରାଫିକ୍‌ ଜାମ୍‌ ଦେଖାଉଥିଲା। କାରଣ ଏକା ସାଙ୍ଗରେ ୯୯ଟି ଫୋନର ଲୋକେସନ ସହ ଗୁଗଲ ମ୍ୟାପ ଆକ୍ଟିଭ୍‌ ଥିବାରୁ ଏଭଳି ଦେଖାଇଥିଲା । ସିମୋନ ୱେକର୍ଟ ଯେଉଁ ବାଟ ଦେଇ ଯାଉଥିଲେ, ସେହି ରାସ୍ତାର ଗ୍ରୀନ୍‌ ସିଗନାଲ ଲୋକଙ୍କୁ ରେଡ୍‌ ଦେଖାଉଥିଲା ।

ଏଭଳି କରିବା ପାଇଁ ସିମୋନ ୱେକର୍ଟ ଗୁଗଲ ମ୍ୟାପରେ ମିଳୁଥିବା ସୁବିଧାକୁ ଭିନ୍ନ ବାଟରେ ବ୍ୟବହାର କରିଥିଲେ । କୌଣସି ଅଞ୍ଚଳର ଟ୍ରାଫିକ ସ୍ଥିତି ଲୋକଙ୍କୁ ଜଣାଇବା ପାଇଁ ଗୁଗଲ ମ୍ୟାାପ ସେହି ଅଞ୍ଚଳରେ ଆକ୍ଟିଭ୍‌ ଥିବା ଫୋନର ଲୋକେସନକୁ ବ୍ୟବହାର କରିଥାଏ । ଏହା ଜରିଆରେ ସେହି ଅଞ୍ଚଳର ଟ୍ରାଫିକ୍‌ ସିଗନାଲରେ କେତେ ଲୋକ ଅଛନ୍ତି ସେ ନେଇ ଲୋକମାନଙ୍କୁ ସୂଚନା ଦେଇଥାଏ ଗୁଗଲ ମ୍ୟାପ୍‌ । ଗୁଗଲ ମ୍ୟାପର ଏହି ସୁବିଧାର ଫାଇଦା ଉଠାଇ ସିମୋନ ୱେକର୍ଟ ୯୯ଟି ସ୍ମାର୍ଟଫୋନକୁ ଏକା ସାଙ୍ଗରେ ଧରି ବୁଲିଥିଲେ । ଯାହାଦ୍ୱାରା ଲୋକଙ୍କୁ ଗୁଗଲ ମ୍ୟାପରେ ଟ୍ରାଫିକ ନଥିବା ସ୍ଥାନ ଗୁଡ଼ିକରେ ଟ୍ରାଫିକ୍‌ ଜାମ୍‌ ଅଛି ବୋଲି ଦେଖାଇଥିଲା ।