ଅଗ୍ନିପରୀକ୍ଷା ହେବ ବିଜେପୁର ! ନେତାଙ୍କୁ ନେଇ ନବୀନଙ୍କ ବୈଠକ, ଶାହାଙ୍କ ରଣନୀତିର ଅସଲ ପରୀକ୍ଷା . . କଂଗ୍ରେସ ପାଇଁ ସମ୍ମାନର ପ୍ରଶ୍ନ

84

କନକ ବ୍ୟୁରୋ : ବିଜେପୁର ଉପନିର୍ବାଚନ ପାଇଁ ବିଗୁଲ ବାଜିନି, ହେଲେ ରାଜନୈତିକ ସ୍ତରରେ ରଣନୀତି ତିଆରି ଆରମ୍ଭ ହୋଇଛି । ଆଗରେ ଅଛି ଶାସକ ବିଜେଡି । ନବୀନ ନିବାସରେ ଆଜି ବରଗଡ ପର୍ଯବେକ୍ଷକଙ୍କ ସମେତ ଜିଲ୍ଲାର ଟାଣୁଆ ନେତାଙ୍କୁ ନେଇ ନବୀନ କରିଥିଲେ ପ୍ରସ୍ତୁତି ବୈଠକ । ସୂଚନା ଅନୁସାରେ, ଦଳ କାହାକୁ ପ୍ରାର୍ଥୀ କରିବ ଓ କିଭଳି ନିର୍ବାଚନ ଲଢିବ ସେନେଇ ପ୍ରାରମ୍ଭିକ ଆଲୋଚନା ସରିଛି । ବୈଠକରେ ବରଗଡ ଜିଲ୍ଲାର ମନ୍ତ୍ରୀ, ସାଂସଦ ଓ ବିଧାୟକ ସାମିଲ ହୋଇଥିଲେ ।

 ବରଗଡ ଜିଲ୍ଲାରେ ବିଜେଡିର ସ୍ଥିତି ନେଇ ଆଲୋଚନା ହୋଇଥିବା ବରଗଡ ଜିଲ୍ଲା ସଭାପତି ବିଜୟ ରଂଜନ ସିଂହ ବରିହା ସୂଚନା ଦେଇଛନ୍ତି । ଏଯାଏଁ ବିଜେପୁର ଉପନିର୍ବାଚନ ନେଇ ବିଜ୍ଞପ୍ତି ପ୍ରକାଶ ପାଇନି । ନିର୍ବାଚନ ପାଇଁ ବିଜେଡି ସବୁବେଳେ ପ୍ରସ୍ତୁତ ବୋଲି ଜିଲ୍ଲା ସଭାପତି କହିଛନ୍ତିି । ଏହାସହ ସୁବଳ ସାହୁଙ୍କ ପରିବାର ବିଜେଡିରେ ମିଶିବା ନେଇ କୌଣସି ଆଲୋଚନା ହୋଇନାହିଁ ଏବଂ ଦଳକୁ କିଏ ଆସିବେ ତାହା ବିଜେଡି ସୁପ୍ରିମୋ ନିଷ୍ପତି ନେବେ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି ବିଜୟ ରଂଜନ ସିଂହ ବରିହା । ଗତ କିଛି ଦିନ ଧରି ଚର୍ଚ୍ଚା ଚାଲିଛି, ସୁବଳ ସାହୁଙ୍କ ପରିବାରକୁ ବିଜେଡିରେ ମିଶାଇ ତାଙ୍କ ପରିବାରରୁ ଜଣକୁ ପ୍ରାର୍ଥୀ କରିପାରେ ବିଜେଡି । ଏଭଳି ରଣନୀତି ଉପରେ ପ୍ରାରମ୍ଭିକ ସ୍ତରରେ ଆଲୋଚନା ହୋଇଥିବା ବିଶ୍ୱସ୍ତ ସୁତ୍ରରୁ ଜଣାପଡିଛି ।

ପଂଚାୟତ ନିର୍ବାଚନରେ ବିଜେପି ବରଗଡ ଜିଲ୍ଲା ଦଖଲ କରିଥିବାରୁ ଉପନିର୍ବାଚନକୁ ହାଲକା ଭାବେ ନେଉନାହିଁ ଶାସକ ବିଜେଡି । ସୁବଳ ସାହୁଙ୍କ ପରିବାରରୁ ଜଣଙ୍କୁ ପ୍ରାର୍ଥୀ କରି ଅନୁକମ୍ପା ଭୋଟକୁ ହାତେଇବାକୁ ଦଳ ଚିନ୍ତା କରୁଥିବା ଜଣାପଡିଛି । ତେବେ ଏବାବଦରେ ଦଳର କୈାଣସି ନେତା ମୁହଁ ଖୋଲିବାକୁ ପ୍ରସ୍ତୁତ ନାହାନ୍ତି । ୨୦୧୪ ନିର୍ବାଚନରେ ଏହି ଆସନରୁ ପ୍ରାର୍ଥୀ ଥିବା ପ୍ରସନ୍ନ ଆଚାର୍ଯ୍ୟ ଏବେ ରାଜ୍ୟସଭା ସାଂସଦ । ତେବେ ତାଙ୍କୁ ନେଇ ନବୀନ ଗୋଟିଚାଳନା କରିବେ କି ନାହିଁ, ତାକୁ ନେଇ ମଧ୍ୟ ଦ୍ୱନ୍ଦ୍ୱ ଲାଗିରହିଛି ।

ବିଜେପୁର ପାଲଟିବ ରାଜ୍ୟ ରାଜନୀତିର ବ୍ୟାଟଲ ଗ୍ରାଉଣ୍ଡ । ସାଧାରଣ ନିର୍ବାଚନ ଆହୁରି ୨୦ ମାସ ଥିବା ବେଳେ ଉପ ନିର୍ବାଚନ ପାଇଁ ତତଲା ପବନ ବହିବା ଆରମ୍ଭ କଲାଣି । ରାଜନୈତିକ ଅଙ୍କକଷା ସହ ପ୍ରତି ରାଜନୈତିକ ଦଳ ଭିତିରିଆ ଗୋଟିଚାଳନା ଆରମ୍ଭ କରିଥିବା ଚର୍ଚ୍ଚା ଜୋରଧରିଛି । ଯେଉଁ ଆସନ ପାଇଁ ଉପ ନିର୍ବାଚନ ହେବ ତାହା ଥିଲା କଂଗ୍ରେସ ଗଡ । ଲଗାତର ଏହି ଆସନରୁ ତିନିଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ ସୁବଳ । ତେଣୁ କଂଗ୍ରେସ ପାଇଁ ଏହି ନିର୍ବାଚନ ଯେତିକି ଗୁରୁତ୍ୱପୁର୍ଣ୍ଣ ତାଠାରୁ ଅଧିକ ମହତ୍ତ୍ୱ ରଖୁଛି ବିଜେଡି ଓ ବିଜେପି ପାଇଁ ।

କାହିଁକି ଗୁରୁତ୍ୱପୂର୍ଣ୍ଣ ବିଜେପୁର?

୨୦୦୪, ୨୦୦୯ ଓ ୨୦୧୪ ଲଗାତର ତିନିଥର କଂଗ୍ରେସ ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ସୁବଳ ସାହୁ । ୨୦୧୪ରେ ଯେତେବେଳେ ସାରା ଦେଶରେ କଂଗ୍ରେସ ବିରୋଧୀ ହାୱା ବୋହୁଥିଲେ ସେତେବେଳେ ବିଜେଡି ହେଭିୱେଟ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ୪୫୮ ଭୋଟରେ ହରାଇ ବିଧାନସଭାକୁ ନିର୍ବାଚିତ ହୋଇ ନିଜ ଦବଦବାକୁ ଜାହିର କରିଥିଲେ । ଏହାରି ଭିତରେ ରାଜ୍ୟ ରାଜନୀତିର ସମୀକରଣ ବଦଳିଛି । ୧ ନମ୍ବର ଦଳ ଯଦିଓ ବିଜେଡି ରହିଛି, ତେବେ କଂଗ୍ରେସକୁ ଦୁଇ ନମ୍ବର ସ୍ଥାନରୁ ହଟାଇ ବିଜେପି ସେହି ସ୍ଥାନ ଦଖଲ କରିଛି । ପଂଚାୟତ ନିର୍ବାଚନ ପରେ ଏହି ରାଜନୈତିକ ସମୀକରଣ, ବିଜେପୁର ଉପନିର୍ବାଚନର ଗୁରୁତ୍ୱକୁ ବଢାଇଦେଇଛି ।

ଗତ ଫେବୃୟାରୀ ମାସରେ ହୋଇଥିବା ପଂଚାୟତ ନିର୍ବାଚନ ରାଜ୍ୟ ରାଜନୀତିରେ ଅନେକ କିଛି ପରିବର୍ତ୍ତନ ଆଣିଛି । ରାଜ୍ୟରେ ୨ ନମ୍ବର ଦଳ ହୋଇଛି ବିଜେପି । ରାଜ୍ୟ ରାଜନୀତିରେ ପ୍ରଥମ ଥର ପାଇଁ କଂଗ୍ରେସ ୩ ନମ୍ବର ସ୍ଥାନକୁ ଖସିଛି । ରାଜ୍ୟ ରାଜନୀତିରେ, ବିଜେଡି ପାଇଁ ବିଜେପି ଆଡୁ ଅଧିକ ବିପଦ ଥିବା ସମୀକ୍ଷକ ଲଗାତର ମତ ଦେଉଛନ୍ତି । ତେଣୁ ହେବାକୁ ଥିବା ଉପନିର୍ବାଚନ ସମସ୍ତଙ୍କ ପାଇଁ ବଡ ଚାଲେଂଜ ଆଣିଛି । ପଂଚାୟତ ନିର୍ବାଚନରେ ୪୭୩ ଆସନ ସହ ୧ ନମ୍ବର ଦଳ ବିଜେଡି । ତେବେ ବଡ କଥା ହେଉଛି, ୨୦୧୨ ତୁଳନାରେ ୨୫% ଆସନ ଦଳ ହରାଇଥିଲା । ୨୯୭ ଆସନରେ ବାଜିମାତ୍ କଲା ବିଜେପି । ୨୦୧୨ ତୁଳନାରେ ବିଜେପି ୯ ଗୁଣା ଅଧିକ ଆସନ ପାଇଲା । ହେଲେ କଂଗ୍ରେସ ମାତ୍ର ୬୦ ଆସନରେ ଜିତିବାକୁ ସକ୍ଷମ ହେଲା । ୨୦୧୨ ତୁଳନାରେ କଂଗ୍ରେସ ଅଧାରୁ ଅଧିକ ଆସନ ହରାଇଲା । ତେଣୁ ବିଜେପୁର ଉପ ନିର୍ବାଚନ ଏବେ ସମସ୍ତଙ୍କୁ ନିଜ ପତିଆରା ପ୍ରଦର୍ଶନ ପାଇଁ ମୌକା ଆଣିଦେଇଛି ।

କଂଗ୍ରେସ ପାଇଁ ସମ୍ମାନର ପ୍ରଶ୍ନ

congress-main1ବିଜେପୁରକୁ କଂଗ୍ରେସର ଗଡ ଭାବେ ପରିଣତ କରିଥିଲେ ସୁବଳ ସାହୁ । ଲଗାତ ତିନି ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ୨୦୦୪ରେ ମେଂଟରେ ଲଢିଥିଲେ ବିଜେଡି ଓ ବିଜେପି । ୨୦୦୯ ଓ ୨୦୧୪ରେ ଅଲଗା ଅଲଗା ଲଢିଥିଲେ । ତଥାପି ମଧ୍ୟ ସୁବଳଙ୍କୁ ଚାଲେଂଜ ଦେବାରେ ସକ୍ଷମ ହୋଇନଥିଲେ । ତେଣୁ ନିଜ ଗଡ ବଂଚାଇବାକୁ କଂଗ୍ରେସ ସମର୍ଥ ହେଉଛି କି ନାହିଁ, ତାହା ଏବେ ସବୁଠାରୁ ବଡ ପ୍ରଶ୍ନ । ରାଜ୍ୟରେ କଂଗ୍ରେସ ଏବେ ନେତୃତ୍ୱ କନ୍ଦଳ ଦେଇ ଗତିକରୁଛି । ଦଳଭିତରେ ସବୁକିଛି ଠିକ ନଥିବା ସ୍ପଷ୍ଟ ଭାବେ ଜଣାପଡୁଛି । ପିସିସି ପରିବର୍ତ୍ତନର ହାୱା ଜୋରେ ବହୁଛି । ତେଣୁ ଅସଜଡା ଘର ଆଉ ସଂଗଠନକୁ ଧରି କଂଗ୍ରେସ କିଭଳି ନିର୍ବାଚନକୁ ସାମ୍ନା କରିବ, ଏବେ ଏହା ବଡ ପ୍ରଶ୍ନ ।

ଉପନିର୍ବାଚନ ବେଳକୁ କଂଗ୍ରେସ ମୁଖିଆ ପରିବର୍ତ୍ତନ ହୋଇଥିବା ଏକପ୍ରକାର ସ୍ପଷ୍ଟ । କାରଣ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଏହାରି ଭିତରେ ହାଇକମାଣ୍ଡଙ୍କୁ ନିଜ ରିପୋର୍ଟ ଦେଇ ସାରିଛନ୍ତି । ଖୁବଶୀଘ୍ର ରାଜ୍ୟ କଂଗ୍ରେସରେ ନେତୃତ୍ୱ ବଦଳିଥିବେ । ଅର୍ଥାତ୍ ନୁଆ କପ୍ତାନଙ୍କୁ ଧରି କଂଗ୍ରେସ ରାଜନୀତିର ମୈଦାନକୁ ଓହ୍ଲାଇବ । ତେବେ ବଡ ପ୍ରଶ୍ନ ହେଉଛି, ଖେଳାଳିଙ୍କୁ କପ୍ତାନ ପ୍ରଥମେ ଏକାଠି କରିପାରିବେ ତ? କାରଣ ପିସିସି କ୍ଷମତା ହାତେଇବାକୁ ନାନା ଗୋଷ୍ଠୀ ଉଦ୍ୟମ ଅବ୍ୟାହତ ରଖିଛନ୍ତି । ସେଦୃଷ୍ଟିରୁ ଯିଏ ପିସିସି ସଭାପତି ହୁଅନ୍ତୁ ନା କାହିଁକି ବିଜେପୁର ହେବ ତାଙ୍କ ପାଇଁ ଏସିଡ ଟେଷ୍ଟ । କାରଣ ଗୋଟିଏ ପଟେ ଅନୁକମ୍ପା ଭୋଟ୍ ଆଉ ଅନ୍ୟପଟେ ରାଜନୈତିକ ଗୋଟିଚାଳନା, ଏହାରି ଭିତରେ ସନ୍ତୁଳନ ରକ୍ଷା କରି ଦଳ ନିଜ ଭୋଟ ବ୍ୟାଙ୍କକୁ ଏକାଠି ରଖିପାରୁଛି ନା ନାହିଁ, ତାହା ବଡ ଆହ୍ୱାନର ବିଷୟ ପାଲଟିବ ନୁଆ ସଭାପତିଙ୍କ ପାଇଁ । ଯଦି କୈାଣସି ବି ପରିସ୍ଥିତିରେ କଂଗ୍ରେସ ଏହି ଆସନ ହରାଉଛି ତେବେ ଆଗାମୀ ଦିନରେ ଅର୍ଥାତ୍ ସାଧାରଣ ନିର୍ବାଚନ ବେଳକୁ କଂଗ୍ରେସ କେବଳ ଚର୍ଚ୍ଚାରେ ରହିବ ବୋଲି ମତ ଦେଇଛନ୍ତି ରାଜନୈତିକ ସମୀକ୍ଷକ । ବିଜେପୁର ଉପନିର୍ବାଚନ ସଂକେତ ଦେବ ଆଗାମୀ ଦିନରେ ଦଳୀୟ ରାଜନୀତି କୁଆଡୁ ଯିବ ।

ବିଜେପି ପାଇଁ ଚାଲେଂଜ

bjp 1ସେହିଭଳି ଏହି ଉପ ନିର୍ବାଚନ ବିଜେପି ପାଇଁ ମଧ୍ୟ ମହତ୍ୱପୁର୍ଣ୍ଣ । କାରଣ ରାଜ୍ୟରେ ରାଜନୈତିକ ଶକ୍ତି ବୃଦ୍ଧି କରି ଆଗାମୀ ଦିନରେ ସରକାର ଗଠନ କରିବାକୁ ଲକ୍ଷ ରଖୁଥିବା ଏହି ଦଳକୁ ଲୋକେ କିଭଳି ଗ୍ରହଣ କରୁଛନ୍ତି, ତାର ମଧ୍ୟ ଫଇସଲା କରିବ ଏହି ଉପ ନିର୍ବାଚନ । ରାଜ୍ୟରେ ୧୨୦ ଆସନ ଜିତିବାର ଦୃଢୋକ୍ତି ଦେଇ ଯାଇଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ରାଜ୍ୟ କାର୍ଯ୍ୟକାରିଣୀ ବେଳେ ୧୨୦ ଆସନ ଜିତିବାକୁ ରୋଡମ୍ୟାପ ତିଆରି ହେଲା । ୩ ଦିନିଆ ଓଡିଶା ଗସ୍ତରେ ଆସି ରୀତିମତ ନେତାଙ୍କୁ ପାଠ ପଢାଇଲେ ଅମିତ ଶାହା । ଆଉ ଯାହାର ପରୀକ୍ଷା ପାଇଁ ମୈଦାନ ହେବ ବରଗଡ । ଜିଲ୍ଲା ପରିଷଦ ନିର୍ବାଚନରେ ଏହି ଅଂଚଳରେ ନିଜ ଦବଦବା ଜାହିର କରିଥିଲା ଭାରତୀୟ ଜନତା ପାର୍ଟି । ସେହି ଦୃଷ୍ଟିକୋଣରୁ ଏହା ବିଜେପି ପାଇଁ ମଧ୍ୟ ଏସିଡ ଟେଷ୍ଟ ହେବ । ଯାହା ଆଗାମୀ ଦିନରେ ବିଜେପିର ଦିଶା ଆଉ ଦଶା ନିର୍ଦ୍ଧାରଣ କରିବ ।

ବରଗଡ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଏହି ବିଧାନସଭା ନିର୍ବାଚନ ମଣ୍ଡଳୀ ଏବେ ପାଲଟିବ ସବୁ ରାଜନୈତିକ ଦଳଙ୍କ ପାଇଁ ସମ୍ମାନର ପ୍ରଶ୍ନ । ବିଜେପିର ନୁଆ ରଣନୀତିର ପ୍ରଥମ ପ୍ରୟୋଗଶାଳା ହେବ ବିଜେପୁର । ଲୋକସଭା ନିର୍ବାଚନ ମଣ୍ଡଳୀର ଦାୟିତ୍ୱ ନେତାଙ୍କ ହାତରେ ବାଂଟି ବିଜେପି ସଫଳତା ପାଇବାକୁ ଗୋଟିଚାଳନା କରିଛି । ଏହି କ୍ରମରେ ବରଗଡ ଦାୟିତ୍ୱରେ ଅଛନ୍ତି କେନ୍ଦ୍ରୀୟ ନେତା ଅନୀଲ ଜୈନ । କେନ୍ଦ୍ରୀୟ ସ୍ତରର ନେତା ମଧ୍ୟ ଭାରତୀୟ ଜନତା ପାର୍ଟି ପାଇଁ ଏକ ବଡ ଭୁମିକାରେ ଆସିବେ, ଏହା ସହଜରେ ଅନୁମେୟ । ଯେତେବେଳେ ଦଳ ୨୦୧୯ରେ କ୍ଷମତାକୁ ଆସିବାକୁ ଲକ୍ଷ ରଖିଛି ଓ ନବୀନ ସରକାରଙ୍କ ସ୍ଥାଣୁ ଓ ଅପାରଗତା ବିରୋଧରେ ଲଢେଇ ଜାରି ରଖିଛି ଠିକ ସେହି ସମୟରେ ବିଜେପୁର ଆସନ ହେବ ଅସଲ ପରୀକ୍ଷା । ଦଳ ଖାଲି ହାୱା ତିଆରି କରୁଛି, ନା ବାସ୍ତବତାରେ ବିଜେପି ପାଇଁ ବାତାବରଣ ତିଆରି ହେଉଛି, ଏହାର ସ୍ପଷ୍ଟ ବାର୍ତ୍ତା ମିଳିବ ଏହି ଉପନିର୍ବାଚନରୁ ।

ବିଜେଡି ପାଇଁ ଆହ୍ୱାନ

bjd 1ସେହିଭଳି ଶାସକ ବିଜେଡି ପାଇଁ ମଧ୍ୟ ଏହା ଆହ୍ୱାନ ଆଣିବ । କାରଣ ରାଜ୍ୟରେ ଦଳର ଲୋକପ୍ରିୟତା କମୁଥିବା କଥା ଚର୍ଚ୍ଚା ହେଉଛି । ଲଗାତର ଭାବେ ଏହି ଦିଗକୁ ଟାର୍ଗେଟ କରି ଆସୁଛନ୍ତି ଅନ୍ୟ ରାଜନୈତିକ ଦଳ । ତେଣୁ ଶାସକ ଦଳ ନିଜ ଦବଦବା ବଜାୟ ରଖିପାରୁଛି କି ନାହିଁ, ତାହା ମଧ୍ୟ ଏହି ଉପ ନିର୍ବାଚନ ନିର୍ଦ୍ଧାରଣ କରିବ । ବରଗଡରେ ଦଳର ପ୍ରଦର୍ଶନ ପଂଚାୟତ ନିର୍ବାଚନରେ ଠିକ ନଥିଲା । ତେଣୁ ଆଗାମୀ ଦିନରେ ଦଳ ନିଜ ଲୋକପ୍ରିୟତାକୁ ପ୍ରମାଣିତ କରିବାକୁ ଏହାକୁ ମାଧ୍ୟମ କରିପାରେ ।

ପଂଚାୟତ ନିର୍ବାଚନ ପରେ ଯଦିଓ ଦଳ ଅନେକ ସ୍ଥାନରେ ହୋଇଥିବା ଉପନିର୍ବାଚନରେ ବାଜିମାତ କରିଛି, ତେବେ ଏହା ହେବ ଅସଲ ପରୀକ୍ଷା । କାରଣ ସମସ୍ତ ରାଜନୈତିକ ଦଳ ଏହି ନିର୍ବାଚନ ଉପରେ ଫୋକସ କରିବେ । କଂଗ୍ରେସ ନିଜ ଗଡ ବଂଚାଇବାକୁ ଉଦ୍ୟମ କରିବାକୁ ଥିବା ବେଳେ ବିଜେପି ଧସେଇ ପଶିବାକୁ ଉଦ୍ୟମ କରିବ । ତେଣୁ ୧୭ ବର୍ଷ ପରେ ବି ନବୀନଙ୍କ ଭବମୁର୍ତ୍ତି ମଳିନ ହୋଇନି, ଆଜି ବି ବିଜେଡି ମୁଖିଆଙ୍କର ଲୋକପ୍ରିୟତା ଶୀର୍ଷରେ ରହିଛି, ଏହା ପ୍ରମାଣିତ କରିବାକୁ ଉପନିର୍ବାଚନ ଏକ ଅବସର ନେଇ ଆସିଛି । ତେଣୁ ଶାସକ ଦଳ ଏହାକୁ ମାଧ୍ୟମ କରି ୨୦୧୯ ପୁର୍ବରୁ ବିଜେପିକୁ କଡା ସନ୍ଦେଶ ଦେବାକୁ ଗୋଟିଚାଳନା କରିବ ।
ଅଗ୍ନିପରୀକ୍ଷା ହେବ ଉପନିର୍ବାଚନ

ମୋଟାମୋଟି ଦେଖିବାକୁ ଗଲେ ଏହା ସିନା ଗୋଟିଏ ଉପନିର୍ବାଚନ, ହେଲେ ତିନି ରାଜନୈତିକ ଦଳ ପାଇଁ ଏହା ଅଗ୍ନି ପରୀକ୍ଷା । ବିଜେଡି, ବିଜେପି ଓ କଂଗ୍ରେସର ଭାଗ୍ୟ ଏହା ନିର୍ଦ୍ଧାରଣ କରିବ । ଯାହା ସଂକେତ ମଧ୍ୟ ଦେବ ଓଡିଶାର ମୁଡ୍ କଣ ଏବଂ ଆଗାମୀ ଦିନରେ ରାଜ୍ୟ ରାଜନୀତି କୁଆଡେ ଯାଇପାରେ ତାର ସଂକେତ ମଧ୍ୟ ଏହି ଉପ ନିର୍ବାଚନରୁ ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି । ଭୋଟ୍ ଯାହା ହେବ ସେହି ଅନୁସାରେ ୨୦୧୯ ପାଇଁ ରାଜନୀତିର ଚର୍ଚ୍ଚା ଆରମ୍ଭ ହେବ ।

ବିଜେପୁର ଗଣିତ

political୨୦୦୪ରେ ଏହି ଆସନରୁ ଲଢିଥିଲେ ୮ ଜଣ ପ୍ରାର୍ଥୀ । ସେତେବେଳେ ରାଜ୍ୟରେ ଥିଲା ବିଜେଡି-ବିଜେପି ମେଂଟ । କଂଗ୍ରେସ ଟିକେଟରୁ ଲଢିଥିଲେ ସୁବଳ ସାହୁ । ଆଉ ବିଜେଡିର ପ୍ରାର୍ଥୀ ହୋଇଥିଲେ ଅଶୋକ କୁମାର ପାଣିଗ୍ରାହୀ । ସୁବଳ ସାହୁ ପାଇଥିଲେ ୬୬ ହଜାର ୪୦୭ ଭୋଟ ଆଉ ବିଜେଡି ପ୍ରାର୍ଥୀ ପାଇଥିଲେ ୪୪ ହଜାର ୪୮୯ ଭୋଟ । ବିଜେଡି ପ୍ରାର୍ଥୀଙ୍କୁ ପରାସ୍ତ କରି ବିଧାନସଭାରେ ପ୍ରବେଶ କରିଥିଲେ ସୁବଳ ସାହୁ ।

୨୦୦୯ରେ ଏହି ଆସନରୁ ଲଢିଥିଲେ ୭ ଜଣ ପ୍ରାର୍ଥୀ । ଏହି ସମୟ ବେଳକୁ ଭାଙ୍ଗିଯାଇଥିଲେ ବିଜେଡି ବିଜେପି ମେଂଟ । କଂଗ୍ରେସରୁ ପ୍ରାର୍ଥୀ ହୋଇଥିଲେ ସୁବଳ ସାହୁ, ବିଜେଡିରୁ ପ୍ରଭାତ ଆଦିତ୍ୟ ମିଶ୍ର ଓ ବିଜେପିରୁ ମହମ୍ମଦ ରଫିକ୍ । ହେଲେ ପୁଣି ଚାଲିଥିଲା ସୁବଳ ସାହୁଙ୍କ ଯାଦୁ । ସୁବଳ ପାଇଥିଲେ ୫୬ ହଜାର ୮୬୪ ଭୋଟ । ବିଜେଡି ପାଇଥିଲା ୪୭ ହଜାର ୮୯୩ ଓ ବିଜେପି ପାଖକୁ ଯାଇଥିଲା ୧୯ ହଜାର ୪୯୩ ଭୋଟ । ବିଜେଡି ଓ ବିଜେପିକୁ ମାତ ଦେଇ ଦ୍ୱିତୀୟ ଥର ପାଇଁ ବିଧାନସଭା ଆସିଥିଲେ ସୁବଳ ସାହୁ ।

୨୦୧୪ରେ ସାରା ଦେଶରେ ମୋଦି ହାୱା ବହୁଥାଏ ଓ କଂଗ୍ରେସର ଏକ ନକରାତ୍ମକ ଚିତ୍ର ଭୋଟରଙ୍କ ସାମ୍ନାରେ ଥାଏ । ଏଭଳି ସ୍ଥିତିରେ ନିର୍ବାଚନୀ ମୈଦାନକୁ ଓହ୍ଲାଇଥିଲେ ସୁବଳ ସାହୁ । କଂଗ୍ରେସରୁ ଲଗାତର ତୃତୀୟ ଥର ପାଇଁ ସେ ହୋଇଥିଲେ ପ୍ରାର୍ଥୀ । ଆଉ ବିଜେଡି ନିଜର ବଡ କାର୍ଡ ଖେଳିଥିଲା ସୁବଳ ସାହୁଙ୍କ ବିରୋଧରେ । ନବୀନଙ୍କ କ୍ୟାବିନେଟରେ ଅର୍ଥମନ୍ତ୍ରୀ ଥିବା ତଥା ପଶ୍ଚିମ ଓଡିଶାର ଟାଣୁଆ ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ମୈ÷ଦାନକୁ ଓହ୍ଲାଇଲେ ନବୀନ । ଆଉ ବିଜେପି ପ୍ରାର୍ଥୀ କରିଥିଲା ଜୟ ଶଙ୍କର ପଟ୍ଟନାୟକଙ୍କୁ । ହେଲେ ତମାମ ଗୋଟିଚାଳନା ଓ ମୋଦି ହାୱାକୁ ମାତ ଦେଇ ତୃତୀୟ ଥର ପାଇଁ ବିଧାନସଭାକୁ ନିର୍ବାଚିତ ହେଲେ ସୁବଳ ସାହୁ । ଲଢେଇ ଜୋରଦାର ଥିଲେ ବି କଂଗ୍ରେସ ବାଜି ମାରିନେଇଥିଲା । ସୁବଳ ସାହୁ ପାଇଥିଲେ ୫୩ ହଜାର ୨୯୦ ଭୋଟ । ପ୍ରସନ୍ନ ଆଚାର୍ଯ୍ୟଙ୍କୁ ୫୨ ହଜାର ୮୩୨ ଭୋଟ ମିଳିଥିବା ବେଳେ ଜୟ ଶଙ୍କର ପଟ୍ଟନାୟକଙ୍କୁ ମିଳିଥିଲା ୩୦ ହଜାର ୧ ଭୋଟ ।

ପଂଚାୟତ ଭୋଟ ପରେ...

panchayat pollପଂଚାୟତ ନିର୍ବାଚନରେ ବରଗଡ ଜିଲ୍ଲାରେ ନିଜ ପତିଆରା ପ୍ରଦର୍ଶନ କରିଥିଲା ଭାରତୀୟ ଜନତା ପାର୍ଟି । ଶାସକ ବିଜେଡି ମାତ୍ର ୯ଟି ଜୋନରେ ବାଜିମାତ କରିଥିବା ବେଳେ ବାକି ସବୁ ଅର୍ଥାତ୍ ୨୫ଟି ଜୋନରେ ଫୁଟିଥିଲା ପଦ୍ମ । ଜିଲ୍ଲା ପରିଷଦ ଗଠନ କରିଥିଲା ବିଜେପି । ୨୦୧୨ରେ ଏଠି ବିଜୁ ଜନତା ଦଳ ଜିଲ୍ଲା ପରିଷଦ ଗଠନ କରିଥିଲା ହେଲେ ୨୦୧୭ରେ ଏହାକୁ ବିଜେପି ଛଡାଇ ଆଣିଥିଲା । ତେଣୁ ଏହି ବାତାବରଣ ପୁଣି ଥରେ ଭାରତୀୟ ଜନତା ପାର୍ଟି ପାଇଁ ବଜାୟ ରହୁଛି ନା ଶାସକ ବିଜେଡି କମବ୍ୟାକ୍ କରିବାରେ ସଫଳ ହେଉଛି ଏବେ ତା ଉପରେ ସମସ୍ତଙ୍କ ନଜର । ହେଲେ ବଡ କଥା ହେଉଛି, ଅନୁକମ୍ପା ଭୋଟ ରହିବ କଂଗ୍ରେସ ସପକ୍ଷରେ । ଯାହାକୁ ନେଇ ଶୀର୍ଷ ସ୍ତରର ନତୋଙ୍କ ଭିତରେ ମାନସ ମନ୍ଥନ ଆରମ୍ଭ ହୋଇଛି ।

ବରଗଡ ଜିଲ୍ଲା ଅଧୀନରେ ଆସୁଛି ୫ଟି ବିଧାନସଭା ନିର୍ବାଚନ ମଣ୍ଡଳୀ । ଭଟଲୀ, ଅତାବିରା, ବିଜେପୁର, ବରଗଡ ଓ ପଦମପୁର । ଏହି ସବୁ ଆସନରୁ ଶାସକ ବିଜେଡି ହାତରେ ରହିଛି ୩ଟି ଆସନ । କଂଗ୍ରେସ ହାତରେ ଗୋଟିଏ ଓ ବିଜେପି ହାତରେ ଥିଲା ଗୋଟିଏ । ଜିଲ୍ଲାରୁ ଅଛନ୍ତି ଦୁଇ ଦୁଇ ଜଣ ମନ୍ତ୍ରୀ । ସୁଶାନ୍ତ ସିଂ ଓ ସ୍ନେହାଙ୍ଗିନୀ ଛୁରିଆ ନବୀନଙ୍କ ମନ୍ତ୍ରୀମଣ୍ଡଳରେ ସାମିଲ ଅଛନ୍ତି । ତେଣୁ ଶାସକ ବିଜେଡି ଏଠି ନିଜ ଦବଦବା ଜାହିର କରିବାକୁ ଉଦ୍ୟମ କରିବ । ସେପଟେ ଛତିଶଗଡର ପ୍ରଭାବ ବିଜେପି ପାଇଁ ଫାଇଦା ଅଣିପାରେ, ଯାହା ପଂଚାୟତ ନିର୍ବାଚନ ସମୟରେ ମଧ୍ୟ ଦେଖିବାକୁ ମିଳିଥିଲା । ତେଣୁ ଏହି ଫ୍ୟାକ୍ଟର ବିଜେପିକୁ ସହାୟକ ହୋଇପାରେ ବୋଲି ଅନୁମାନ କରାଯାଉଛି ।

ଏହାରି ଭିତରେ ଏବେ ନଜର କେବେ ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହେଉଛି । କାରଣ ଏହା ପରେ ହିଁ ରାଜନୈତିକ ଉଷ୍ମତା ବଢିବ । କେଉଁ ଦଳ କାହାକୁ ପ୍ରାର୍ଥୀ କରୁଛି, କିଏ କେଉଁ ରଣନୀତି ଆପଣାଉଛି ଆଉ ବାଜିମାତ କରୁଛି ଓ ରାଜ୍ୟ ରାଜନୀତି କୁଆଡେ ଯାଉଛି, ଏବେ ତାକୁ ଅପେକ୍ଷା । କିନ୍ତୁ ଗୋଟିଏ କଥା ସ୍ପଷ୍ଟ ବରଗଡ, ତିନି ରାଜନୈତିକ ଦଳ ପାଇଁ ଅଗ୍ନିପରୀକ୍ଷା ହେବ ।