ପ୍ରତିଷ୍ଠା ଦିବସରେ ବିଜେଡିର ଭବିଷ୍ୟତ ନେଇ ନବୀନଙ୍କ ଇସାରା ପରେ ବଢିଲା ଚର୍ଚ୍ଚା । ଦଳୀୟ ନେତା କହିଲେ, ଓଡିଶାବାସୀ ବାଛିବେ ବିଜେଡିର ଉତ୍ତରାଧିକାରୀ

ବିରୋଧୀ କହିଲେ ନବୀନଙ୍କ ପରେ ବୁଡିଯିବ ଦଳ

515

କନକ ବ୍ୟୁରୋ: ବିଜେଡି ପ୍ରତିଷ୍ଠା ଦିବସରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ବୟାନ ରାଜନୀତି ମହଲରେ ଚର୍ଚ୍ଚା ସୃଷ୍ଟି କରିଛି । ଦଳ ତାଙ୍କ ଉପରେ ଆଉ ନିର୍ଭରଶୀଳ ନୁହେଁ ବୋଲି କହିବା ପରେ ବିଜେଡିର ପରବର୍ତ୍ତୀ ପୀଢିକୁ ନେଇ କିଛି ନୂଆ ଇସାରା ମିଳିଛି । ପ୍ରକୃତରେ ଏହି ବୟାନ ପଛରେ କିଛି ରାଜନୈତିକ ଉଦ୍ଦେଶ୍ୟ ରହିଛି କି । ଆଉ ବିଜେଡିର ପରବର୍ତ୍ତୀ ଉତ୍ତରାଧିକାରୀ କିଏ ହେବ ସେ ପ୍ରସଙ୍ଗକୁ ଏବେ ଅଧିକ ଖୋରାକ ଯୋଗାଇଛି । ନବୀନଙ୍କ ବୟାନ ପରେ ଦଳର ହେବିୱେଟ୍ ନେତା ଏହି ପ୍ରସଙ୍ଗରେ ମାପିଚୁପି ବୟାନ ରଖିଛନ୍ତି । କହିଛନ୍ତି ଚୂଡାନ୍ତ ନିଷ୍ପତି ନେବେ ନବୀନ ।

ଦଳ ତାଙ୍କ ଉପରେ ନିର୍ଭରଶୀଳ ନୁହେଁ, ବିଜେଡି ସୁ୍ପ୍ରିମୋ ନବୀନ ପଟ୍ଟନାୟକଙ୍କ ଏହି ମନ୍ତବ୍ୟ ରାଜନୈତିକ ମହଲରେ ହଟଚମଟ ସୃଷ୍ଟି କରିଛି । ନବୀନଙ୍କ ଉତ୍ତରାଧିକାରୀ କିଏ ହେବ ଏହାକୁ ନେଇ ଦୀର୍ଘ ଦିନ ଧରି ଆଲୋଚନା ଚାଲିଥିବା ବେଳେ ଦଳର ପ୍ରତିଷ୍ଠା ଦିବସରେ ସୁପ୍ରିମୋଙ୍କ ଏହି ଇସାରା, ବେଶ ଗୁରୁତ୍ୱ ରଖୁଛି । ତେବେ ନବୀନ କେଉଁ ଆଡକୁ ଇସାରା ଦେଇଛନ୍ତି, ପ୍ରକୃତରେ ଏହା କି ସନ୍ଦେଶ ଦେଉଛି, ତାକୁ ନେଇ ଉଭୟ ଶାସକ ଓ ବିରୋଧୀ ଦଳ ମଧ୍ୟରେ ଅଙ୍କକଷା ଆରମ୍ଭ ହୋଇଛି ।

ତେବେ ବିଜୁ ଜନତା ଦଳର ଭବିଷ୍ୟତକୁ ନେଇ ଯେତେବେଳେ ଚର୍ଚ୍ଚା ବଢ଼ୁଛି, ସେତେବେଳେ ନବୀନଙ୍କ ବୟାନ ଖୁବ୍ ପ୍ରାସଙ୍ଗିକ ହୋଇପଡିଛି । ପ୍ରତିଷ୍ଠା ଦିବସରେ ନବୀନଙ୍କ ଇସାରା, ରାଜ୍ୟ ରାଜନୀତିର ବାତାବରଣକୁ ସରଗରମ କରିଦେଇଛି । ୨୨ବର୍ଷ ଧରି ଦଳର ଅପ୍ରତିଦ୍ୱନ୍ଦୀ ନେତା ରହି ଆସିଛନ୍ତି ନବୀନ । ୨୦ ବର୍ଷ କାଳ ତାଙ୍କରି ନେତୃତ୍ୱରେ ଓଡିଶାର ଶାସନ ଭାର ରହିଛି ବିଜେଡି ହାତରେ । ତେଣୁ ଦଳର ଭବିଷ୍ୟତକୁ ନେଇ ଉକ୍ରଣ୍ଠା ବଢିବାରେ ଲାଗିଛି ।