ଜଣେ ମା’ର କଷ୍ଟ : ଝିଅ ପଢିବ ବୋଲି… ମା’ ଚାଲୁଛି ୧୦ କିମି ବାଟ

274

କନକ ବ୍ୟୁରୋ: ଭାଗ୍ୟରେ ଯାହା ହେବାରେ ଥିଲା ହୋଇଗଲା । ତାକୁ ଭାବି ଆଉ ଲାଭ କ’ଣ । ଏଣିକି ଆଗକୁ କ’ଣ ହୋଇପାରିବ ତାକୁ ଆଖି ଆଗରେ ରଖି ବାଟ ଚାଲିବା କଥା । ବାସ୍ ଏଇତକ କଥା ମନରେ ଆଣ୍ଟ କରି ଅଣ୍ଟା ଭିଡିଛନ୍ତି ଏହି ମା’ଜଣକ । ପାରାଲିସିସ୍ ଝିଅକୁ ଶିକ୍ଷାଦୀକ୍ଷା ଦେଇ ମଣିଷ କରିବାକୁ ଆଗଭର ହୋଇଛନ୍ତି ମା’ । ଝିଅକୁ ପ୍ରତ୍ୟେକ ଦିନ ସାଇକେଲରେ ଠେଲି ଠେଲି ୧୦ କିମି ବାଟ କଲେଜ ନେଉଛନ୍ତି  । କେନ୍ଦ୍ରାପଡା ମହାକାଳପଡା ବ୍ଳକ ରାମଚନ୍ଦ୍ରପୁର ଗାଁରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ ।

 ଅଶୋକ ଖଟୁଆ ଓ ପ୍ରମିଳା ଖଟୁଆଙ୍କ ଝିଅ ମିତାଲି  । ପିଲାବେଳୁ ଭାରି ଚଳଚଞ୍ଚଳ । ହେଲେ ଭାଗ୍ୟର ବିଡମ୍ବନା ଏମିତି ଯେ, ଦଶମ ପରୀକ୍ଷା ଥାଏ ମିତାଲିଙ୍କୁ ହେଲା ବ୍ରେନ୍ ଷ୍ଟ୍ରୋକ । ଥରେ ନୁହେଁ ୨ଥର ବ୍ରେନଷ୍ଟ୍ରୋକ୍ ।ଅଭାବି ଭିତରେ ବି  ଝିଅକୁ ଭଲ କରିବାକୁ ଜିଲ୍ଲା ହସ୍ପିଟାଲ ଠାରୁ କଟକ ବଡମେଡିକାଲ ସବୁଠିକୁ ନେଲେ । ଝିଅ ସୁସ୍ଥ ହେଲା କିନ୍ତୁ ସମ୍ପୂର୍ଣ୍ଣ ନୁହେଁ  । ମିତାଲିର ବାମପଟ ପାରାଲିସିସ୍ ହୋଇ ଅଚଳ ହୋଇଗଲା  । ତଥାପି ହାର ମାନିଲାନି ମିତାଲି । ଯେମିତି ହେଲେ ମାଟ୍ରି ପରୀକ୍ଷା ଦେବ ବୋଲି ଜିଦ ଧରିଲା । ପରୀକ୍ଷା ଦେଲା ଆଉ ଉତ୍ତୀର୍ଣ୍ଣ ବି ହେଲା । ଏତିକିରେ ମନ ମାନିଲାନି । କଲେଜରେ ପଢିବ ବୋଲି ବାପା, ମା’ଙ୍କୁ କହିଲା । ପଢିବାକୁ ଝିଅର ଦୃଢ ଇଚ୍ଛାଶକ୍ତିକୁ ଦେଖି ସାହାସ ବାନ୍ଧିଲେ ଦୁହେଁ ବାପା, ମା’ । ନିଜକୁ ଯେତେ କଷ୍ଟ ହେଉ ପଛେ ଝିଅକୁ ଉଚ୍ଚ ଶିକ୍ଷା ଦେଇ ମଣିଷ କରିବାକୁ ପଣ କଲେ । ଗୋଟିଏ ଟ୍ରାଇସାଇକେଲ ଯୋଗାଡ କଲେ । ଏବେ ପ୍ରତିଦିନ ଝିଅକୁ ଟ୍ରାଇ ସାଇକେଲରେ ପାଖାପାଖି ୫ କିମି ଦୂର କଲେଜକୁ ଠେଲି ଠେଲି ନେଉଛନ୍ତି ମା’ ପ୍ରମିଳା ।

କଷ୍ଟ ହେଲେ ବି ଦିନେ ହେଲେ କଲେଜ ବନ୍ଦ କରିବାକୁ ନାରାଜ ମିତାଲି । ତେଣୁ ଏବେ ବାପା ଚାଷ କାମରେ ଲାଗିଥିବାରୁ ମା’ ନେଇଯାଉଛନ୍ତି କଲେଜ୍ । ଝିଅକୁ କଲେଜ ନେବା ଆଣିବାରେ ୧୦ କିଲୋମିଟର ଚାଲୁଛନ୍ତି ମା’ ମିତାଲି । ଏଭଳି ସ୍ଥଳେ ପଢାପାଇଁ ସାହାଯ୍ୟ କରିବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି ମିତାଲି ।

ଏସବୁ ଦେଖିବା ପରେ , ପକ୍ଷାଘାତର ଶିକାର ହୋଇଥିବା ଝିଅ ମିତାଲି ପାଇଁ ଏ ମା’ର କଷ୍ଟ ପ୍ରତ୍ୟେକ ବାପା, ମା’ଙ୍କୁ ସାହାସ ଓ ଧୈର୍ଯ୍ୟ ଦେବ ନିଶ୍ଚୟ ।ତେବେ ମିତାଲିଙ୍କୁ କେହି ସହୃଦୟ ବ୍ୟକ୍ତି ସାହାଯ୍ୟ କରିବାକୁ ଚାହୁଁଥିଲେ ଠିକଣା ହେଲା:

ମିତାଲି ଖଟୁଆ

C/O – ASHOK  KHATUA

AT – RAMCHANDRAPUR

PO – BALIA

BLOCK – MAHAKALAPADA

DIST – KENDRAPARA

PIN – 754221

SBI AC NO – 37081583460

IFSC CODE – SBIN0009828