ରାଷ୍ଟ୍ରପତିଙ୍କ ସୁରକ୍ଷାରେ ଆଉ ଏକ ବଡ ତ୍ରୁଟି, ମହାମହିମଙ୍କ ହେଲିକପ୍ଟର ସହ ସେଲଫି ନେଲେ ସ୍ଥାନୀୟ ଯୁବକ , ସୁରକ୍ଷାରେ ଦାୟିତ୍ୱହୀନତା ନେଇ ପ୍ରଶ୍ନ

1,458

କନକ ବ୍ୟୁରୋ: ବାରିପଦାରେ ସମାବର୍ତ୍ତନ ଉତ୍ସବରେ ବିଦ୍ୟୁତ ବିଭ୍ରାଟ ପରେ ଏବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସୁରକ୍ଷା ବ୍ୟବସ୍ଥାରେ ଉଲ୍ଲଂଘନ ନେଇ ସାଂଘାତିକ ଅଭିଯୋଗ ସାମ୍ନାକୁ ଆସିଛି । ରାଷ୍ଟ୍ରପତିଙ୍କ ପାଇଁ ନିୟୋଜିତ ହେଲିକପ୍ଟର ସହ ଜଣେ ବ୍ୟକ୍ତି ସେଲଫି ଉଠାଇଛନ୍ତି । ଆଉ ଏହାକୁ ବ୍ୟକ୍ତିଜଣକ ତାଙ୍କର ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ ମଧ୍ୟ କରିଛନ୍ତି । ତେବେ ଫଟୋ ଭାଇରାଲ୍ ଓ ଖବର ପ୍ରସାରଣ ହେବା ପରେ ବ୍ୟକ୍ତିଜଣକ ତାଙ୍କ ପୋଷ୍ଟ ଡିଲିଟ୍ କରିଦେଇଛନ୍ତି ।

ମୟୂରଭଞ୍ଜ ଗସ୍ତର ଦ୍ୱିତୀୟ ଦିନ ଅର୍ଥାତ୍ ଶୁକ୍ରବାର ଶିମିଳିପାଳ ଅଭୟାରଣ୍ୟ ବୁଲି ଦେଖିବାକୁ ଯାଇଥିଲେ ମହାମହିମ । ଯଶୀପୁର ନିକଟ ହେଲିପ୍ୟାଡରେ ଅବତରଣ କରିଥିଲା ରାଷ୍ଟ୍ରପତିଙ୍କ ହେଲିକପ୍ଟର । ଏହା ପରେ ରାଷ୍ଟ୍ରପତି ସଡ଼କ ପଥରେ ଶିମିଳିପାଳ ଅଭୟାରଣ୍ୟକୁ ପ୍ରବେଶ କରିଥିଲେ । ଏହି ସମୟରେ ହେଲିପ୍ୟାଡରେ ଥିବା ହେଲିକପ୍ଟର ସହ ସେଲଫି ଉଠାଇଥିଲେ ଜଣେ ଫାର୍ମାସିଷ୍ଟ । ତାଙ୍କ ନାଁ ଯଶୱନ୍ତ ବେହେରା ବୋଲି ଜଣାପଡ଼ିଛି । ସେ ହେଲିପ୍ୟାଡ୍ ଡ୍ୟୁଟିରେ ଥିଲେ । ତେବେ ଫଟୋ ଭାଇରାଲ୍ ହେବା ପରେ ସେ ତାଙ୍କ ଫେସବୁକ ଆକାଉଣ୍ଟରୁ ଫଟୋଟି ଡିଲିଟ୍ କରିଦେଇଛନ୍ତି । ହେଲେ ଏଠି ପ୍ରଶ୍ନ ଉଠୁଛି, ରାଷ୍ଟ୍ରପତିଙ୍କ ସୁରକ୍ଷାରେ ଏଭଳି ତ୍ରୁଟି କାହିଁକି? ଏଥିପାଇଁ ଦାୟୀ କିଏ?