କଂଗ୍ରେସରେ କୁଚକ୍ରୀ ଗୋଷ୍ଠୀ କିଏ? ନିଲମ୍ବନ ପରେ ପ୍ରେସମିଟ୍ କରି ଚିରଞ୍ଜୀବ ବିଶ୍ୱାଳ ଉଠାଇଲେ ପ୍ରଶ୍ନ

141

କନକ ବ୍ୟୁରୋ: କଂଗ୍ରେସରୁ ନିଲମ୍ବିତ ହେବାର ୨ ଦିନ ପରେ ମନର କ୍ଷୋଭ ପ୍ରକାଶ କରିଛନ୍ତି ଚିରଂଜୀବି ବିଶ୍ୱାଳ । ସାମ୍ବାଦିକ ସମ୍ମିଳନୀ ଜରିଆରେ, ନାଁ ନନେଇ ଅନେକ ନେତାଙ୍କୁ ଟାର୍ଗେଟ କରିଛନ୍ତି । କିଛି କୁଚକ୍ରୀ ଗୋଷ୍ଠୀଙ୍କ ପାଇଁ ଏଭଳି ଅବସ୍ଥା ହୋଇଥିବା କହିଛନ୍ତି ଚିରଂଜୀବ । ସସପେଣ୍ଡ ହୋଇଥିଲେ ବି ଦଳରେ ସେ ଏବେ ବି ରହିଛନ୍ତି । ଆଉ ଆସନ୍ତା ନିର୍ବାଚନ ଲଢିବେ ବୋଲି ମଧ୍ୟ ସ୍ପଷ୍ଟ ସଂକେତ ଦେଇଛନ୍ତି ।

କଂଗ୍ରେସରୁ ନିଲମ୍ବନର ଦୁଇଦିନ ପରେ ସାମ୍ନାକୁ ଆସିଛନ୍ତି ଜଗତସସିଂହପୁରର ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ । ଭୁବନେଶ୍ୱରରେ ସାମ୍ବାଦିକ ସମ୍ମଳିନୀ କରି ଚିରଞ୍ଜୀବ ନିଜର କ୍ଷୋଭ ପ୍ରକାଶ କରିଛନ୍ତି । ସେ କହିଛନ୍ତି , ଦୀର୍ଘ ୨୩ ବର୍ଷ ଧରି କଂଗ୍ରେସ କ୍ଷମତାରେ ନାହିଁ । ଯେଉଁଠି କଂଗ୍ରେସର ଭଲ ସଙ୍ଗଠନ ଅଛି ସେଠାରେ କଂଗ୍ରେସକୁ ଦୁର୍ବଳ କରିବାକୁ କିଛି କୁଚକ୍ରୀ ଗୋଷ୍ଠୀ ଉଦ୍ୟମ କରୁଛନ୍ତି । ମୋ ରକ୍ତରେ ବେଇମାନି ନାହିଁ । ସେହିଭଳି ତାଙ୍କ ବିରୋଧରେ ଚକ୍ରାନ୍ତ ହୋଇଥିବା ବି ଅଭିଯୋଗ ଆଣିଛନ୍ତି ଚିରଞୀବ । ସେ ସିଧାସଳଖ ଅଭିଯୋଗ କରିଛନ୍ତି, ମତାମତ ଗ୍ରହଣ କରିବାର ଯଦି ଧୈର୍ଯ୍ୟ ନାହିଁ ଓ ପଦପଦବୀରେ ରହି ନିଜସ୍ୱ ଫାଇଦା ହାସଲ ପାଇଁ ଉଦ୍ୟମ କରିବେ ତାହେଲେ କଂଗ୍ରେସକୁ ଆଗକୁ କେମିତି ବଢିବ ।

ପିସିସି ସଭାପତି ଦେଇଥିବା ୯ରୁ ୯୦ ଡାକରାକୁ ମଧ୍ୟ ତାତ୍ସଲ୍ୟ କରିଛନ୍ତି ଚିରଞ୍ଜୀବ । ଦଳବିରୋଧୀ ମନ୍ତବ୍ୟ ଯୋଗୁଁ ଯଦି ଝାରୁସୁଗୁଡାରେ କଂଗ୍ରେସ ନିର୍ବାଚନ ହାରିଲା ତେବେ ପଦ୍ମପୁର ଓ ଧାମନଗରରେ କାହା ପାଇଁ ଦଳ ପରାଜିତ ହେଲା ତାକୁ ନେଇ ପ୍ରଶ୍ନ କରିଛନ୍ତି ଚିରଞ୍ଜୀବ । ଚିରଞ୍ଜୀବଙ୍କ ସହ କଂଗ୍ରେସରୁ ନିଲମ୍ବିତ ହୋଇଥିବା କଟକ ବାରବାଟୀ ମଧ୍ୟ ମହମ୍ମଦ ମୋକିମ ମଧ୍ୟ ପରୋକ୍ଷରେ କାର୍ଯ୍ୟାନୁଷ୍ଠାନ ପାଇଁ ପିସିସିର ଏକ ଗୋଷ୍ଠୀକୁ ଦାୟୀ କରିଥିଲେ ।

ସବୁଠାରୁ ବଡ କଥାହେଲା, କଂଗ୍ରେସରୁ ନିଲମ୍ବିତ ଦୁଇନେତା କଂଗ୍ରେସ ଛାଡିବେନି ଓ କଂଗ୍ରେସରେ ରହିବେ ବୋଲି କହିଛନ୍ତି । ଏହାଛଡା ନିର୍ବାଚନ ଲଢିବେ ବୋଲି ସ୍ପଷ୍ଟ ସଙ୍କେତ ଦେଇଛନ୍ତି । ତେବେ କେଉଁ ଦଳରୁ ଲଢିବେ ନା ସ୍ୱାଧୀନ ପ୍ରାର୍ଥୀ ହେବେ ତାକୁ ନେଇ ଆଲୋଚନା ବଢିଯାଇଛି ।