ଓଡ଼ିଶା ପରିବା ବଜାରରେ କାହାର କବଜା? ବିଧାନସଭାରେ ଉତ୍ତର ଓ ବାସ୍ତବ ସ୍ଥିତି ଭିନ୍ନ

194

କନକ ବ୍ୟୁରୋ: ଓଡିଶା ବିଭିନ୍ନ ପରିବା ଉତ୍ପାଦନରେ ଅଗ୍ରଣୀ ଥିବା ନେଇ ବିଧାନସଭାରେ ରାଜ୍ୟ କୃଷି ମନ୍ତ୍ରୀ ସୂଚନା ଦେଉଥିବାବେଳେ ବାସ୍ତବ ତଥ୍ୟ କିଛି ଭିନ୍ନ କଥା କହୁଛି । କନ୍ଦମୂଳ, ବାଇଗଣ, କୋବି ଭଳି ପରିବା ଉତ୍ପାଦନରେ ଓଡିଶା ଦେଶରେ ଆଗୁଆ କୁହାଯାଉଥିବାବେଳେ, ଏବେ ବି ବିଭିନ୍ନ ପରିବା ପାଇଁ କେମିତି ବାହାର ରାଜ୍ୟ ଉପରେ ନିର୍ଭର କରିବାକୁ ପଡୁଛି ତାହା ସାମନାକୁ ଆସିଛି ।

ଏଥର ଶୀତ ଅଧିବେଶନରେ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏକ ଅଣତାରକା ପ୍ରଶ୍ନର ଉତ୍ତରରେ ଦେଇଥିବା କିଛି ତଥ୍ୟ ଉପରେ ପ୍ରଥମେ ନଜର ପକାନ୍ତୁ…

ପରିବା ଉତ୍ପାଦନରେ ଓଡ଼ିଶା

  • କନ୍ଦମୂଳ ଉତ୍ପାଦନରେ- ନମ୍ବର ୧
  • ବାଇଗଣ ଓ ବନ୍ଧାକୋବିରେ- ନମ୍ବର ୨
  • ଭେଣ୍ଡି ଓ ଟମାଟୋରେ- ନମ୍ବର ୫
  • ଫୁଲକୋବି ଉତ୍ପାଦନରେ- ନମ୍ବର ୬
  • ଲାଉ ଉତ୍ପାଦନରେ ଓଡି଼ଶା- ନମ୍ବର ୮

ହେଲେ ରାଜଧାନୀ ଭୁବନେଶ୍ୱରର ୧ ନମ୍ବର ପରିବା ହାଟରେ ଦାମ ପଚାରିବାରୁ ଜଣାପଡିଛି ଯେ, ଦେଶୀ ଟମାଟୋ ସ୍ଥାନୀୟ ବଜାରରେ ଉପଲବ୍ଧ ନାହିଁ । ରାଜଧାନୀବାସୀଙ୍କ ଚାହିଦା ମେଣ୍ଟାଇବାକୁ ରାୟପୁର ଓ ନାସିକରୁ ଆସୁଛି ଟମାଟୋ । କୋଲକାତା ଓ ରାୟପୁରରୁ ଆସୁଛି ବାଇଗଣ, ମଧ୍ୟପ୍ରଦେଶରୁ ବନ୍ଧାକୋବି, ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶରୁ ଅମୃତଭଣ୍ଡା, ରାଜସ୍ଥାନ, ନାଗପୁରରୁ ଗାଜର ଭଳି ବିଭିନ୍ନ ରାଜ୍ୟରୁ ବିଭିନ୍ନ ପ୍ରକାର ପରିବା ଆସୁଛି ।

କେବଳ ଡିସେମ୍ବର ୧୫ରୁ ମାର୍ଚ୍ଚ ୧୫ ମଧ୍ୟରେ ସ୍ଥାନୀୟ ଉତ୍ପାଦନ ଓଡିଶାବାସୀଙ୍କ ପରିବା ଚାହିଦା ପୂରଣ କରିପାରୁଛି । ଗତ ୧୦ ବର୍ଷ ମଧ୍ୟରେ ରାଜ୍ୟରେ ପରିବା ଉତ୍ପାଦନ ମଧ୍ୟ ମାତ୍ର ୪.୧୪ ପ୍ରତିଶତ ବଢିଛି । ପରିବା ଉତ୍ପାନକୁ ପ୍ରୋତ୍ସାହିତକରିବା କିମ୍ବା ଉତ୍ପାଦନକୁ ସାଇତି ରଖିବା ଭଳି ବ୍ୟବସ୍ଥା କରୁନାହାନ୍ତି ସରକାର । ଆଉ ଯେତିକି ପରିବା ଉତ୍ପାଦନ ହେଉଛି ତାର ଲାଭ ମଧ୍ୟ ସ୍ଥାନୀୟ ଗ୍ରାହକ କିମ୍ବା ଚାଷୀ କାହାରିକୁ ମିଳୁନାହିଁ । ଚାଷୀ କମ୍ ମୂଲ୍ୟରେ ବିକୁଥିବାବେଳେ ଗ୍ରହାକ ଅଧିକ ଦାମରେ କିଣୁଛି ।

କୁହାଯାଉଛି ବାହାର ରାଜ୍ୟରୁ ଆସୁଥିବା ପରିବା ନେଇ ମାର୍କେଟ ଫି ନଥିବାରୁ ବିଧିବଦ୍ଧ ଭାବରେ କେତେ ପରିବା ବଜାରକୁ ଆସୁଛି ତାର ହିସାବ ସରକାରଙ୍କ ପାଖରେ ରହୁନାହିଁ । କିନ୍ତୁ ଏକଥା ସତ ଯେ, ରାଜଧାନୀ ସମେତ ରାଜ୍ୟର ଅଧିକାଂଶ ବଜାରରେ ବାହାର ରାଜ୍ୟ ପରିବାର କବଜା ରହିଛି ।