ରାଜ୍ୟ ବାହାରକୁ ଲମ୍ବିଛି ନକଲି ଔଷଧର ଚେର । ନକଲି କ୍ଲାଭାମ୍–୬୨୫ର ହିମାଚଳ ଲିଙ୍କ୍

163

କନକ ବ୍ୟୁରୋ: କ୍ଲାଭାମ୍–୬୨୫ ନକଲି ଔଷଧର ଚେର ହିମାଚଳରୁ ଓଡିଶା ପର୍ଯ୍ୟନ୍ତ ଲମ୍ବିଛି । ଏନେଇ ସୂଚନା ଦେଇଛି ଡ୍ରଗ୍ସ କଂଟ୍ରୋଲ ବିଭାଗ । ଓଡିଶାରେ ଏହି ମେଡିସିନ୍ର ସପ୍ଲାଏ କରି ନଥିବା କମ୍ପାନୀ ସ୍ପଷ୍ଟ କରିବା ପରେ ଡ୍ରଗ୍ କଂଟ୍ରୋଲ ତରଫରୁ କାର୍ଯ୍ୟାନୁଷ୍ଠାନ ବି ଆରମ୍ଭ ହୋଇଛି । ସେପଟେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ କହିଛନ୍ତି ନକଲି ଔଷଧ କାରବାର କରୁଥିବା ବ୍ୟକ୍ତିଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ ।

ନକଲି ଔଷଧ ନେଇ ଚିନ୍ତା ବଢ଼ିଥିବା ବେଳେ ସାଂଘାତିକ କଥା ସାମ୍ନାକୁ ଆସିଛି । ନକଲି ଔଷଧର ଚେର ରାଜ୍ୟ ବାହାରକୁ ଲମ୍ବିଛି । ବିଶେଷକରି କ୍ଲାଭାମ୍–୬୨୫ ନକଲି ଔଷଧ ପଛରେ ରହିଛି ହିମାଚଳ ଲିଙ୍କ । ପୂର୍ବରୁ ଜବତ ହୋଇଥିବା ନକଲି ଟେଲମା-୪୦ ମାମଲା ସହ ମଧ୍ୟ ରାଜ୍ୟ ବାହାରର ଲିଙ୍କ ଥିବା ସନ୍ଦେହ କରାଯାଉଛି । ଓଡ଼ିଶାରେ କ୍ଲାଭାମା-୬୨୫ ମେଡିସିନ ସପ୍ଲାଏ ହୋଇନଥିବା ଏହାର ପ୍ରସ୍ତୁତକାରୀ କମ୍ପାନୀ ଆଲକେମ୍ କହିଛି । ଫଳରେ ଓଡ଼ିଶାକୁ ଏହି ନକଲି ଔଷଧ କିପରି ଆସିଲା, ତାହା ଏବେ ବଡ଼ ପ୍ରଶ୍ନ ।

ଅନ୍ୟପଟେ ନକଲି ଔଷଧକୁ ନେଇ ଡ୍ରଗ୍ କଂଟ୍ରୋଲ ତରଫରୁ ଧରପଗଡ଼ ଆରମ୍ଭ ହୋଇଛି । ରାଜଧାନୀର ଅଶୋକ ନଗରରେ ଥିବା କିରଣ ଫାର୍ମାସ୍ୟୁଟିକାଲରେ ଚଢଉ କରି ୬୫ ହଜାର ଟଙ୍କାର ନକଲି କ୍ଲାଭାମ୍ – ୬୨୫ ଜବତ କରିଛି ଡ୍ରଗ୍ସ୍ କଂଟ୍ରୋଲ ବିଭାଗ । ଏହି ବ୍ୟାଚ୍ ନମ୍ବରର ସବୁ କ୍ଲାଭାମା-୬୨୫ ମେଡିସିନକୁ ମାର୍କେଟରୁ ଜବତ କରିନେଇଛି ଡ୍ରଗ୍ସ୍ କଂଟ୍ରୋଲ ବିଭାଗ । ଏହାସହ ନକଲି ମେଡିସିନ୍ ଯୋଗାଉ ଥିବାରୁ କିରଣ ଫାର୍ମାସ୍ୟୁଟିକାଲ୍ ନାମରେ କୋର୍ଟରେ ମାମଲା ଦାୟର କରିଛି ବିଭାଗ ।

  • ସ୍ୱାସ୍ଥ୍ୟମନ୍ତ୍ରୀଙ୍କ କଡ଼ା ଚେତାବନୀ
  • ନକଲି ଔଷଧ ବ୍ୟବସାୟ ବିରୋଧରେ ହେବ କଠୋର କାର୍ଯ୍ୟାନୁଷ୍ଠାନ

ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ କହିଛନ୍ତି ଯେ, ନକଲି ଔଷଧ କାରବାର କରୁଥିବା ବ୍ୟକ୍ତିଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ । ନକଲି ଔଷଧ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଡ୍ରଗ୍ କଂଟ୍ରୋଲର ସୁବୋଧ ନାୟକ କହିଛନ୍ତି ଯେ, ରିଟେଲ୍ ଓ ହୋଲସେଲ ପଏଂଟ୍ ଉପରେ ନଜର ରଖାଯାଇଛି ।

ଔଷଧ କିଣିବା ବେଳେ କ’ଣ କରିବେ ଗ୍ରାହକ?

  • ମେଡିସିନ କିଣିବା ବେଳେ ବ୍ୟାଚ୍ ନମ୍ବର ଓ ବାରକୋଡ ଚେକ୍ କରନ୍ତୁ
  • ମେଡିସିନ ଉପରେ ଲେଖାଯାଇଥିବା ନାଁ ଓ ସ୍ପେଲିଂକୁ ଭଲକରି ଦେଖନ୍ତୁ
  • ମେଡିସିନ ଆଣିବା ବେଳେ ନିଶ୍ଚିତ ଭାବେ ବିଲ୍ ଆଣନ୍ତୁ
  • ଯେତେ ସମ୍ଭବ ଅନଲାଇନରେ ମେଡିସିନ କିଣିବାରୁ ଦୂରେଇ ରହୁନ୍ତୁ