ସେନାର ୫୬ ଇଂଚ୍ ଛାତି ! ପାକିସ୍ତାନକୁ ଭାରତୀୟ ବାୟୁସେନାର ଧମକ

43

କନକ ବ୍ୟୁରୋ : ପଡୋଶୀ ପାକିସ୍ତାନକୁ ଭାରତୀୟ ବାୟୁସେନାର ସତର୍କବାଣୀ । ସରକାରଙ୍କ ଅନୁମତି ମିଳିଲେ ଯେକୌଣସି ସମୟରେ ପାକିସ୍ତାନର ଆଣବିକ ଘାଟି ଉପରେ ଭାରତୀୟ ବାୟୁସେନା ଆକ୍ରମଣ କରିପାରେ । ଏପରି ଚେତାବନୀ ଦେଇଛନ୍ତି ବାୟୁସେନା ମୁଖ୍ୟ ବିଏସ ଧନୋଆ । ଚୀନର ମୁକାବିଲା ପାଇଁ ଭାରତୀୟ ବାୟୁସେନା ମଧ୍ୟ ସକ୍ଷମ ବୋଲି କହିଛନ୍ତି ବାୟୁସେନା ମୁଖ୍ୟ । ଏକସମୟରେ ଦୁଇ ପକ୍ଷକୁ ମୁକାବିଲା କରିବାକୁ ଦୁଇଟି ସମ୍ମୁଖ ଯୁଦ୍ଧ ଲଢିବାକୁ ଭାରତ ସକ୍ଷମ ବୋଲି ସେ କହିଛନ୍ତି ।

ଭାରତ ପାଇଁ ସବୁଠାରୁ ବଡ ଚିନ୍ତାର କାରଣ ହେଉଛି ପଡୋଶୀ ପାକିସ୍ତାନ । କାରଣ ଆତଙ୍କବାଦୀଙ୍କୁ ଆଶ୍ରୟ ଦେଇ ଭାରତ ମାଟି ଉପରେ ଆକ୍ରମଣ ପାଇଁ ସବୁ ସହାୟତା ଦେଉଥିବା ଏହି ଦେଶ ପାଖରେ ଆଣବିକ କ୍ଷମତା ରହିଛି । ଆଉ ଏହି ଆଣବିକ ବୋମା ଆତଙ୍କବାଦୀଙ୍କ ହାତରେ ବି ପଡିବାର ଆଶଙ୍କା ରହିଛି । ଗୁରୁବାର ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ଭାରତୀୟ ବାୟୁ ସେନାର ମୁଖ୍ୟ ଏୟାର ଚିଫ୍ ମାର୍ଶାଲ କହିଛନ୍ତି ପାକିସ୍ତାନର ନ୍ୟୁକ୍ଲିୟର ସାଇଟସ୍ ବା ଆଣବିକ ଘାଟି ସବୁକୁ ଚିହ୍ନଟ କରି ଆକ୍ରମଣ କରିବାକୁ ଭାରତୀୟ ବାୟୁସେନା ସକ୍ଷମ । ସରକାର ଯଦି ପୁଣି ଥରେ ସର୍ଜିକାଲ ଷ୍ଟ୍ରାଇକ୍ ପାଇଁ ଅନୁମତି ଦିଅନ୍ତି ତେବେ ବାୟୁସେନା ନିମିଷକେ ଏହାକୁ କାର୍ଯ୍ୟକାରୀ କରିବ ।

ପାକିସ୍ତାନ ପରେ ଭାରତର ଆଉ ଏକ ବଡ ଚିନ୍ତା ହେଉଛି ଚୀନ୍ । ଅର୍ଥନୈତିକ ଓ ସାମରିକ ଦୃଷ୍ଟିକୋଣରୁ ବେଶ ସୁଦୃଢ ଥିବା ଏହି ଦେଶ ସହ ଭାରତର ସୀମା ବିବାଦ ଅଛି । ଡୋକଲାମ ଘଟଣା ପରେ ଚୀନ ସହ ଯୁଦ୍ଧ ଆଶଙ୍କାକୁ ଆଉ ଏଡାଇ ଦେଇ ପାରିବ ନାହିଁ ଭାରତ । ଏହି ପରିପ୍ରେକ୍ଷୀରେ ଭାରତୀୟ ବାୟୁ ସେନାର ମୁଖ୍ୟ କହିଛନ୍ତି ଉଭୟ ଚୀନ ଓ ପାକିସ୍ତାନ ସହ ଏକାଥରକେ ଦୁଇଟି ଯୁଦ୍ଧ ଲଢିବାକୁ ସେନା ପାଖରେ ଯଥେଷ୍ଟ କ୍ଷମତା ଅଛି ।

ବାୟୁସେନା ମୁଖ୍ୟ ବିଏସ ଧନୋଆ କହିଛନ୍ତି, ଡୋକଲାମର ଚୁମ୍ବି ଘାଟିରେ ଏବେ ବି ଚୀନ ସେନା ମୁତୟନ ଅଛନ୍ତି । ସେମାନେ ଖୁବଶୀଘ୍ର ଫେରି ଯିବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି । ତେବେ ଏଭଳି ବିବାଦର ସମାଧାନ କୂଟନୈତିକ ସ୍ତରରେ ହୋଇପାରିବ ବୋଲି ବାୟୁସେନା ମୁଖ୍ୟ କହିଛନ୍ତି ।