ମୁମ୍ବାଇକୁ ଡରାଇଲା ଜୀକା ଭାଇରସ୍ । ଚିହ୍ନଟ ହେଲେ ସଂକ୍ରମିତ ହେଇଥିବା ବ୍ୟକ୍ତି । ଆଲର୍ଟରେ ଅନ୍ୟ ସବୁ ରାଜ୍ୟ ।

504

କନକ ବ୍ୟୁରୋ: ମୁମ୍ବାଇକୁ ଡରାଇଲେ ଜୀକା ଭାଇରସ୍ । ଦେଶରେ କରୋନା ଭାଇରସ୍ ପ୍ରଭାବ ସାମାନ୍ୟ କମିଥିବାବେଳେ, ଏବେ ମୁମ୍ବାଇରେ ଜୀକା ଭାଇରସର ଭୟ ଦେଖିବାକୁ ମିଳିଛି । କାହିଁକି ନା, ମୁମ୍ବାଇର ଜଣେ ବ୍ୟକ୍ତି ଜୀକା ଭାଇରସ୍ ପଜିଟିଭ୍ ଥିବା ଚିହ୍ନଟ ହେଇଛନ୍ତି । ଖାଲି ସେତିକି ନୁହେଁ, ମୁମ୍ବାଇରେ ଏହି ଭାଇରସ ଚିହ୍ନଟ ହେବା ପରେ ଅନ୍ୟ ରାଜ୍ୟର ମଧ୍ୟ ଚିନ୍ତା ବଢିଯାଇଛି ।

ଜୀକା ଭାଇରସ୍ ହେଉଛି ଏମିତି ଏକ ଭାଇରସ, ଯାହାଦ୍ୱାରା କି ଜ୍ୱର ଆସିବା ସହିତ ତ୍ୱଚା ଲାଲ ହେଇଯାଏ । ଏହାସହିତ ମୁଣ୍ଡ ମଧ୍ୟ ପ୍ରବଳ ଜୋରରେ ବିନ୍ଧିଥାଏ । ଜୀକା ଭାଇରସରେ ସଂକ୍ରମିତ ହେଲେ ଜଣେ ଗର୍ଭବତୀ ଲୋକଠୁ ଏହା ଶିଶୁକୁ ମଧ୍ୟ ବ୍ୟାପିଥାଏ ।

ମିଳିଥିବା ସୂଚନା ମୁତାବକ, ମୁମ୍ବାଇର ଚମ୍ବୁର ଅଞ୍ଚଳରେ ରହୁଥିବା ଜଣେ ବ୍ୟକ୍ତି ଏହି ଭାଇରସରେ ପଜିଟିଭ୍ ଥିବା ଜଣାପଡିଛି । ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଥିବାବେଳେ, ଡାକ୍ତରମାନେ ତାଙ୍କ ଉପରେ ନଜର ରଖିଛନ୍ତି । ତେବେ ମଶା ଦ୍ୱାରା ଅନ୍ୟକୁ ବ୍ୟାପୁଥିବା ଏହି ଭାଇରସ୍ ଡେଙ୍ଗୁ ଭଳି ଅଟେ ।

ମଶାଦ୍ୱାରା ବ୍ୟାପୁଥିବା ଏହି ଜୀକା ଭାଇରସ୍ ୧୯୪୭ ମସିହାରେ ପ୍ରଥମେ ୟୁଗାଣ୍ଡାରେ ଦେଖିବାକୁ ମିଳିଥିଲା । ସେତେବେଳେ ଏହା ଅନେକଙ୍କ ଜୀବନ ନେଇଥିଲା । ବିଶେଷକରି ଗର୍ଭବତୀ ସ୍ତ୍ରୀ ଲୋକମାନେ ଏହି ଭାଇରସର ଶିକାର ହେଇଥାନ୍ତି । ଗର୍ଭବତୀ ସ୍ତ୍ରୀ ଲୋକଙ୍କଠୁ ଏହା ଗର୍ଭସ୍ଥ ଶିଶୁକୁ ମଧ୍ୟ ବ୍ୟାପିଥାଏ ।