ତାଇୱାନର ଆଇରନ୍ ଲେଡି ସାଈ ଇଙ୍ଗ୍ ୱେନ୍ : ଦିନେ ଶି-ଜିନପିଙ୍ଗଙ୍କ ଚିଠିକୁ ଡଷ୍ଟବିନକୁ ଫିଙ୍ଗିଦେଇଥିଲେ ।

318

କନକ ବ୍ୟୁରୋ: ପୂର୍ବରୁ ଚୀନକୁ ଡରି ଡରି ରହୁଥିବା ତାଇୱାନ୍ ହଠାତ୍ ନିର୍ଭିକ ହୋଇଉଠିଲା । ନିଜ ଦେଶକୁ ସ୍ୱତନ୍ତ୍ର ଭାବେ ଚଳାଇବାର ସାହାସ ନେଇ ଏଠିକାର ନାଗରିକଙ୍କୁ ବି ସଶକ୍ତ କଲା । ଏସବୁର ଶ୍ରେୟ ଯାଉଛି ତାଇୱାନର ଆଇରନ୍ ଲେଡି ଭାବେ ଜଣା ବର୍ତ୍ତମାନର ରାଷ୍ଟ୍ରପତି ସାଈ ଇଙ୍ଗ ୱେନଙ୍କୁ । କାରଣ ୨୦୧୬ରେ ସେ ତାଇୱାନର ରାଷ୍ଟ୍ର ମୁଖ୍ୟ ହେବା ପରେ ଚୀନର ଚେତାବନୀକୁ ଖାତିର ନକରି ଏକ ନୂଆ ଓ ସ୍ୱତନ୍ତ୍ର ତାଇୱାନ ଗଢିବାର ସ୍ୱପ୍ନ ଦେଖିଥିଲେ , ଏହାକୁ ସଫଳ କରିବାକୁ ପ୍ରାଣପଣେ ଚେଷ୍ଟା ମଧ୍ୟ କରିଥିଲେ ।

ଚୀନ ପରି ଦୁର୍ଦ୍ଦସ ଦେଶର ଚେତାବନୀକୁ ଖାତିର କରୁନଥିବା ତାଇୱାନର ନିର୍ଭିକତା ଏବେ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ । ତାଇୱାନର ତଟବର୍ତ୍ତୀ ସମୁଦ୍ରରେ ଚୀନ ମିସାଇଲ ଆକ୍ରମଣ କରିସାରିଥିଲେ ବି ଅଟଳ ରହିଛି ତାଇୱାନ୍  । ହେଲେ ପୂର୍ବରୁ ତାଇୱାନର ସ୍ଥିତି ଏପରି ନଥିଲା । ସବୁବେଳେ ଡ୍ରାଗନକୁ ଡରି ଡରି ରହୁଥିଲା । ବହୁ ଚର୍ଚ୍ଚିତ ‘୧୯୯୨ କନସେନ୍ସ’ର ଫାଇଦା ଉଠାଇ ସବୁବେଳେ ତାଇୱାନକୁ ନାଲିଆଖି ଦେଖାଇଚାଲିଥିଲା ଚୀନ୍ । ହେଲେ ୨୦୧୬ରେ ଏସବୁରେ ପୂର୍ଣ୍ଣଚ୍ଛେଦ ପକାଇଲେ ତାଇୱାନର ଆଇରନ୍ ଲେଡି ସାଈ ଇଙ୍ଗ୍ ୱେନ୍ ।

ସାଈ ଇଙ୍ଗ୍ ୱେନ୍ ତାଇୱାନର ପ୍ରଥମ ମହିଳା ରାଷ୍ଟ୍ରପତି ଯିଏ ୨୦୧୬ରେ ସଂଖ୍ୟାଗରିଷ୍ଠତା ପାଇ ରାଷ୍ଟ୍ରପତି ନିର୍ବାଚନ ଜିତି ସତ୍ତାକୁ ଆସିଲେ । ୧୯୫୬ରେ ତାଇୱାନ ରାଜଧାନୀ ତାଇପେଇରେ ଜନ୍ମଗ୍ରହଣ  କରିଥିଲେ ସାଈ ଇଙ୍ଗ୍ ୱେନ୍ । ସାଈଙ୍କ ବାପା ଜଣେ ଅଟୋ ରିପାୟରିଙ୍ଗ ଦୋକାନ ଚଳାଇ ପରିବାର ଚଳାଉଥିଲେ । ୧୧ଜଣ ଭାଇ ଭଉଣୀଙ୍କ ମଧ୍ୟରେ ସାଈ ୱେନ ଥିଲେ ସବୁଠାରୁ ସାନ ଝିଅ । ସେ ପିଲାବେଳୁ ମେଧାବୀ ଥିଲେ । ତାଇୱାନରେ ସ୍ନାତକ ପଢା ଶେଷ ପରେ ଲଣ୍ଡନ ସ୍କୁଲ ଅଫ୍ ଇକୋନୋମିକ୍ସ ରେ ସ୍ନାତକୋତ୍ତର କରିଥିଲେ । ଏହାପରେ ଦେଶକୁ ଫେରି ଆଇନର ପ୍ରଫେସର ଭାବେ କାର୍ଯ୍ୟ କରିଥିଲେ । ଏହାପରେ ନିଜ ଦେଶର ପ୍ରଭୂତାକୁ ଅନୁଭବ କରି ରାଜନୈତିକ ଦଳ ଡିପିପି (ଡେମୋକ୍ରାଟିକ୍ ପ୍ରୋଗ୍ରେସିଭ୍ ପାର୍ଟି) ରେ ଯୋଗ ଦେଲେ । ୨୦୦୦ରେ ତାଙ୍କୁ ମେନଲ୍ୟାଣ୍ଡ ଅଫେୟର୍ସ କାଉନସିଲର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଗଲା । ଏହା ମଧ୍ୟରେ ତାଙ୍କୁୁ ଗୁରୁତ୍ୱପୂର୍ଣ୍ଣ ଦିଆଯିବା ପରେ ୨୦୧୫ରେ ତାଙ୍କୁ ଦଳ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଚୟନ କରିଥିଲା । ଏଥିରେ ଚୀନ୍- ତାଇୱାନ ସମ୍ପର୍କକୁ ସେ ମୁଖ୍ୟ ମୁଦ୍ଦା କଲେ, ଏବଂ ସଂଖ୍ୟା ଗରଷ୍ଠତା ସହ ଜିତି ଦେଶର ରାଷ୍ଟ୍ରପତି ହେଲେ । ଏହାପରେ ତାଇୱାନର ରୂପରେଖ ବଦଳିଲା । ଏଠିକାର ନାଗରିକଙ୍କୁ ମିଳିଲା ନୂଆ ଶକ୍ତି । ୧୯୭୯ ପରେ ପ୍ରଥମ ଥର ପାଇଁ ଆମେରିକାର ରାଷ୍ଟ୍ରପତିଙ୍କ ସହ ସିଧାସଳଖ ଫୋନରେ କଥା ହୋଇ ସମ୍ପର୍କକୁ ସୁଦୃଢ କରିବାକୁ ଚେଷ୍ଟା ଆରମ୍ଭ କଲେ । ଏହାପରେ ଏକାଧିକ ଶକ୍ତି ରାଷ୍ଟ୍ରଙ୍କ ସହ ସୁସମ୍ପର୍କ ଗଢିବାରେ ସଫଳ ହେଲେ ସାଈ ଇଙ୍ଗ୍ ୱେନ୍ । ରାଷ୍ଟ୍ରପତି ହେବା ପରେ ଦେଶର ନୌସେନା ଓ ସ୍ଥଳସେନାକୁ ସୁଦୃଢ କରିବା ଉପରେ ଫୋକସ୍ କଲେ । ୧୯୯୨ ଚୁକ୍ତିକୁ ନେଇ ଚୀନ ରାଷ୍ଟ୍ରପତି ସାଈଙ୍କୁୁ ଚିଠି ଲେଖିଥିଲେ ବି ସେ ଏହାକୁ ଭୃକ୍ଷେପ ନକରି ଚିଠିକୁ ଡଷ୍ଟବିନକୁ ଫିଙ୍ଗିଦେଇଥିଲେ ।

 ସାଈ ରାଷ୍ଟ୍ରପତି ହେବା ପରେ ତାଇୱାନର ଆର୍ଥିକ, ପ୍ରଦ୍ୟୋଗିତ ସ୍ଥିତିରେ ଅନେକ ସୁଧାର ଆସିଛି । ଛୋଟ ଦେଶ ହେଲେ ବି ଯୁଦ୍ଧ କରିବା ଆଗରୁ ତାଇୱାନର ଶକ୍ତିକୁ ବାରମ୍ବାର ପରଖିବାକୁ ବାଧ୍ୟ ହେଉଛିି ଚୀନ୍ ।