ଓଡିଶାରେ କେସିଆରଙ୍କ ଦଳର ଏଣ୍ଟ୍ରି ପରେ ରାଜନୈତିକ ମାହୋଲ ସରଗରମ : ବିଆରଏସରେ ଆଉ କିଏ ହେବେ ସାମିଲ ? ଉଠିଲା ପ୍ରଶ୍ନ, ଖେଳ ବିଗାଡିବେ କି କେସିଆର

2,260

କନକ ବୁରୋ : ଓଡିଶା ରାଜନୀତିରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓଙ୍କ ନେତୃତ୍ୱଧୀନ ଦଳ ଭାରତ ରାଷ୍ଟ୍ର ସମିତି ବା ବିଆରଏସ ଏଣ୍ଟ୍ରି କରିବା ପରେ, ରାଜନୈତିକ ମାହୋଲ ସରଗରମ ହୋଇଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ, ପୁଅ ଶିଶିର ଗମାଙ୍ଗ, ପତ୍ନୀ ହେମା ଗମାଙ୍ଗ, ସମେତ ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ, ରାମଚନ୍ଦ୍ର ହାଁସଦା, ପୂର୍ବତନ ବିଧାୟକ ନବୀନ ନନ୍ଦ, ନବନିର୍ମାଣ କୃଷକ ସଂଗଠନର ଚାଷୀ ନେତା ଓ ସୂଚନା ଅଧିକାର କର୍ମୀ ସାମିଲ ହେବା ପରେ ରାଜ୍ୟ ରାଜନୀତି ହଲଚଲ ହୋଇଛି ।

ଆଗକୁ ଆଉ କେଉଁ ନେତା କେସିଆରଙ୍କ ବିଆରଏସ ଦଳରେ ସାମିଲ ହେବେ, ସେ ନେଇ ଆଲୋଚନା ହେଉଛି । ବିଆରଏସରେ ଯୋଗ ଦେବା ନେଇ ଅନେକ ନେତାଙ୍କ ନାଁ ଚର୍ଚ୍ଚା ହେଉଥିଲେ ବି କିଏ ସାମିଲ ହେବେ ତାହା ସ୍ପଷ୍ଟ ହୋଇନାହିଁ । ତେବେ କେସିଆର ଜଣେ ତୃଣମୂଳ ସ୍ତରର ନେତା ଓ ତାଙ୍କ ଷ୍ଟ୍ରାଟେଜୀ ଭିନ୍ନ ହୋଇଥିବାରୁ ସେ ଓଡିଶାରେ ଖେଳ ବିଗାଡିବେ କି ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

ତେଲେଙ୍ଗାନାରେ ସାଧାରଣ ଗରିବଙ୍କୁ ଦୃଷ୍ଟିରେ ରଖି ଅନେକ ଜନମଙ୍ଗଳକାରୀ ଯୋଜନା କରିଛନ୍ତି …

– ‘ଆଶାର’ ପେନସନ ଯୋଜନାରେ, ବୃଦ୍ଧ-ବୃଦ୍ଧା, ବିଧବା, ଦିବ୍ୟାଙ୍ଗଙ୍କୁ ମାସିକ ହଜାରେ ଟଙ୍କା ଲେଖାଏଁ ଭତା ଦିଆଯାଉଛି ।
– ପ୍ରଧାନମନ୍ତ୍ରୀ ଆବାସ ପରେ, ଗରିବ ଲୋକଙ୍କ ପାଇଁ ନିଜସ୍ୱ ଯୋଜନାରେ ଦୁଇ ବଖରା ଲେଖାଏଁ ଘର ଯୋଗାଇ ଦେଉଛନ୍ତି ।
– ଗର୍ଭବତୀ ମହିଳା, ପିଲାଙ୍କୁ କ୍ଷୀର ଦେଉଥିବା ମା’ ଓ ଛୋଟ ପିଲାଙ୍କୁ ଆରୋଗ୍ୟ ଲକ୍ଷ୍ମୀ ଯୋଜନାରେ ଦୈନିକ ପୌଷ୍ଟିକ ଆହାର
– ମହିଳାଙ୍କୁ ଦୈନିକ ୨ଶହ ମିଲିଲିଟର କ୍ଷୀର ଓ ଗୋଟିଏ ଅଣ୍ଡା, ଦିଆଯାଉଛି
– କେସିଆର କିଟ୍ ଯୋଜନାରେ ଗର୍ଭବତୀ ମହିଳାଙ୍କୁ ତିନୋଟି ପର୍ଯ୍ୟାୟରେ ୧୨ହଜାର ଟଙ୍କାର ସହାୟତା

କେସିଆରଙ୍କ ଏହି ସବୁ ଯୋଜନା ତାଙ୍କୁ ତେଲେଙ୍ଗାନାରେ ଲଗାତାର ବିଜୟୀ କରୁଛି ବୋଲି କୁହାଯାଉଛି । ଆଉ ଏବେ ସେହି ସବୁ ଲୋକପ୍ରିୟ ଯୋଜନାକୁ ନେଇ ଓଡିଶାବାସୀଙ୍କୁ ସ୍ୱପ୍ନ ଦେଖାଇବାକୁ କେସିଆର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରୁଥିବା ଚର୍ଚ୍ଚା ହେଉଛି । ପ୍ରଶ୍ନ ହେଉଛି, ସଶକ୍ତି ବିଜୁ ଜନତା ଦଳ ଆଗରେ କେସିଆରଙ୍କ ଏହି ଚାଲ କାମ କରିବ କି ? ଦ୍ୱିତୀୟ ପ୍ରଶ୍ନ ହେଉଛି, ତେଲୁଗୁ ଭାଷାଭାଷି ଭୋଟରମାନେ କେସିଆରଙ୍କ ଦଳ ଆଡକୁ ଆକର୍ଷିତ ହେବେ କି ? ସେଭଳି କିଛି ପ୍ରଭାବ ପକାଇ ପାରିବ କି କେସିଆର ।