କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଖୁସି ଖବର, ପୁରୁଣା ପେନସନ ଯୋଜନାକୁ ନେଇ ଆସିଲା ବଡ ଖବର

3,240

କନକ ବ୍ୟୁରୋ : କେନ୍ଦ୍ର ସରକାର ତା’ର କର୍ମଚାରୀଙ୍କ ପାଇଁ ବଡ ଖୁସିଖବର ଆଣିଛି । ସରକାରଙ୍କ ତରଫରୁ କିଛି କର୍ମଚାରୀଙ୍କୁ ପୁରୁଣା ପେନସନ୍ ଯୋଜନା ଚୟନ କରିବାକୁ ସୁଯୋଗ ଦିଆଯାଇଛି । ଏହାକୁ ନେଇ କାର୍ମିକ ମନ୍ତ୍ରଣାଳୟ ଏକ ଆଦେଶ ମଧ୍ୟ ଜାରି କରିଛି । ସରକାରଙ୍କ ତରଫରୁ ଶୁକ୍ରବାର ଦିନ ଜାରି କରାଯାଇଥିବା ଏକ ଆଦେଶରେ କୁହାଯାଇଛି କି କେଉଁ କେନ୍ଦ୍ରୀୟ କର୍ମଚାରୀଙ୍କୁ ପୁରୁଣା ପେନସନ ଯୋଜନା ଚୟନ କରିବାର ସୁଯୋଗ ଦିଆଯାଇଛି ।

କେନ୍ଦ୍ର ସରକାରଙ୍କ ଆଦେଶ ମୁତାବକ ରାଷ୍ଟ୍ରୀୟ ପେନସନ ଯୋଜନା ତଥା ଏନପିଏସ୍ କୁ ଅଧିସୂଚିତ କରିବାର ତାରିଖ ହେଉଛି ଡିସେମ୍ବର ୨୨ । ସରକାରଙ୍କ ସୂଚନା ମୁତାବକ ୨୦୦୩ ପୂର୍ବରୁ ଅଧିସୂଚିତ ବା ବିଜ୍ଞାପିତ ପଦରେ କେନ୍ଦ୍ର ସରକାରଙ୍କ ସେବାରେ ସାମିଲ ହୋଇଥିବା କର୍ମଚାରୀ କେନ୍ଦ୍ରୀୟ ସିବିଲ ସେବା (ପେନସନ୍) ନିୟମ ୧୯୭୨ (ଏବେ ୨୦୨୧) କ୍ରମରେ ପୁରୁଣା ପେନସନ ଯୋଜନାରେ ସାମିଲ ହେବାକୁ ଯୋଗ୍ୟ ।

ଏହା ସହିତ ସମ୍ବୋଧିତ ସରକାରୀ କର୍ମଚାରୀ ୨୦୨୩ ଅଗଷ୍ଟ ୩୧ ତାରିଖ ମଧ୍ୟରେ ଏହି ବିକଳ୍ପକୁ ଉପଯୋଗ କରିପାରିବେ । ଏହାସହ ସରକାରଙ୍କ ତରଫରୁ କୁହାଯାଇଛି କି, ଯଦି ଯୋଗ୍ୟ କର୍ମଚାରୀମାନେ ନିର୍ଦ୍ଧାରିତ ତାରିଖ ସୁଦ୍ଧା ପୁରୁଣା ପେନସନ ଯୋଜନା ଚୟନ ନକରିବେ ତେବେ ସେମାନଙ୍କୁ ରାଷ୍ଟ୍ରୀୟ ପେନସନ ଯୋଜନା କ୍ରମରେ ପେନସନ୍ କଭର ଦିଆଯିବ । ଏହାସହ ଯେଉଁ କର୍ମଚାରୀ ଏହି ଦୁଇଟି ଯୋଜନାରୁ ଗୋଟିଏ ପେନସନ ଯୋଜନା ଚୟନ କରିବ ତାହା ହିଁ ଅନ୍ତିମ ବିକଳ୍ପ ବୋଲି ଚୟନ କରାଯିବ । ଅର୍ଥାତ ଏହା ଉପରେ ଦ୍ୱିତୀୟ ଥର କୌଣସି ପରିବର୍ତ୍ତନ କରିବାର ସୁଯୋଗ ଦିଆଯିବ ନାହିଁ ।

ସେପଟେ ନ୍ୟାସନାଲ ମୁଭମେଣ୍ଟ ଫର ଓଲ୍ଡ ପେନସନ୍ ତରଫରୁ ସରକାରଙ୍କ ଏଭଳି ପଦକ୍ଷେପକୁ ସ୍ୱାଗତ କରାଯାଇଛି । ହେଲେ ସଂଗଠନ ତରଫରୁ ସରକାରଙ୍କୁ ପୁଣିଥରେ ସମସ୍ତ କର୍ମଚାରୀଙ୍କୁ ପୁରୁଣା ପେନସନ ଯୋଜନାରେ ସାମିଲ କରିବାକୁ ଅନୁରୋଧ କରାଯାଇଛି ।

ସରକାର ୨୦୦୪ ପୂର୍ବରୁ ନିଯୁକ୍ତି ପାଇଥିବା ସମସ୍ତ କର୍ମଚାରୀଙ୍କୁ ପୁରୁଣା ପେନସନ ଯୋଜନା କ୍ରମରେ ପେନସନ ଦେଉଛନ୍ତି । ଏହା ସେମାନଙ୍କ ଅବସର ସମୟର ଦରମା ଉପରେ ନିର୍ଭର କରୁଛି  । ଏହି ଯୋଜନାରେ କର୍ମଚାରୀଙ୍କ ମୃତ୍ୟୁ ପରେ ବି ତାଙ୍କ ସ୍ତ୍ରୀ ବା ସ୍ୱାମୀଙ୍କୁ ପେନସନ ଦେବାର ପ୍ରାବଧାନ ରହିଛି ।

ସେପଟେ ସରକାର ୨୦୦୪ ଏପ୍ରିଲ ପହିଲାରେ ପୁରୁଣା ପେନସନ ଯୋଜନାକୁ ବନ୍ଦ କରିଦେଇଥିଲେ । ଏହାପରେ ସରକାର ରାଷ୍ଟ୍ରୀୟ ପେନସନ ଯୋଜନା ଲାଗୁ କରିଛନ୍ତି ।