ଶୀତ ଦିନରେ ଅନ୍ନଦାତାଙ୍କ ସଂକଟ ବଢାଇଲା ବର୍ଷା । ମଣ୍ଡିରେ ଧାନ ଭିଜାଇଲା ଅଦିନିଆ ମେଘ । ସମ୍ବଲପୁର, ବରଗଡ, କଳାହାଣ୍ଡିରୁ ଆସିଲା ବିକଳ ଚିତ୍ର

ଜଗତସିଂହପୁରରେ କ୍ଷେତ ଭିତରେ ଆଣ୍ଠୁଏ ଉଚ୍ଚର ପାଣି

304

କନକ ବ୍ୟୁରୋ: କିଏ କହୁଛି ଚାଷୀଙ୍କ ଆୟ ଦୁଇଗଣ ହେବ, ତ ଆଉ କିଏ କହୁଛି ଚାଷୀଙ୍କୁ ବୀମା ଟଙ୍କା ମିଳିବ । ହେଲେ ପ୍ରକୃତରେ ଚାଷୀ ପାଉଛନ୍ତି କ’ଣ ତାହା କାହାରିକୁ ଅଛପା ନାହିଁ । ଗୋଟିଏ ମାସ ପୂର୍ବରୁ ଯେଉଁ ଚାଷୀ, ଧାନ ବିକ୍ରି କରିବା ପାଇଁ ଆନ୍ଦୋଳନ କରୁଥିଲା, ସେହି ଚାଷୀ ଆଜି ଧାନକୁ କେମିତି ସାଇତି ରଖିବ ସେ ଚିନ୍ତାରେ ସନ୍ତୁଳି ହେଉଛି । କୋହଳ ପାଗକୁ ଝିପି ଝିପି ବର୍ଷରେ ଆଖି ଆଗରେ ନଷ୍ଟ ହେବାକୁ ବସିଛି ଗୋଟିଏ ବର୍ଷର ପରିଶ୍ରମ ।

ବିକ୍ରି ଅପେକ୍ଷାରେ ପଡ଼ି ରହିଥିବା ଏହି ଧାନକୁ ଦେଖିଲେ ଯେ କେହି ବି ଅନୁମାନ କରିପାରିବ ଏହି ସବୁ ଧାନର ମୂଲ୍ୟ କ’ଣ ହେବାକୁ ଯାଉଛି ଏବଂ ଏଥିରୁ ଚାଷୀ କେଉଁ ଲାଭ ପାଇବ । ମଣ୍ଡିରେ ହିଁ ଭିଜି ଯାଇଛି କ୍ୱିଂଟାଲ କ୍ୱିଂଟାଲ ଧାନ । ଗୋଟିଏ କିମ୍ବା ଦୁଇଟି ମଣ୍ଡି ନୁହେଁ ବରଗଡ଼ ଜିଲ୍ଲାର ଏକାଧିକ ମଣ୍ଡିରେ ସମାନସ୍ଥିତି । ବରଗଡ଼ ଜିଲ୍ଲାରେ ଏବେ ପ୍ରାୟ ୯ଲକ୍ଷରୁ କ୍ୱିଂଟାଲ ଧାନ ମଣ୍ଡିଗୁଡ଼ିକରେ ବିକ୍ରି ଅପେକ୍ଷାରେ ରହିଛି, ଏବଂ ବର୍ଷା ଯୋଗୁଁ ଅନେକ ସ୍ଥାନରେ ଧାନ ନଷ୍ଟ ହେବାକୁ ବସିଲାଣୀ ।

 

 

ଆଉ ଇଏ ହେଉଛି ସମ୍ବଲପୁର ଜିଲ୍ଲାର ଚିତ୍ର । ବର୍ଷାରେ ଭିଜି ଯାଇଛି ଅମଳ ହୋଇଥିବା ଧାନ । ଦରଭିଜା ଧାନକୁ କେମିତି ବିକ୍ରି କରିବ ସେ କଥା ଭାବିଲା ବେଳକୁ ଚାଷୀର ଅକଲଗୁଡୁମ୍ । ଆଉ କୌଣସି ଉପାୟ ନପାଇ ଶେଷରେ ଅମଳ ହୋଇ ସାରିଥିବା ଧାନକୁ ଶୁଖାଇ, ଅନ୍ତତଃ ଖର୍ଚ୍ଚ ବାହାର କରିବାକୁ ଚେଷ୍ଟା କରୁଛି ସମ୍ବଲପୁର ଜିଲ୍ଲାର ଚାଷୀ ।

ଖୋଲା ଆକାଶ ତଳେ, ଜରିପାଲ ଭରସାରେ ପଡ଼ି ରହିଥିବା ଚାଷୀର ଏହି ପରିଶ୍ରମର ଫଳକୁ ଦେଖିଲେ ହୁଏତ କେହି ବି କହିବେନି ଯେ- ଚାଷ କାମ ଯାହାର କେଡେ ସୁଖ ତାହାର । ମିଲର୍ ଓ ଯୋଗାଣ ବିଭାଗର ଟାଳଟୁଳ ନୀତି ଆଗରେ ଛନ୍ଦି ହୋଇ ରହିଛନ୍ତି କଳାହାଣ୍ଡି ଜିଲ୍ଲା ଜୟପାଟଣା ଅଂଚଳର ଚାଷୀ । ବିମଳା ମଣ୍ଡିରେ ବର୍ତମାନ ୩ହଜାର ୫ଶହ କ୍ୱିଂଟାଲ ଧାନ ପଡ଼ି ରହିଛି । ଆଉ ଧାନକୁ ଜଗି ରହି ମଣ୍ଡି ଆଗରେ ପଡ଼ି ରହିଛନ୍ତି ଚାଷୀ । ଏପଟେ ଅଦିନିଆ ବର୍ଷା ବଢ଼ାଇ ଦେଇଛି ଚାଷୀର ଚିନ୍ତା ।

ଏପଟେ ଜଗତସିଂହପୁର ଜିଲ୍ଲାରେ ମେଘୁଆ ପାଗ ସହ ଝିପିଝିପି ବର୍ଷା ଯୋଗୁଁ ଚିନ୍ତାରେ ଚାଷୀ । ଅଦିନିଆ ବର୍ଷା ଯୋଗୁଁ ବିଲରେ ହିଁ ଫସଲ ନଷ୍ଟ ହେବାର ଆଶଂକା ଦେଖାଦେଇଛି । କିଛି ଚାଷୀ ଧାନ ଆଣି ଖଳାରେ ରଖିଥିବା ବେଳେ ଆଉ କିଛି ଚାଷୀଙ୍କ ଧାନ ବିଲରେ ପଡି ରହିଛି । ଏଭିଳି ସ୍ଥିତରେ ଧାରକରଜ କରି ଚାଷ କରିଥିବା ଜଗତସିଂହପୁର ଚାଷୀ ମୁଳ ଫେରି ପାଇବ ନାହିଁ ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ଆଉ ଏସବୁ ଭିତରେ ପାଣିପାଗ ବିଭାଗର ଆକଳନ ଚାଷୀର ଚିନ୍ତା ଦୁଇଗୁଣିତ କରିଦେଇଛି ।