କେବେ ଖୋଲିବ ରତ୍ନଭଣ୍ଡାର, ଏଯାଏଁ ଦୂର ହେଉନି ଦ୍ୱନ୍ଦ୍ୱ । ରଥଯାତ୍ରାରୁ ନୀଳାଦ୍ରି ବିଜେ ଯାଏଁ, ରହିିଛି ସମୟ ।

128

କନକ ବ୍ୟୁରୋ: ଏଏସଆଇ ଅଧିକାରୀ କହିଲେ ଜୁଲାଇ ୮ ତାରିଖରେ ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର । ପରେ ଆଇନ ମନ୍ତ୍ରୀ କହିଲେ ଏ ସଂପର୍କରେ ସରକାର ନିଷ୍ପତି କରିବେ । ଶ୍ରୀମନ୍ଦିର ପରିଚାଳନା କମିଟି କହୁଛି, ରଥଯାତ୍ରା ସମୟରେ ଖୋଲାଯାଉ ରତ୍ନଭଣ୍ଡାର । ଏପରି ସ୍ଥଳେ କେବେ ଖୋଲିବ ରତ୍ନଭଣ୍ଡାର ତାକୁ ନେଇ ଲାଗିରହିଛି ଦ୍ୱନ୍ଦ୍ୱ । ତେବେ ରଥଯାତ୍ରା ସମୟରେ ରତ୍ନଭଣ୍ଡାର ଖୋଲିବାକୁ ଅନୁମତି ଦେବେ କି ସରକାର? କନକ ନ୍ୟୁଜକୁ ସ୍ୱତନ୍ତ୍ର ସାକ୍ଷାତକାର ଦେଇ ଏନେଇ ମତ ରଖିଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ ଗଜପତି ମହାରାଜ ।

୨୦୧୮ରେ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ରତ୍ନଭଣ୍ଡାର ଯାଞ୍ଚ ପାଇଁ ଯାଇଥିଲେ ୧୬ ଜଣିଆ କମିଟି । ବାହାର ଭଣ୍ଡାରରେ ପ୍ରବେଶ କରି ଯାଞ୍ଚ କରିଥିଲେ । କିନ୍ତୁ ଭିତର ଭଣ୍ଡାର ଚାବି ନମିଳିବାରୁ ପ୍ରବେଶ ସମ୍ଭବ ହୋଇନଥିଲା । ଯାହାର ତଦନ୍ତ ପାଇଁ କମିଶନ ଗଠନ ପରେ ଏହି ପ୍ରସଙ୍ଗ ଗତ ୬ ବର୍ଷ ହେଲା ଶୀତଳଭଣ୍ଡାରକୁ ଚାଲିଯାଇଛି ।

ତେବେ ୨୦୧୮ ଯାଞ୍ଚ ରିପୋର୍ଟ ଅନୁସାରେ ରତ୍ନଭଣ୍ଡାର ଅସୁରକ୍ଷିତ ରହିଛି । ଏହାର ମରାମତି ପାଇଁ ଏଏସଆଇକୁ ହସ୍ତାନ୍ତର କରିବା ପୂର୍ବରୁ ଭଣ୍ଡାର ଘରେ ଥିବା ସୁନା, ଅଳଙ୍କାର ସବୁ ସ୍ଥାନାନ୍ତର କରିବା ଜରୁରୀ ବୋଲି ମତ ଦେଇଛନ୍ତି ଗଜପତି ମହାରାଜ । ଏଥିସହ ନିଳାଦ୍ରିବିଜେ ପୂର୍ବରୁ ସବୁ କାମ ସାରିବାକୁ ପଡିବ ବୋଲି କହିଛନ୍ତି । ଶ୍ରୀମନ୍ଦିର ଜଗମୋହନ ମରାମତି ସମୟରେ ଯେଭଳି ନୀତି ଓ ଦର୍ଶନ ସମୟକୁ ନିୟନ୍ତ୍ରିତ କରି ମରାମତି କାମ ହେଉଥିଲା, ଠିକ ସେହିଭଳି ନୀତି ସରିବା ପରେ ଏଏସଆଇକୁ ସମୟ ଦେବା ପାଇଁ ପରାମର୍ଶ ଦେଇଛନ୍ତି ଗଜପତି ମହାରାଜ ।

ସୂଚନାଯୋଗ୍ୟ ଯେ, ଦୀର୍ଘ ୩୯ ବର୍ଷ ହେଲା ଭିତର ଭଣ୍ଡାର ଖୋଲାଯାଇ ନାହିଁ । ୪୬ ବର୍ଷ ହେଲା ସୁନା, ଅଳଙ୍କାରର ଗଣତି, ମଣତି ମଧ୍ୟ ହୋଇନାହିଁ । ଏବେ ପ୍ରଶ୍ନ ଉଠୁଛି ରଥଯାତ୍ରାରେ ସ୍ୱଳ୍ପ ସମୟର ଅବଧି ଭିତରେ ରତ୍ନଭଣ୍ଡାର ଯାଞ୍ଚ କରି ଏହାର ମରାମତି ସମ୍ଭବ ହେବ କି? ରତ୍ନ ଅଳଙ୍କାରର ଗଣତି, ମଣତି ହେବ କି ନାହିଁ ତାକୁ ନେଇ ମଧ୍ୟ ଦ୍ୱନ୍ଦ୍ୱ ବଢିବାରେ ଲାଗିଛି ।