କୁସ୍ତିଯୋଦ୍ଧାଙ୍କ ସମର୍ଥନରେ ଆସି ଜନ୍ତର-ମନ୍ତରରେ ଡେରା ପକାଇଲେ କୃଷକ, ଧାରଣାରେ ବସିଲେ ରାକେଶ ଟିକାୟତ

197

କନକ ବ୍ୟୁରୋ : ଦିଲ୍ଲୀର ଜନ୍ତରମନ୍ତ୍ର ଠାରେ ଏପ୍ରିଲ ୨୩ ତାରିଖରୁ ଧାରଣାରେ ବସିଥିବା କୁସ୍ତିଯୋଦ୍ଧାଙ୍କ ସମର୍ଥନରେ ଆଜି ଖାପ୍ ପଞ୍ଚାୟତ ତରଫରୁ ହଜାର ହଜାର ଲୋକ ଦିଲ୍ଲୀରେ ପହଂଚିଛନ୍ତି    । ଏହାସହ କୃଷକ ସଂଗଠନ ଭାରତୀୟ କୃଷକ ସଂଗଠନ ବା ବିକେୟୁ ତରଫରୁ ମଧ୍ୟ କୁସ୍ତିଯୋଦ୍ଧାଙ୍କୁ ସମର୍ଥନ ଜଣାଇ ଜନ୍ତର-ମନ୍ତର ଠାରେ ଲଙ୍ଗର ଆରମ୍ଭ କରିଦେଇଛନ୍ତି ।

ସେପଟେ ଭିଡକୁ ନଜରରେ ରଖି ଦିଲ୍ଲୀ ପୋଲିସ ପ୍ରସ୍ତୁତି ଆରମ୍ଭ କରିଛି । ସୋନିପତ-ଦିଲ୍ଲୀ- ହରିଆଣା ସୀମାରେ ସୁରକ୍ଷାକର୍ମୀଙ୍କୁ ନିଯୁକ୍ତ କରାଯାଇଛି । ସିଂଘୁ ସୀମାରେ ବି ସୁରକ୍ଷାବଳ ନିଯୁକ୍ତ କରାଯାଇଛି । ଏଠାରେ ପୋଲିସ ବ୍ୟାରିକେଟ ଲଗାଇ ଲୋକଙ୍କ ତଲାସୀ ନେଉଛି ।

ଅନ୍ୟପଟେ କୃଷକ ଆନ୍ଦୋନର ପ୍ରମୁଖ ରାକେଶ ଟିକାୟତ ନିଜ ସମର୍ଥକଙ୍କୁ ଧରି ଧାରଣା ସ୍ଥଳରେ ପହଂଚିଛନ୍ତି । ତାଙ୍କ ସହ କୃଷକ ନେତା ଦର୍ଶନ ପାଲ, ହନାନ ମୋଲ୍ଲାହଙ୍କ ଭଳି ନେତା ମଧ୍ୟ ପହଂଚିଥିବାର ଦେଖିବାକୁ ମିଳିଛି । ଏହାସହ ସଂଯୁକ୍ତ କିଷାନ ମୋର୍ଚ୍ଚା ତରଫରୁ କୁସ୍ତିଯୋଦ୍ଧାଙ୍କ ଧାରଣାକୁ ସମର୍ଥନ ଜଣାଯାଇଛି । କେବଳ ସେତିକି ନୁହେଁ ସଂଯୁକ୍ତ କିଷାନ ମୋର୍ଚ୍ଚା ତରଫରୁ ବ୍ରିଜଭୂଷଣ ସିଂ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କୁଷପୂତ୍ତଳିକା ଜଳାଇବାକୁ ଘୋଷଣା କରାଯାଇଛି ।

ଏସବୁ ଭିତରେ କିଛିଦିନ ତଳେ ସମାପ୍ତ ହୋଇଥିବା କୃଷକ ଆନ୍ଦୋଳନର ମାହୋଲ ପୁଣିଥରେ ଦିଲ୍ଲୀରେ ଦେଖିବାକୁ ମିଳିଛି । ଜନ୍ତର ମନ୍ତର ଠାରେ ଧାରଣା ଦେଇଥିବା କୁସ୍ତିଯୋଦ୍ଧାଙ୍କ ସମର୍ଥନରେ ପଞ୍ଜାବର କୃଷକମାନେ ଦିଲ୍ଲୀରେ ପହଂଚିଛନ୍ତି । ଟିକିର ବୋର୍ଡର ଦେଇ ଧାରଣା ସ୍ଥଳରେ ପଞ୍ଜାବ କୃଷକମାନେ ପହଂଚିବା ପରେ ସେଠାରେ ଲଙ୍ଗର ସେବା ଆରମ୍ଭ କରାଯାଇଛି ।