ମଧ୍ୟସି୍ଥ ବାହାର କରିବେ ଅଯୋଧ୍ୟା ବିବାଦର ସମାଧାନର ବାଟ । ମାମଲାରେ ଐତିହାସିକ ନିଷ୍ପତି ନେଇ ୩ ଜଣିଆ ଟିମ୍ ଗଠନ କଲେ ସୁପ୍ରିମକୋର୍ଟ

୪ ସପ୍ତାହ ଭିତରେ ପ୍ରୋଗ୍ରେସ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ

64

କନକ ବ୍ୟୁରୋ: ମଧ୍ୟସି୍ଥ ବାହାର କରିବେ ଅଯୋଧ୍ୟା ବିବାଦର ସମାଧାନର ବାଟ । ମାମଲାରେ ଐତିହାସିକ ନିଷ୍ପତି ନେଇ ୩ ଜଣିଆ ମଧ୍ୟସ୍ଥ ଟିମ୍ ଗଠନ କରଛନ୍ତି ସୁପ୍ରିମକୋର୍ଟ । ଏହି ଟିମରେ ଅଛନ୍ତି ଶ୍ରୀ ଶ୍ରୀ ରବିଶଙ୍କର, ଜଷ୍ଟିସ୍ ଇବ୍ରାହିମ୍ କଲିଫୁଲା ଓ ଶ୍ରୀରାମ ପଂଚୁ । ୮ ସପ୍ତାହ ମଧ୍ୟରେ ସମାଧାନର ରାସ୍ତା ବାହାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ସେପଟେ ସୁପ୍ରିମକୋର୍ଟଙ୍କ ଏପରି ଉଦ୍ୟମ ପରେ ବି ରାଜନୀତି ଥମିବାର ନାଁ ନେଉନାହିଁ ।

ଶ୍ରୀଶ୍ରୀ ରବିଶଙ୍କର । ଅବସରପ୍ରାପ୍ତ ଜଷ୍ଟିସ୍ ଇବ୍ରାହିମ୍ ଖଲିଫୁଲ୍ଲାହ । ବରିଷ୍ଠ ଓକିଲ ଶ୍ରୀରାମ ପଂଚୁ । ଏହି ୩ ବ୍ୟକ୍ତିତ୍ୱଙ୍କ ଉପରେ ଏବେ ନିର୍ଭର କରୁଛି ଅଯୋଧ୍ୟା ବିବାଦ ମାମଲା ସମାଧାନର ବାଟ । କାରଣ ଶୁକ୍ରବାର ହୋଇଥିବା ଶୁଣାଣିରେ ଏହି ୩ ଜଣିଆ ମଧ୍ୟସ୍ଥ କମିଟି ଉପରେ ସମାଧାନର ବାଟ ବାହାର କରିବାକୁ ଦାୟିତ୍ୱ ଛାଡିଛନ୍ତି ସୁପ୍ରିମକୋର୍ଟ । ଆସନ୍ତୁ ନଜର ପକାଇବା ଅଯୋଧ୍ୟା ମାମଲାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ।

-ମଧ୍ୟସ୍ଥ ଜରିଆରେ ହେବ ଅଯୋଧ୍ୟା ମାମଲାର ସମାଧାନ

-ଗଠନ ହେଲା ୩ ସଦସ୍ୟ ବିଶିଷ୍ଟ ମଧ୍ୟସ୍ଥ କମିଟି

-ଶ୍ରୀଶ୍ରୀ ରବିଶଙ୍କର, ଅବସରପ୍ରାପ୍ତ ଜଷ୍ଟିସ୍ ଇବ୍ରାହିମ୍ ଖଲିଫୁଲ୍ଲାହ ଓ ଶ୍ରୀରାମ ପଂଚୁଙ୍କୁ ନେଇ ମଧ୍ୟସ୍ଥ କମିଟି ଗଠନ ହୋଇଛି ।

-ସପ୍ତାହକ ମଧ୍ୟରେ ମଧ୍ୟସ୍ଥଙ୍କୁ ଆଲୋଚନା ଆରମ୍ଭ କରିବାକୁ ନିର୍ଦ୍ଦେଶ

-୮ ସପ୍ତାହ ଭିତରେ ବିବାଦ ସମାଧାନ ପାଇଁ ନିର୍ଦେଶ

-ମିଡିଆ ରିପୋର୍ଟିଂ ଉପରେ ଲାଗିଲା କଟକଣା

ଏଥିସହିତ ପୁରା ଆଲୋଚନାକୁ ଅତି ଗୋପନୀୟ ଭାବେ କରିବାକୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ୧୯୯୨ ମସିହାରୁ ଲାଗି ରହିଛି ରାମ ଜନ୍ମଭୂମି ବାବରୀ ମସଜିଦ୍ ବିବାଦ ମାମଲା । ଅନେକ ଥର ଆପୋଷ ଆଲୋଚନା ଉଦ୍ୟମ ଫେଲ୍ ମାରିଥିବା ବେଳେ , ପୁଣିଥରେ ଏହାର ସମାଧାନ ପାଇଁ ମାମଲାକୁ ମଧ୍ୟସ୍ଥଙ୍କ ପାଖକୁ ପଠାଇ ଦେଇଛନ୍ତି ସୁପ୍ରିମକୋର୍ଟ । ତେବେ ସୁପ୍ରିମକୋର୍ଟଙ୍କ ଏପରି ଉଦ୍ୟମ ପରେ ବି ରାମମନ୍ଦିର ନିର୍ମାଣକୁ ନେଇ ରାଜନୀତି କିନ୍ତୁ ଥମିବାର ନାଁ ଧରୁନି । କେନ୍ଦ୍ରମନ୍ତ୍ରୀ ଉମାଭାରତୀ ସ୍ପଷ୍ଟ କରିଛନ୍ତି , ରାମଙ୍କ ଜନ୍ମସ୍ଥଳିରେ ହିଁ ନିର୍ମାଣ ହେବ ରାମ ମନ୍ଦିର । ସେପଟେ ରବିଶଙ୍କରଙ୍କ ମଧ୍ୟସ୍ଥତା ସଦସ୍ୟତାକୁ ବିରୋଧ କରିଛନ୍ତି ମୁସଲିମ୍ ନେତା ଅସଉଦ୍ଦିନ୍ ଓୱସୀ ।

ଆଗକୁ ଲୋକସଭା ନିର୍ବାଚନ । କୋଟି କୋଟି ଦେଶବାସୀଙ୍କ ଭାବାବେଗ ସହିତ ଜଡିତ ଏହି ସମ୍ୱେଦନଶୀଳ ପ୍ରସଙ୍ଗ ଉପରେ ରହିଛି ସାରାଦେଶବାସୀଙ୍କ ନଜର । ତେବେ ଅପେକ୍ଷା କରିବାକୁ ପଡିବ ଆସନ୍ତା ୮ ସପ୍ତାହ । ଆପୋଷ ଆଲୋଚନାରେ କୋର୍ଟ ବାହାରେ କଣ ଆସୁଛି ସମାଧାନର ବାଟ । ତେବେ ଏପରି ଏକ ସଂବେଦନଶୀଳ ପ୍ରସଙ୍ଗର ମିଡିଆ ରିପୋର୍ଟିଂ ହେବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ସର୍ବୋଚ୍ଚ ଅଦାଲତ ।