ଗୁଣ୍ଡିଚା ମନ୍ଦିର ରୋଷଶାଳ ଚୁଲି ଭାଙ୍ଗିଲା କିଏ? ପୁରୀ ଏସପି କହିଲେ, ରୋଷଶାଳାରେ ସବୁବେଳେ ପଶିଥାନ୍ତି ମାଙ୍କଡ।

125

କନକ ବ୍ୟୁରୋ: ମହାପ୍ରଭୁଙ୍କ ରଥଯାତ୍ରା ଅବସରରେ ଶ୍ରୀଗୁଣ୍ଡିଚା ମନ୍ଦିର ରୋଷଶାଳାର ଚୁଲି ଭାଙ୍ଗିବା ଘଟଣାକୁ ନେଇ ଏବେ ବି ଦ୍ୱନ୍ଦ୍ୱ ଲାଗି ରହିଛି । ଚୁଲି ଭାଙ୍ଗିଲା କେମିତି, ତା’ର କାରଣ ଖୋଜା ଚାଲିଥିବା ବେଳେ ମାଙ୍କଡ ଚୁଲି ଭାଙ୍ଗିଥିବା କୁହାଯାଉଛି । ତେବେ ଚୂଲି ଭଙ୍ଗା ପ୍ରସଙ୍ଗରେ ପୁୁରୀ ଏସପି କ୍ୟାମେରା ସମ୍ମୁଖରେ କିଛି କହୁନଥିବା ବେଳେ ମାଙ୍କଡ ଯୋଗୁଁ ଗୁଣ୍ଡିଚା ମନ୍ଦିର ଚୁଲି ଭାଙ୍ଗି ଥାଇପାରେ ବୋଲି ସନ୍ଦେହ କରୁଛନ୍ତି ।

ଆଡପ ବିଜେ ନୀତି ପୂର୍ବରୁ ସୁଆର ନିଯୋଗ ସଦସ୍ୟ ୨୨ଟି ଚୁଲି ଭାଙ୍ଗିଥିବା ଅଭିଯୋଗ ଆଣିଥିଲେ । ଏହାପରେ ତୁରନ୍ତ ଚୁଲି ମରାମତି କାମରେ ଲାଗିଯାଇଥିଲେ । ସେପଟେ କିନ୍ତୁ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଅଭିଯୋଗକୁ ଖଣ୍ଡନ କରି ଚୁଲି ଭାଙ୍ଗି ନାହିଁ ବୋଲି କହିଛନ୍ତି । ସେବାୟତ କହୁଛନ୍ତି ଚୁଲି ଭାଙ୍ଗି ଦିଆଯାଇଛି । ପରିଚାଳନା କମିଟି ସଦସ୍ୟ କହୁଛନ୍ତି ଚୁଲି ଆଦୌ ଭଙ୍ଗାଯାଇ ନାହିଁ । ପ୍ରଶ୍ନ ଉଠୁଛି କିଏ ସତ କହୁଛି? ସୁଆର ମହାସୁଆର ନିଯୋଗ ସଦସ୍ୟ ନା ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ? ଶ୍ରୀଜିଉଙ୍କ ଆଡପ ମଣ୍ଡପ ବିଜେ ପୂର୍ବରୁ ସେବାୟତ ଅଭିଯୋଗ ଆଣିଥିଲେ, ଗୁଣ୍ଡିଚା ମନ୍ଦିରର ୧୪୮ ଚୁଲା ମଧ୍ୟରୁ ୨୨ଟି ଚୁଲାକୁ କେହି ଭାଙ୍ଗି ଦେଇଛି ।

ରୋଷଶାଳାକୁ କେବଳ ସେବାୟତଙ୍କ ପ୍ରବେଶ ଅନୁମତି ଥିବାରୁ ଚୁଲା ଭଙ୍ଗା ଘଟଣା ପଛରେ ସେବାୟତଙ୍କ ବିବାଦ ଥିବା ଅନୁମାନ କରାଯାଉଛି । ପୁରୀ ଏସପିଙ୍କୁ ଗୁଣ୍ଡିଚା ମନ୍ଦିର ରୋଷଶାଳ ଚୁଲି ଭାଙ୍ଗିବା ଘଟଣାକୁ ନେଇ ପ୍ରଶ୍ନ କରାଯିବାରୁ ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତି । କହିଛନ୍ତି ଏନେଇ କୌଣସି ଅଭିଯୋଗ ଆସିନାହିଁ । ସବୁବେଳେ ରୋଷଶାଳରେ ମଙ୍କଡ ପଶିଥାନ୍ତି, ତେଣୁ ମାଙ୍କଡଙ୍କ ଡିଆଁ ଡିଇଁ ଯୋଗୁଁ ହୁଏତ୍ ଚୁଲି ଗୁଡିକ ଭାଙ୍ଗି ଥାଇପାରେ ।