କାହିଁକି ପାକିସ୍ତାନ ନିଜ ପରମାଣୁ ନୀତିରେ କରୁଛି ଅଦଳବଦଳ ? ଭାରତ ଉପରେ କଣ ପଡ଼ିବ ପ୍ରଭାବ ?

250

କନକ ବ୍ୟୁରୋ : ପାକିସ୍ତାନ ତା ପରମାଣୁ ନୀତିରେ ଏକ ବଡ଼ ଧରଣର ଅଦଳବଦଳ କରିଛି । ଏବେ ପାକିସ୍ତାନ ଟେକ୍ଟିକାଲ ୱିପନ୍ ଅର୍ଥ ଛୋଟ ଛୋଟ ପରମାଣୁ ବୋମା ଓ ପରମାଣୁ ଲ୍ୟାଣ୍ଡମାଇନ ତିଆରି କରିବା ଉପରେ ଜୋର ଦେଉଛି । ତା ବ୍ୟତୀତ ସେ ନିଜର ନିଉକ୍ଲିଅର ଟ୍ରାୟାଡକୁ ବି ସଶକ୍ତ କରିବାକୁ ଲାଗିଛି । ଗତ ୨୪ ତାରିଖରେ ପାକିସ୍ତାନର ରିଟାୟାର୍ଡ଼ ଲେଫ୍ଟନାଣ୍ଟ ଜେନେରାଲ ଖାଲିଦ କିଦୱାଇ ଦେଇଥିବା ଏକ ଟିଭି ସାକ୍ଷାତକାରରୁ ଏହା ଜଣାପଡିଛି । ଖାଲିଦ କିଦୱାଇ ପାକିସ୍ତାନର ନ୍ୟାସନାଲ କମାଣ୍ଡ ଅଥରିଟି ଏନସିଏ ର ପରାମର୍ଶଦାତା ଅଛନ୍ତି । ରୋଚକ କଥା ହେଲା ୧୯୭୧ ଭାରତ ପାକିସ୍ତାନ ଯୁଦ୍ଧରେ ଭାରତୀୟ ସେନା ହାତରେ ଧରା ପଡି ଆଲ୍ହାବାଦ ଜେଲରେ ଦୁଇବର୍ଷ ଜେଲଦଣ୍ଡ ମଧ୍ୟ ଭୋଗି ସାରିଛନ୍ତି ଖାଲିଦ କିଦୱାଇ ।

ଚଳିତବର୍ଷ ପାକିସ୍ତାନ ତାହାର ପରମାଣୁ ପରିକ୍ଷଣର ୨୫ତମ ବର୍ଷ ପୂର୍ତ୍ତି ପାଳନ କରୁଛି । ଏହି ଅବସରରେ ୨୪ ତାରିଖରେ ଖାଲିଦ କିଦୱାଇ ଇସଲାମାବାଦ ସ୍ଥିତ ଇନଷ୍ଟିଚ୍ୟୁଟ୍ ଅଫ୍ ଷ୍ଟ୍ରାଟେଜିକ ଷ୍ଟଡିଜରେ ଦେଇଥିବା ବକ୍ତବ୍ୟରୁ ଏହା ସ୍ପଷ୍ଟ ହେଉଛି ଯେ ପାକିସ୍ତାନ ତା’ର ପରମାଣୁ ସିଦ୍ଧାନ୍ତରେ ବହୁତ ବଡ଼ ଧରଣର ଅଦଳବଦଳ କରିଛି । ସାକ୍ଷାତକାରରେ ଖାଲିଦ କିଦୱାଇ ଭାରତର ବଢୁଥିବା ଶକ୍ତିର ମୁକାବିଲା କରିବାପାଇଁ ଆଗାମୀ ଦିନରେ ଭୂଭାଗ, ଅକାଶମାର୍ଗ ଓ ଜଳଭାଗରୁ ପରମାଣୁ ଆକ୍ରମଣ କରିବାର କ୍ଷମତା ଯାହାକୁ ନିଉକ୍ଲିଅର ଟ୍ରାୟାଡ କୁହାଯାଏ ତାକୁ ସଶକ୍ତ କରିବା ପାଇଁ ଚେଷ୍ଟା କରିବ ।

କିଦୱାଇଙ୍କ ବକ୍ତବ୍ୟରୁ ଆଉ ଏକ ତଥ୍ୟ ସାମନାକୁ ଆସିଛି ଯେ ପାକିସ୍ତାନର ଏହି ନିଉକ୍ଲିଅର ଟ୍ରାୟାଡ ନୀତିରେ ଶୂନ ମିଟର (ଜିରୋ ମିଟର)ରୁ ନେଇ ୨୭୫୦ କିମି ପର୍ଯ୍ୟନ୍ତ ପରମାଣୁ ଆକ୍ରମଣ କରିପାରିବାର କ୍ଷମତା ସମ୍ପନ୍ନ ପରମାଣୁ ବୋମା ସାମିଲ ହେଇଛି । ଏଥିରେ ଷ୍ଟ୍ରାଟେଜିକ, ଅପରେସନାଲ ଏବଂ ଟେକ୍ଟିକାଲ ପରମାଣୁ ଅସ୍ତ୍ର ସାମିଲ ହେଇଛି । ଜିରୋ ମିଟର ରେଞ୍ଜର ଉଦ୍ଦେଶ୍ୟ ଭବିଷ୍ୟତରେ ଭାରତର ସର୍ଜିକାଲ ଷ୍ଟ୍ରାଇକ ପରି ଆକ୍ରମଣକୁ ପ୍ରତିହତ କରିବା । ୨୭୫୦ କିମି ରେଞ୍ଜରେ ପାକିସ୍ତାନର ଦକ୍ଷିଣପୂର୍ବ ଲଞ୍ଚପଏଣ୍ଟ ସିନ୍ଧରୁ ଭାରତର ଆଣ୍ଡାମାନ ଦ୍ବୀପପୁଞ୍ଜ ପର୍ଯ୍ୟନ୍ତ ମାରକ କ୍ଷମତା ରଖୁଥିବା ପରମାଣୁ କ୍ଷେପଣାସ୍ତ୍ର ସାମିଲ ଅଟେ । ଏଥିରେ ଶାହୀନ-୩ ପ୍ରମୁଖ ଅଟେ । କିଦୱାଇଙ୍କ କହିବା ଅନୁସାରେ ଭାରତ ନିଜର ଷ୍ଟ୍ରାଟେଜିକ ପରମାଣୁ ଅସ୍ତ୍ରକୁ ଲୁଚେଇ ରଖିପାରିବ ନାହିଁ । କିନ୍ତୁ ପାକିସ୍ତାନର ପ୍ରତି ଆକ୍ରମଣ ଭାରତ ପାଇଁ ବହୁତ ଘାତକ ସାବ୍ୟସ୍ତ ହେଇପାରେ ।

ପାକିସ୍ତାନ ପାଖରେ ପୂର୍ବରୁ ସର୍ଟ ରେଞ୍ଜ ଭାବେ ୬୦ କିମି ରେଞ୍ଜର ‘ନସ୍ର’ କ୍ଷେପଣାସ୍ତ୍ର ମହଜୁଦ ଅଛି ।

ରକ୍ଷା ବିଶେଷଜ୍ଞଙ୍କ ଅନୁସାରେ ଏଠି କିଦୱାଇଙ୍କ ଟେକ୍ଟିକାଲ ୱିପନ୍ ଅର୍ଥ ହେଲା ପରମାଣୁ ଅସ୍ତ୍ର ସମ୍ପନ୍ନ ତୋପ ଗୋଳା, ପରମାଣୁ ବମ ସମ୍ପନ୍ନ ଲ୍ୟାଣ୍ଡ ମାଇନ୍ ଓ ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର । ଯାହାର ମାରକ କ୍ଷମତା ୦.୧ କିଲୋଟନରୁ ୧ କିଲୋଟନ ହୋଇପାରେ । ଅର୍ଥ ୧୦୦ ରୁ ୧ ହଜାର ଟନ ଟିଏନଟିର କ୍ଷମତା ।

ଏକ ରିପୋର୍ଟ ଅନୁସାରେ ପାକିସ୍ତାନ ନ୍ୟୁନତମ ରେଞ୍ଜକୁ କମାଇ ଜିରୋ ମିଟର କରିବା ବହୁତ ଆଶ୍ଚର୍ଯ୍ୟଜନକ ଅଟେ । ଯଦି ଏହାକୁ କାର୍ଯ୍ୟକାରୀ କରାଯାଏ ତେବେ ପ୍ରକୃତରେ ପାକିସ୍ତାନ ତା ପରମାଣୁ ନୀତିରେ ବହୁତ ବଡ଼ ପରିବର୍ତ୍ତନ କରିଛି ବୋଲି ଧରାଯିବ । ରିପୋର୍ଟ ଅନୁସାରେ ଜିରୋ ରେଞ୍ଜର ପରମାଣୁ ବମ ତିଆରି କରିବାର ଅର୍ଥ ହେଲା ପାକିସ୍ତାନ ଠିକ ଶୀତଳ ଯୁଦ୍ଧ ପୂର୍ବରୁ ଆମେରିକା ଓ ସୋଭିଏତ ସଂଘ ଯେମିତି ପରମାଣୁ ବମ ଯୁକ୍ତ ତୋପ ଗୋଳା ତିଆରି କରୁଥିଲେ ସେମିତି ଗୋଳା ତିଆରି କରିବାକୁ ଯାଉଛି । ଏହା ମଧ୍ୟ ରିପୋର୍ଟରେ ଉଲ୍ଲେଖ ଅଛି ଯେ ଭାରତ-ପାକିସ୍ତାନ ସୀମାରେ ପାକିସ୍ତାନ ପରମାଣୁ ଲ୍ୟାଣ୍ଡମାଇନ ବିଛେଇବାକୁ ଯାଉଛି ଯଦ୍ଵାରା ଭାରତର କୌଣସି ପ୍ରକାର ଆକ୍ରମଣକୁ ରୋକାଯାଇପାରିବ ।

ପାକିସ୍ତାନର ନୂଆ ପରମାଣୁ ନୀତିର ଭାରତ ଉପରେ କଣ ପ୍ରଭାବ ପଡ଼ିବ ?

ରକ୍ଷା ବିଶେଷଜ୍ଞ କର୍ଣ୍ଣଲ ଜେଏସ ସୋଦୀଙ୍କ କହିବ ଅନୁସାରେ କିଦୱାଇଙ୍କ ବକ୍ତବ୍ୟ ଭାରତ ପାଇଁ ଏକ ଚେତାବନୀ ସଦୃଶ୍ୟ ହୋଇପାରେ । ଏହାର ଅର୍ଥ ହେଲା ଭାରତ ଯଦି ପୁନର୍ବାର ସର୍ଜିକାଲ ଷ୍ଟ୍ରାଇକ କି ବାଲାକୋଟ ଏଆର ଷ୍ଟ୍ରାଇକ ପରି ପଦକ୍ଷେପ ଗ୍ରହଣ କରେ ତେବେ ପାକିସ୍ତାନ ଟେକ୍ଟିକାଲ ନିଉକ୍ଲିଅର ୱିପନ୍ ବ୍ୟବହାର କରିବାପାଇଁ ପଛଘୁଞ୍ଚା ଦେବନାହିଁ । କର୍ଣ୍ଣଲ ସୋଦୀଙ୍କ କହିବା ଅନୁସାରେ ଏବେ ପାକିସ୍ତାନ ପରମାଣୁ ଲ୍ୟାଣ୍ଡମାଇନର ବ୍ୟବହାର କରିବ ଯାହାକୁ ଜିରୋ ରେଞ୍ଜରେ ଗଣାଯିବ । ଟେକ୍ଟିକାଲ ରେଞ୍ଜ ଯଥା ୦ ରୁ ୬୦ କିମିର ସର୍ଟ ଡିଫେନସରେ ମଧ୍ୟ ପାକିସ୍ତାନ ପରମାଣୁର ଉପଯୋଗ କରିବାକୁଯାଉଛି । ପାକିସ୍ତାନ ତା’ ନିଜର ପରମାଣୁ ଅସ୍ତ୍ର ସବୁକୁ ଏପରି ବିକଶିତ କରିବାକୁ ଯାଉଛି ଯାହା ୦ ରୁ ୨୭୫୦ କିମି ପର୍ଯ୍ୟନ୍ତ କୌଣସି ବି ଲକ୍ଷ୍ୟକୁ ଭେଦ କରିପାରିବ । ଯୁଦ୍ଧର ସ୍ଥିତିରେ ସେନାର ଏକ ଇନଫେଣ୍ଟ୍ରି ଆଗୁଆ ଯାଏ , ଅପରେସନ ହିସାବରେ ଏଥିରେ ୫୦ ରୁ ୧୦୦ ସୈନିକ ରହିଥାନ୍ତି ଅର୍ଥାତ ଯଦି ଏପରି ଏକ ସୈନ୍ୟଦଳ ଭୂଭାଗରେ ଆକ୍ରମଣ କରିବାକୁ ଯିବେ ତେବେ ସେମାନଙ୍କ ପାଇଁ ପରମାଣୁ ଲ୍ୟାଣ୍ଡମାଇନ ଏକ ଗମ୍ଭୀର ଚେତାବନୀ ସଦୃଶ୍ୟ କାମ ଦେବ, ଯାହାକୁ ଜିରୋ କିମି ରେଞ୍ଜରେ ଗଣାଯିବ ।

ପରମାଣୁ ଲ୍ୟାଣ୍ଡମାଇନ ଏକ ଅତ୍ୟନ୍ତ ସମ୍ବେଦନଶୀଳ ବିଷୟ ଅଟେ । ଯଦିଓ ଆଜି ଯାଏ ପରମାଣୁ ଅସ୍ତ୍ର ସମ୍ପନ୍ନ କୋଣସି ଦେଶ ଏହାକୁ ସ୍ଵୀକାର କରିନାହାନ୍ତି । ଆଜି ପର୍ଯ୍ୟନ୍ତ ପରମାଣୁ ଅସ୍ତ୍ର କହିଲେ ସମସ୍ତେ କ୍ଷେପଣାସ୍ତ୍ରକୁ ହିଁ ବୁଝନ୍ତି କିନ୍ତୁ ପରମାଣୁ ଲ୍ୟାଣ୍ଡମାଇନ ଯୁଦ୍ଧ ଭାଷାରେ ଏକ ନୂଆ ଶବ୍ଦ ଅଟେ । ଭାରତ ପାକିସ୍ତାନ ସମେତ କେବଳ ୯ ଟି ଦେଶ ପାଖରେ ପରମାଣୁ ଅସ୍ତ୍ର ଅଛି କିନ୍ତୁ ପାକିସ୍ତାନ ପ୍ରଥମ ଦେଶ ଯିଏକି ପରମାଣୁ ଲ୍ୟାଣ୍ଡମାଇନ ବ୍ୟବହାର କରିବା କଥା କହୁଛି ।

ପୂର୍ବ ନୌସେନା ପ୍ରମୁଖ ଅରୁଣ ପ୍ରକାଶଙ୍କ କହିବା ଅନୁସାରେ କିଦୱାଇଙ୍କ ବକ୍ତବ୍ୟରୁ ତିନୋଟି ବଡ଼ ବିଷୟ ସାମନାକୁ ଆସିଛି ଯାହା ଭାରତ ପାଇଁ ଚିନ୍ତାଜନକ ଅଟେ ।
ପ୍ରଥମେ – ପାକିସ୍ତାନର ପରମାଣୁ ଆକ୍ରମଣର ଜବାବରେ ଭାରତ ଯେଉଁ ବଡ଼ ଧରଣର ପାଲଟା ଆକ୍ରମଣ କରିବାର ନୀତିକୁ ଏହା ଦୁର୍ବଳ କରିବ ।
ଦ୍ବିତୀୟରେ – ପାକିସ୍ତାନ ଭାରତର ବାଲାଷ୍ଟିକ ମିସାଇଲ ଡିଫେନସ (ବିଏମଡି)କୁ ଦୁର୍ବଳ ବୋଲି ପ୍ରମାଣିତ କରିବାକୁ ଚେଷ୍ଟା କରିବା । ଭାରତର ସ୍ଵଦେଶୀ ବିଏମଡି କିମ୍ବା ରୁଷରୁ ଆମଦାନୀ କରିଥିବା ଏସ୍-୪୦୦ ଏଆର ଡିଫେନସ ସିଷ୍ଟମ ଥିଲା ପରେ ମଧ୍ୟ ପାକିସ୍ତାନ ଭାରତର ଯେ କୌଣସି ସ୍ଥାନରେ ଏହାର ଲକ୍ଷ୍ୟଭେଦ କରିପାରିବ ।
ତୃତୀୟରେ – ଏପର୍ଯ୍ୟନ୍ତ ଅନୁମାନ କରାଯାଉଥିଲା ଯେ କ୍ଷେପଣାସ୍ତ୍ରର ସଠିକତା, ରିଅଲ ଟାଇମ ସର୍ଭେଲାନ୍ସ ଏବଂ ଟାର୍ଗେଟ ସୂଚନା ଦୃଷ୍ଟିରୁ ଏହାର ସୀମାକୁ ଦୃଷ୍ଟିରେ ରଖି ପାକିସ୍ତାନ ଏକ କାଉଣ୍ଟରଭାଲ୍ୟୁ କିମ୍ବା କାଉଣ୍ଟର-ସିଟି ଟାର୍ଗେଟ ରଣନୀତି ଅନୁସରଣ କରିବ। ଯଦି ପାରମ୍ପାରିକ ଅଣ-ଆଣବିକ କ୍ଷେପଣାସ୍ତ୍ର ଦ୍ଵାରା ଭାରତର ଆଣବିକ ଅସ୍ତ୍ରଶସ୍ତ୍ରକୁ ଟାର୍ଗେଟ କରାଯାଏ, ତେବେ ଭାରତ-ପାକିସ୍ଥାନ ଆଣବିକ ନୀତିରେ ଏକ ନୂତନ ଦିଗ ଯୋଡାଯିବ ।