ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ ଇବ୍ରାହିମକୁ ଜବରଦସ୍ତ ଝଟକା ! ୪୩ ହଜାର କୋଟି ଟଙ୍କା ଜବତ କଲା ବ୍ରିଟେନ ସରକାର

35

କନକ ବ୍ୟୁରୋ : ଅଣ୍ଡର ୱାର୍ଲ୍ଡ ଡନ ଦାଉଦ ଇବ୍ରାହିମକୁ ଲାଗିଛି ଜବରଦସ୍ତ ଝଟକା । ମିଡିଆ ରିପୋର୍ଟ ଅନୁଯାୟୀ, ବ୍ରିଟେନ ସରକାର ଦାଉଦର ୪୩ ହଜାର କୋଟି ଟଙ୍କା ଜବତ କରିଛି । ଦାଉଦ ବିରୋଧରେ ବ୍ରିଟେନ ସରକାରର ଏଭଳି ପଦକ୍ଷେପ ମୋଦି ସରକାର ପାଇଁ ଏକ ବଡ କୂଟନୈତିକ ବିଜୟ ବୋଲି କୁହାଯାଉଛି । ୨୦୧୫ରେ ଦାଉଦର ସମ୍ପତି ଜବତ କରିବା ପାଇଁ ବ୍ରିଟେନ ସରକାରଙ୍କୁ ନିବେଦନ କରିଥିଲା ଭାରତ ।

ଋିପୋର୍ଟ ଅନୁଯାୟୀ, ବ୍ରିଟେନରେ ଥିବା ଦାଉଦର ଘର ଓ ଅନ୍ୟାନ୍ୟ ସମ୍ପତି ଜବତ କରିଛନ୍ତି ସରକାର । ଫୋବର୍ସ ଅନୁଯାୟୀ, ଦାଉଦ ଦୁନିଆର ଦ୍ୱିତୀୟ ଧନୀ ଅପରାଧୀ ଭାବେ ଜଣାଶୁଣା । ଦାଉଦର ମୋଟ ସମ୍ପତିର ମୂଲ୍ୟ ୬.୭ ବିଲିୟନରୁ ଅଧିକ । ଏସବୁ ଭିତରେ ଦାଉଦର ଅଧିକାଂଶ ସମ୍ପତି ବ୍ରିଟେନରେ ରହିଛି ।

ଗତ ମାସରେ ଅପଡେଟ ଦାଉଦକୁ ହୋଇଥିବା ଇଂଲଣ୍ଡର ଟ୍ରେଜରି ବିଭାଗର ‘କନ୍ସୋଲିଡେଟେଡ୍ ଲିଷ୍ଟ୍ ଅଫ୍ ଫାଇନାନସିଆଲ୍ ସାଙ୍କସନ୍ ଟାର୍ଗେଟ’ ଦାଉଦ ନାମ ଦେଖାଯାଇଥିଲା। ଫାଇନାନସିଆଲ ସାଙ୍କସନରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ପୂର୍ବରୁ ଦାଉଦ ନିଜକୁ ଭାରତୀୟ ବୋଲି ଦର୍ଶାଇବା ସହ ଜନ୍ମସ୍ଥାନ ମହାରାଷ୍ଟ୍ର ବୋଲି ଉଲ୍ଲେଖ କରିଥିଲା । ଏପରିକି ଭାରତୀୟ ପାସପୋର୍ଟ ମଧ୍ୟ ଜବତ କରାଯାଇଥିଲା । ପରେ ଭାରତ ସରକାର ଏହି ପାସପୋର୍ଟକୁ ରଦ୍ଦ କରିଥିଲେ ।

ଏହି ଲିଷ୍ଟରେ ଦାଉଦର ୨୧ଟି ଭିନ୍ନ ଭିନ୍ନ ନାଁ ରହିଥିଲା । ଅବଦୁଲ ଅଜୀଜ, ଅବଦୁଲ ହମିଦ, ଅବଦୁଲ ରେହମାନ, ଇକବାଲ, ଦାଉଦ ମେନନ, ହାଜି ଓ ବଡା ଭାଇ ଭଳି ନାଁରେ ନିଜ ପ୍ରକୃତ ପରିଚୟକୁ ଲୁଚାଉଥିଲା ।
ଦାଉଦ ଇବ୍ରାହିମ ପୂରା ବିଶ୍ୱ ପାଇଁ ଏକ ଆତଙ୍କ । ଅଣ୍ଡର ୱାର୍ଲ୍ଡ ଡନ ଭାବେ ପରିଚିତ ଦାଉଦ ୧୯୯୩ ମୁମ୍ବାଇ ସିରିଜ ବୋମା ବିସ୍ପୋରଣର ମୁଖ୍ୟ ଅଭିଯୁକ୍ତ । ଏହି ବିସ୍ପୋରଣରେ ୨୬୦ ଲୋକ ମୃତ୍ୟୁ ବରଣ କରିବା ସହ ୭୦୦ରୁ ଅଧିକ ଲୋକ ଆହତ ହୋଇଥିଲେ । ଭାରତରେ ରହି ଏତେବଡ ବିସ୍ପୋରଣ କରି ପରେ ପାକିସ୍ତାନକୁ ଖସି ପଳାଇଥିଲା ଦାଉଦ । ସେବାଠାରୁ ପାକିସ୍ତାନର ଛତ୍ରଛାୟା ତଳେ ବିଭିନ୍ନ ସମୟରେ ଭାରତରେ ଆତଙ୍କ ଖେଳାଉଛି ଦାଉଦ । ମୁମ୍ବାଇ ଆକ୍ରମଣର ମୁଖ୍ୟ ପୁରୋଧା ଦାଉଦକୁ ପ୍ରତ୍ୟପଣ କରିବା ପାଇଁ ପାକିସ୍ତାନକୁ ଭାରତ ବାରମ୍ବାର କହୁଛି । କିନ୍ତୁ ପାକିସ୍ତାନ ଭାରତର କଥାକୁ ହେୟଜ୍ଞାନ କରୁଛି । ତା ସହ ଦାଉଦ ପାକିସ୍ତାନରେ ନାହିଁ ବୋଲି ବାରମ୍ବାର ଦାବି କରୁଛି ପାକ୍ ।

ଦାଉଦ ନାଁରେ ଇଣ୍ଟରପୋଲ ନୋଟିସ ଜାରି କରାଯାଇଛି । ତା ସହିତ ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଦାଉଦକୁ ସାମିଲ କରାଯାଇଛି । ଦାଉଦ ଉପରେ ହତ୍ୟା, ଧୋକା, ବିଭିନ୍ନ ଅପରାଧରେ ସଂପୃକ୍ତି ଅଭିଯୋଗ ରହିଛି । ତା ଛଡା ଆମେରିକା ୨୦୦୩ରେ ଦାଉଦକୁ ଆତଙ୍କବାଦୀ ଭାବେ ଘୋଷଣା କରିଛି ।