ରାଜନୀତିରେ ପ୍ରବେଶ କରିପାରନ୍ତି ଅଭିନେତ୍ରୀ କଙ୍ଗନା ରାଣାୱତ । କହିଲେ, ଜନତା ଓ ବିଜେପି ଚାହିଁଲେ ନିର୍ବାଚନରେ ଲଢିବାକୁ ସେ ଆଗ୍ରହୀ

129

କନକ ବ୍ୟୁରୋ : ନିର୍ବାଚନ ଲଢିପାରନ୍ତି ବଲିଉଡର ପରିଚିତ ଅଭିନେତ୍ରୀ କଙ୍ଗନା ରାଣାୱତ । ନିଜ ରାଜ୍ୟ ହିମାଚଳ ପ୍ରଦେଶରୁ ନିର୍ବାଚନ ଲଢିବା ନେଇ ଇଛା ପ୍ରକାଶ କରିଛନ୍ତି ଏହି ବଲିଉଡ କୁଇନ୍   । ଯଦି ବିଜେପି ଟିକେଟ ଦିଏ ତେବେ ନିର୍ବାଚନ ଲଢିବେ ବୋଲି କହିଛନ୍ତି କଙ୍ଗନା । ହିମାଚଳ ପ୍ରଦେଶର ମଣ୍ଡି ଲୋକସଭା ନିର୍ବାଚନ ମଣ୍ଡଳୀରୁ ୨୦୨୪ ସାଧାରଣ ନିର୍ବାଚନରେ ଲଢିବାକୁ ଇଛା ରଖିଛନ୍ତି କଙ୍ଗନା । ଯଦି ହିମାଚଳ ପ୍ରଦେଶ ସରକାର ତାଙ୍କର ଯୋଗଦାନ ଚାହିଁବେ, ତେବେ ସେ ସବୁ ପ୍ରକାରର ଯୋଗଦାନ କରିପାରିବେ ବୋଲି ୩୫ ବର୍ଷିୟ ଏହି ଅଭିନେତ୍ରୀ କହିଛନ୍ତି ।

ଯଦି ହିମାଚଳ ପ୍ରଦେଶର ବାସିନ୍ଦା ତାଙ୍କୁ ଅଂଚଳବାସୀଙ୍କ ସେବା କରିବାକୁ ସୁଯୋଗ ଦେବେ ତେବେ ଏହା ତାଙ୍କ ପାଇଁ ଭାଗ୍ୟଶାଳୀ ହେବ ବୋଲି ସେ କହିଛନ୍ତି । ଜାତୀୟ ପୁରସ୍କାର ବିଜେତା କଙ୍ଗନା ରଣାୱତ ଏକ ଘରୋଇ ଟିଭି ଚ୍ୟାନେଲ ସାକ୍ଷାତକାର ସମୟରେ ଏଭଳି କହିଛନ୍ତିି । ପୂର୍ବରୁ ଏହି ମାସରେ ନିର୍ବାଚନ ଲଢିବା ନେଇ କୌଣସି ଯୋଜନା ନ ଥିବା କହିଥିଲେ । କିନ୍ତୁ ଏବେ ନିର୍ବାଚନ ଲଢିବା ନେଇ ମନ ବଳାଇଛନ୍ତି । ପୂର୍ବରୁ ବିଜେପି ସମର୍ଥନରେ ବହୁବାର ମନ୍ତବ୍ୟ ଦେଇଥିବା କଙ୍ଗନା ଜଣେ କଠୋର ହିନ୍ଦୁବାଦୀ । ତେଣୁ ତାଙ୍କୁ ବିଜେପି ଟିକେଟ ମିଳିବାରେ କୌଣସି ଅସୁବିଧା ହେବନି ବୋଲି କୁହାଯାଉଛି । ସୂଚନାଯୋଗ୍ୟ, ଆସନ୍ତା ନଭେମ୍ବର ୧୨ ତାରିଖରେ ହିମାଚଳ ପ୍ରଦେଶର ବିଧାନସଭା ନିର୍ବାଚନ ହେବାର ଥିବା ବେଳେ ଡିସେମ୍ବର ୮ରେ ଫଳାଫଳ ପ୍ରକାଶ ପାଇବ ।