ବିଜେପୁର ଉପନିର୍ବାଚନ ପାଇଁ ଜୋରଦାର ପ୍ରଚାର! ଲିଡ ରୋଲରେ ନଜର ଆସିବେ ବୁଣାକାର, ଦଳ ନୁହେଁ ପ୍ରାର୍ଥୀଙ୍କୁ ଦିଆଯିବ ଗୁରୁତ୍ୱ

54

କନକ ବ୍ୟୁରୋ : ଆଉ ଦିନ କେଇଟା ପରେ ବିଜେପୁର ଉପ-ନିର୍ବାଚନ । ନିର୍ବାଚନ ଜିତିବା ପାଇଁ ତିନି ପ୍ରମୁଖ ରାଜନୈତିକ ଦଳ ଏବେ ଦିନ ରାତି ଏକ୍ କରି ଦେଇଛନ୍ତି । ଆଉ ଏସବୁ ଭିତରେ ବିଜେପୁର ନିର୍ବାଚନ ମଣ୍ଡଳୀର ପ୍ରମୁଖ ସମସ୍ୟା ଜାଣିବାକୁ ଚେଷ୍ଟା କରିଥିଲା କନକ ନ୍ୟୁଜ୍ ଟିମ୍ । ଚାଷ ଓ ହସ୍ତଶିଳ୍ପ ଉପରେ ନିର୍ଭରଶୀଳ ବିଜେପୁରର ଅର୍ଥନୀତି । ତେବେ କେମିତି ରହିଛି ଏଠିକାର ବୁଣାକାରଙ୍କ ସ୍ଥିତି । ଏହି ନିର୍ବାଚନରୁ କ’ଣ ଆଶା କରନ୍ତି ବିଜେପୁର ଅଂଚଳର ବୁଣାକାର । ଏସବୁ ଦିଗକୁ ନେଇ ସ୍ଥିତି ପରଖିଥିଲା କନକ ନ୍ୟୁଜ ।

waversବର୍ଷ ତମାମ୍, ସକାଳ ପାଇଲେ ବୁଣାକାର ଘରୁ ଶୁଭେ ଠକ୍ ଠକ୍ ସ୍ୱର । ପରିବାର ସମସ୍ତେ ଲାଗି ଯାଆନ୍ତି ନିଜ କୌଳିକ ବୃତିରେ । କିଏ ଶାଢ଼ୀ ବୁଣେ, ତ ଆଉ କିଏ ସିଲାଇ କରେ । ବିଜେପୁର ନିର୍ବାଚନ ମଣ୍ଡଳୀରେ ଆସୁଥିବା, ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜନ୍ମଭୂମୀ ବରପାଲିରେ ଦେଖିବାକୁ ମିଳିଛି ଏଭଳି ଚିତ୍ର । ଏମିତି ନିର୍ବାଚନ ଆସେ ଆଉ ଯାଏ, ହେଲେ ଏହି ବୁଣାକାରଙ୍କ ସ୍ଥିତିରେ କୌଣସି ପରିବର୍ତନ ଆସେନି । ଆଉ ଭାଗ୍ୟକୁ ଆଦରି ନିଜ କାମରେ ମଜ୍ଜି ଯାଆନ୍ତି ବୁଣାକାର । ଏବେ ଯେତେବେଳେ ଜିଏସଟି ଲାଗୁ ହୋଇଛି, ଏମାନଙ୍କ ସ୍ଥିତି ଆହୁରି ସଂଗୀନ୍ ହୋଇଯାଇଛି । ଆଉ ଏବେ ବୁଣାକାର କହୁଛନ୍ତି-ଦଳ ନୁହେଁ ପ୍ରାର୍ଥୀଙ୍କୁ ଦେଖି ଭୋଟ୍ ଦେବେ ।

ଅନ୍ୟପଟେ ଉପ-ନିର୍ବାଚନ ପାଇଁ ଜମୁଛି ପ୍ରଚାର । ବିଜେଡି-ବିଜେପି ଏବଂ କଂଗ୍ରେସ ପ୍ରତିଦ୍ୱନ୍ଦି, ଭୋଟରଙ୍କ ମନ ଜିଣିବା ପାଇଁ ଚଳାଇଛନ୍ତି ଆପ୍ରାଣ ଉଦ୍ୟମ । ବିଜେଡି ପ୍ରାର୍ଥୀ ରିତା ସାହୁ, ମହିଳା ବ୍ରିଗେଡଙ୍କୁ ନେଇ ପ୍ରଚାର ଚଳାଇଥିବା ବେଳେ ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀ, ନେତା ଓ କର୍ମୀଙ୍କୁ ନେଇ ପ୍ରଚାର କରିଛନ୍ତି । ଏପଟେ ବିଜେଡି ଓ ବିଜେପିର ବିଫଳତା ବଖାଣୁଛନ୍ତି-କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁ ।ଏହି ରାଜନୈତିକ ପ୍ରତିଦ୍ୱନ୍ଦ୍ୱିତା ଭିତରେ କିଏ ଜିତୁଛି ବିଜେପୁର ବାଜି ଏବଂ କେଉଁ ଦଳ ବୁଣାକାରଙ୍କ ସ୍ୱାର୍ଥରକ୍ଷା ପାଇଁ ଆଗେଇ ଆସୁଛି ତାହା ଦେଖିବାକୁ ବାକି ରହିଲା ।