ଅବକାରୀ ଦୁର୍ନୀତି ମାମଲା : ମନୀଷ ସିସୋଦିଆଙ୍କୁ ସିବିଆଇର ସମନ; ଆଜି ହେବେ ହାଜର

63

କନକ ବ୍ୟୁରୋ : ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ସମନ ଜାରି କରିଛି ସିବିଆଇ । ଆଜି ସକାଳ ୧୧ଟାରେ ହାଜର ହେବେ ସିସୋଦିଆ । ସମନ ଜାରି ହେବା ପରେ ଦିଲ୍ଲୀରେ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜି । ଏହା ପୂର୍ବରୁ ଅବକାରୀ ଦୁର୍ନୀତି ମାମଲାରେ ଇଡି ଶୁକ୍ରବାର ଦିନ ଦିଲ୍ଲୀର ୨୫ ଟି ସ୍ଥାନରେ ଚଢାଉ କରିଥିଲା । ସିବିଆଇର ସମନ ପରେ ସିସୋଦିଆ ଟ୍ୱିଟ୍ କରି କହିଛନ୍ତି, ସେ ପୂର୍ବରୁ ତଦନ୍ତରେ ସହଯୋଗ କରିଥିଲେ । ଏବେ ମଧ୍ୟ ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରିବେ ।

ପୂର୍ବରୁ ୧୪ ଘଣ୍ଟା ଧରି ସିବିଆଇ ତାଙ୍କୁ ଜେରା କରିଥିଲା, କିଛି ପାଇନଥିଲା । ବ୍ୟାଙ୍କ ଲକର ଖୋଜା ଯାଇଥିଲା ହେଲେ କିଛି ବାହାରି ନଥିଲା । ସେହିପରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଟ୍ୱିଟ କରିଛନ୍ତି । ସ୍ୱାଧୀନତା ପାଇଁ ଏହା ଦ୍ୱିତୀୟ ଲଢେଇ । ମନୀଷ ସିସୋଦିଆ ଏବଂ ସତ୍ୟେନ୍ଦ୍ର ଜୌନ୍ ଆଜିର ଭଗତ ସିଂହ । ୭୫ ବର୍ଷ ପରେ, ଦେଶ ଜଣେ ଶିକ୍ଷା ମନ୍ତ୍ରୀ ପାଇଛି ଯିଏ ଗରିବ ଲୋକଙ୍କୁ ଭଲ ଶିକ୍ଷା ଦେଉଛନ୍ତି । କୋଟି କୋଟି ଗରିବଙ୍କ ପ୍ରାର୍ଥନା ସିସୋଦିଆଙ୍କ ସହିତ ଅଛି । ୧୦ ହଜାର କୋଟି ଟଙ୍କାର ଏହି ଅବକାରୀ ଦୁର୍ନୀତି ମାମଲାରେ ସିସୋଦିଆଙ୍କୁ ସିବିଆଇ ଦ୍ୱିତୀୟ ଥର ଜେରା କରିବାକୁ ଯାଉଛି । ପୂର୍ବରୁ ଏହି ମାମଲାରେ ତିନି ଜଣ ଗିରଫ ମଧ୍ୟ ହୋଇସାରିଛନ୍ତି । ଆଉ ଏବେ ସିସୋଦିଆଙ୍କୁ ସିବିଆଇ ଗିରଫ କରିବ ବୋଲି ଦଳ ଆଶଙ୍କା କରିଛି ।

ଏପଟେ ତଦନ୍ତକୁ ପ୍ରଭାବିତ କରିବାକୁ ଆମ୍ ଆଦମୀ ପାର୍ଟି ଏକ ମାହୋଲ ତିଆରି କରୁଛି ବୋଲି ବିଜେପି ମୁଖପାତ୍ର ଗୌରବ ଭାଟିଆ କହିଛନ୍ତି । ଏହି ବହୁଚର୍ଚ୍ଚିତ ମାମଲାରେ ଉଭୟ ସିବିଆଇ ଏବଂ ଇଡି ତଦନ୍ତ କରୁଛନ୍ତି । ତଦନ୍ତକାରୀ ସଂସ୍ଥା ଦେଶର ବିଭିନ୍ନ ସ୍ଥାନରେ ରେଡ୍ ମଧ୍ୟ କରିଛି । ଦିଲ୍ଲୀର ଉପରାଜ୍ୟପାଳ ଏହି ଅବକାରୀ ଦୁର୍ନୀତି ମାମଲାରେ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଅଗଷ୍ଟ ୧୭ରେ ସିବିଆଇ ଅବକାରୀ ଦୁର୍ନୀତି ହୋଇଥିବା ନେଇ ମାମଲା ରୁଜୁ କରିଥିଲା ।