ଶଂଖ ଧରିଲେ ପୂର୍ବତନ ପୂର୍ତ ସଚିବ: ସୁପ୍ରିମୋଙ୍କ ଉପସ୍ଥିତିରେ ବିଜେଡିରେ ମିଶିଲେ ନଳିନୀକାନ୍ତ ପ୍ରଧାନ, ଲଢିପାରନ୍ତି ୨୦୧୯ ନିର୍ବାଚନ

ନବୀନ ନିବାସରେ ମିଶ୍ରଣ, ସମ୍ୱଲପୁରରେ କମ୍ପନ

256

କନକ ବ୍ୟୁରୋ: ଇଂଜିନିୟରରୁ ପ୍ରଶାସକ ଓ ପ୍ରଶାସକରୁ ରାଜନେତା ପାଲଟିଛନ୍ତି ନଳିନୀକାନ୍ତ ପ୍ରଧାନ । ଆଜି ନବୀନ ନିବାସରେ ସମର୍ଥକଙ୍କ ପଟୁଆରରେ ଆସି ବିଜେଡିରେ ଯୋଗ ଦେଇଛନ୍ତି ନଳିନୀ । ନଳିନୀଙ୍କ ଯୋଗଦାନ ବିଜେଡିକୁ ଆହୁରି ମଜବୁତ କରିବ ବୋଲି କହିଛନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । ସେପଟେ ସମ୍ବଲପୁର ଲୋକସଭା କିମ୍ବା ଏହା ଅନ୍ତର୍ଗତ ବିଧାନସଭା ଆସନରୁ ନଳିନୀଙ୍କୁ ଟିକେଟ୍ ମିଳିପାରେ ବୋଲି ଚର୍ଚ୍ଚା ହେଉଛି । ଏହାକୁ ନେଇ ସରଗରମ ହେଉଛି ସମ୍ବଲପୁର ରାଜନୀତି ।

ଶଂଖ ଧରିଲେ ପୂର୍ବତନ ପୂର୍ତ ସଚିବ । ନବୀନ ନିବାସରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡିରେ ମିଶିଲେ ନଳିନୀକାନ୍ତ ପ୍ରଧାନ । ବ୍ୟକ୍ତିଗର କାରଣ ଦର୍ଶାଇ ଚାକିରିରୁ ଇସ୍ତଫା ଦେବା ପରେ ପ୍ରତ୍ୟକ୍ଷ ରାଜନୀତିରେ ସାମିଲ ହୋଇଛନ୍ତି ନଳିନୀ । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ଏହାଦ୍ୱାରା ଦଳ ଆହୁରି ମଜବୁତ୍ ହେବ ।

ବିଜେଡିରେ ଯୋଗ ଦେବା ପରେ ନବୀନଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି ନଳିନୀ । ନବୀନ ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ବିଜେଡିରେ ଯୋଗ ଦେବା ପାଇଁ ପୂର୍ବରୁ ସ୍ଥିର କରିଥିଲି ବୋଲି କହିଛନ୍ତି ପ୍ରଶାସକରୁ ରାଜନେତା ପାଲଟିଥିବା ନଳିନୀ ପ୍ରଧାନ । ତେବେ ବିଜେଡିରେ ନଳିନୀ ପ୍ରଧାନ ଯୋଗ ଦେବା ପରେ ରୋଚକ ହୋଇଛି ସମ୍ବଲପୁର ରାଜନୀତି । ଚର୍ଚ୍ଚା ହେଉଛି, ନଗେନ୍ଦ୍ର ପ୍ରଧାନଙ୍କ ସ୍ଥାନରେ ସମ୍ବଲପୁର ଲୋକସଭା ଆସନ କିମ୍ବା ଏହା ଅନ୍ତର୍ଗତ ବିଧାନସଭା ଆସନରୁ ବିଜେଡିରୁ ପ୍ରାର୍ଥୀ ହୋଇପାରନ୍ତି ନଳିନୀ ।

 

ପାୱାର କରିଡରରେ ନଳିନୀଙ୍କର ବେଶ ପ୍ରଭାବ ରହିଥିବା କୁହାଯାଏ । ତେଣୁ ଚର୍ଚ୍ଚା ହେଉଛି ବିଜେଡି ଟିକେଟ୍ ହାତେଇବାରେ ତାଙ୍କୁ ବିଶେଷ ଅସୁବିଧା ହେବ ନାହିଁ । ସେପେଟ ସମ୍ବଲପୁର ଲୋକସଭା ଆସନ ପାଇଁ ବିଜେପି ଜୋରଦାର ରଣନୀତି ପ୍ରସ୍ତୁତ କରୁଛି । ଗତ ନିର୍ବାଚନରେ କଡ଼ା ଟକ୍କର ଦେଇଥିବା ସୁରେଶ ପୂଜାରୀ ଓ ଆରଏସଏସ ଲବିରେ ଥିବା ବିଶ୍ୱରଂଜନ ପୂଜାରୀ ବିଜେପି ଟିକେଟ୍ ରେସରେ ଆଗରେ ରହିଛନ୍ତି । ସେହିପରି କଂଗ୍ରେସ ଟିକେଟ୍ ପାଇଁ ପୂର୍ବତନ ପିସିସି ସଭାପତି ଶରତ ପଟ୍ଟନାୟକ ଓ ପୂର୍ବତନ ସାଂସଦ ଅମର ପ୍ରଧାନ । ହେଭିୱେଟଙ୍କ ଏହି ନିର୍ବାଚନ ମଣ୍ଡଳୀରେ ତାଙ୍କ ରାଜନୈତିକ ଭାଗ୍ୟ ପରୀକ୍ଷା କରିପାରନ୍ତି ନଳିନୀ ପ୍ରଧାନ ।

ରାଜନୀତିର ଏହି କଳ୍ପନାଜଳ୍ପନା ଭିତରେ ନଳିନୀ ପ୍ରଧାନ କେଉଁ ଭୂମିକାରେ ଆସୁଛନ୍ତି, ତାହା ଉପରେ ରହିଛି ସମସ୍ତଙ୍କ ନଜର । ତେବେ ଇଂଜିନିୟରରୁ ପ୍ରଶାସକ ଓ ପ୍ରଶାସକରୁ ରାଜନେତା ପାଲଟିଥିବା ନଳିନୀ ପ୍ରଧାନ ଜଣେ କରିତକର୍ମା ବୋଲି ସମସ୍ତେ ଜାଣିଛନ୍ତି ।