ବଞ୍ଚିଛି ମଣିଷ, ହେଲେ ମାରିଦେଇଛି ସରକାରୀ କାଗଜ ପତ୍ର । କୋଭିଡ ତାଲିକାରେ ସାଙ୍ଘାତିକ ତ୍ରୁଟି ।

134

କନକ ବ୍ୟୁରୋ : କୋଭିଡ ତାଲିକାରେ ସାଙ୍ଘାତିକ ତ୍ରୁଟି । ବଞ୍ଚିଛି ମଣିଷ, ହେଲେ ମାରିଦେଇଛି ସରକାରୀ କାଗଜ ପତ୍ର । ଜୀବିତ ବ୍ୟକ୍ତିଙ୍କୁ ମୃତ ଦର୍ଶାଇ ପ୍ରସ୍ତୁତ ହୋଇଛି କୋଭିଡ ମୃତ ବ୍ୟକ୍ତିଙ୍କ ତାଲିକା । ମୟୂରଭଞ୍ଜ ଜିଲ୍ଲାର ଉଦଳା ଓ ଖୋର୍ଦ୍ଧା ଜିଲ୍ଲାର ବାଲିପାଟଣାରୁ ଆସିଛି ଏଭଳି ଅଭିଯୋଗ ।

ଏ ହେଉଛନ୍ତି ମୟୂରଭଞ୍ଜ ଉଦଳାର ଧନାପନା ଗାଁର ସ୍ନେହଲତା ଦାସ । ପୂର୍ବରୁ କୋଭିଡରେ ସଂକ୍ରମିତ ହୋଇଥିଲେ, ତେବେ ଚିକିତ୍ସା ପରେ ଏବେ ସୁସ୍ଥ ଅଛନ୍ତି । ହେଲେ ସରକାରୀ କାଗଜରେ ତାଙ୍କୁ ମୃତ ଘୋଷଣା କରାଯାଇଛି । ବଞ୍ଚିଥିବା ମଣିଷ ସରକାରୀ କାଗଜପତ୍ରରେ ମୃତ । କୋଭିଡ ରିପୋର୍ଟରେ ସାଂଘାତିକ ତ୍ରୁଟି ।

ଖୁଂଟା ତହସିଲଦାରଙ୍କ ନିକଟକୁ ଯେଉଁ ରିପୋର୍ଟ ପଠାଯାଇଛି, ସେଥିରେ କୋଭିଡରେ ମୃତ୍ୟୁବରଣ କରିଥିବା ୯ ଜଣଙ୍କ ନାମ ସହିତ ରହିଛି ସ୍ନେହଲତାଙ୍କ ନାଁ । ବଞ୍ଚି ଥାଉ ଥାଉ ସ୍ନେହଲତାଙ୍କୁ ରିପୋର୍ଟରେ ମାରିଦିଆଯାଇଛି । ଏଥିରେ ଦର୍ଶାଯାଇଛି ଯେ, ୧୯ ମାର୍ଚ୍ଚରେ କରୋନା ଆକ୍ରାନ୍ତ ହେବା ପରେ ସେ ଘରୋଇ ସଙ୍ଗରୋଧରେ ଥିଲେ, ଆଉ ୩୦ ଜୁଲାଇରେ ତାଙ୍କର ମୃତ୍ୟୁ ହୋଇଯାଇଛି । ହେଲେ ସ୍ନେହଲତା ଏବେ ଜୀବିତ ଅଛନ୍ତି ଏବଂ ପୁରା ସୁସ୍ଥ ମଧ୍ୟ ଅଛନ୍ତି । ସେ କୋଭିଡ ଆକ୍ରାନ୍ତ ହୋଇଥିଲେ ସତ, ହେଲେ ଘରେ ଚିକିତ୍ସିତ ହୋଇ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯାଇଥିଲେ । ତାଙ୍କୁ ରିପୋର୍ଟରେ ମୃତ୍ୟୁ ଖବର ଶୁଣି ସେ ଆଶ୍ଚର୍ଯ୍ୟ ହୋଇଛନ୍ତି । ଏଭଳି ଏକ ସାଂଘାତିକ ଘଟଣା ଜଣାପଡ଼ିବା ପରେ ସ୍ଥାନୀୟ ବିସିପୁର ରାଜସ୍ୱ ନିରୀକ୍ଷକଙ୍କୁ ତହସିଲଦାର ଘଟଣାର ତଦନ୍ତ କରିବାକୁ କହିଛନ୍ତି ।

ସମାନ ଘଟଣା ଘଟିଛି ବାଲିପାଟଣାରେ । ପମ୍ପାଲା ପଞ୍ଚାୟତର କୁଳିନ୍ତିରା ଗାଁର ବିରଞ୍ଚି ନାରାୟଣ ବେହେରା ବଞ୍ଚି ଥାଉ ଥାଉ ତାଙ୍କୁ କୋଭିଡ ରିପୋର୍ଟରେ ମୃତ ଘୋଷଣା କରାଯାଇଛି । ବ୍ଲକକୁ ଆସିଥିବା ୫୨ ଜଣଙ୍କ କୋଭିଡ ମୃତ୍ୟୁ ତାଲିକାରେ ବିରଞ୍ଚିଙ୍କ ନାଁ ରହିଛି । ବିରଞ୍ଚିଙ୍କୁ ପଞ୍ଚାୟତର ଜଣେ କର୍ମଚାରୀ ଫୋନ ଯୋଗେ ଜଣାଇଥିଲେ । ବିରଞ୍ଚି କରୋନାରେ ସଂକ୍ରମିତ ହେବା ପରେ ହୋମ ଆଇସୋଲେସନରେ ରହି ସୁସ୍ଥ ହୋଇଯାଇଥିଲେ । କିନ୍ତୁ ରିପୋର୍ଟରେ ଦର୍ଶାଯାଇଛି ଯେ, ଜୁନ୍ ୧୫ରେ ତାଙ୍କର ମୃତ୍ୟୁ ହୋଇଯାଇଛି ।

ଜୀବିତ ବ୍ୟକ୍ତିଙ୍କୁ କୋଭିଡ ରିପୋର୍ଟରେ ମୃତ ଘୋଷଣା ପରେ ସମ୍ପୃକ୍ତ ବ୍ୟକ୍ତି ଓ ସେମାନଙ୍କ ପରିବାର ଏବେ ମାନସିକ ଯନ୍ତ୍ରଣା ଭୋଗୁଛନ୍ତି । ତେବେ ପ୍ରଶ୍ନ ଉଠୁଛି ସରକାରୀ କାଗଜପତ୍ରରେ ଏତେ ବଡ଼ ଭୁଲ ହେଉଛି କିପରି ? ଏପରି ତଥ୍ୟ ସାମ୍ନାକୁ ଆସିବା ପରେ କୋଭିଡ ମୃତ୍ୟୁ ଜନିତ ସରକାରୀ ତଥ୍ୟ ଉପରେ ଥିବା ଦ୍ୱନ୍ଦ୍ୱ ଆହୁରି ବଢ଼ିଛି ।