୧୪ ଦିନ ଧରି ସୁଡ଼ଙ୍ଗ ଭିତରେ ୪୧ ଶ୍ରମିକ । କେବେ ଦେଖିବେ ବାହାର ଦୁନିଆ, ଚାହିଁ ବସିଛନ୍ତି ପରିବାର ସଦସ୍ୟ । ଉତ୍ତରକାଶୀ ଅଭିମୁଖେ ଭଗବାନଙ୍କ ପରିବାର ।

261

କନକ ବ୍ୟୁରୋ: ୧୩ ଦିନ ପୁରି ୧୪ ଚାଲିଲାଣି । ଏବେବି ଟନେଲ୍ ଭିତରେ ଫସି ରହିଛନ୍ତି ୪୧ ଶ୍ରମିକ । ଉଦ୍ଧାରକାରୀ ଦଳ ଯୁଦ୍ଧକାଳୀନ ଭିତିରେ ଶ୍ରମିକଙ୍କୁ ବାହାରକୁ ଆଣିବା ପାଇଁ ସବୁ ଜୋର ଲଗାଇ ଦେଇଛନ୍ତି । କିନ୍ତୁ ଉଦ୍ଧାର ସମୟରେ ବାରମ୍ବାର ଯେଉଁ ସମସ୍ୟା ଆସୁଛି, ତାହା ଅପେକ୍ଷାକୁ ଆହୁରି ବଢ଼ାଇ ଦେଇଛି । ସବୁଦିନ ଲାଗୁଛି, ଯେ ଆଜି ଉଦ୍ଧାରକାର୍ଯ୍ୟ ଶେଷ ହୋଇଯିବ । ହେଲେ ଦିନ ପରେ ଦିନ ଗଡ଼ିଚାଲିଛି, କିନ୍ତୁ କିଛି ବି ସୁଫଳ ମିଳୁନାହିଁ । ପ୍ରଶ୍ନ ଉଠୁଛି, କାହିଁକି ରେସ୍କ୍ୟୁ ଅପରେସନ୍ରେ ବାରମ୍ବାର ବାଧା ସୃଷ୍ଟି ହେଉଛି ।

ଗୁରୁବାର ବିଳମ୍ବିତ ବୈଷୟିକ ତ୍ରୁଟି ଯୋଗୁ ଡ୍ରିଲିଂ କାମ ଶୁକ୍ରବାର ପୁଣିଥରେ ଆରମ୍ଭ ହୋଇଥିଲା । କିନ୍ତୁ ଖନନ ସମୟରେ ବାରମ୍ବାର ଲୁହା ଆସୁଥିବାରୁ ମେସିନର କେତେକ ବ୍ଲେଡ ବଙ୍କା ହୋଇଯାଇଛି । ଫଳରେ ଖନନ କାର୍ଯ୍ୟ ଅଟକିଯାଇଛି । ସେଥିପାଇଁ ଶୁକ୍ରବାର ରାତିରେ ମଧ୍ୟ ଶ୍ରମିକମାନଙ୍କ ବାହାରକୁ ଅଣାଯାଇପାରିନଥିଲା । ବର୍ତ୍ତର୍ମାନ ସୁଦ୍ଧା ପ୍ରାୟ ୪୮ ମିଟର ପାଇପ୍ ଭିତରକୁ ଯାଇସାରିଥିବା ବେଳେ ବାକି ୧୨ ମିଟର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଡ୍ରିଲିଂ ସମୟରେ ଅନେକ ସମସ୍ୟା ଦେଖାଦେଇଥିବା ବେଳେ ଆଗର ମେସିନ ଆଗକୁ ଯାଇପାରୁନାହିଁ । ତେବେ ଆଜି ସବୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇପାରିବ କି ନାହିଁ, ତାହା କହିବା ସମ୍ଭବ ନୁହେଁ ।

ଅନ୍ୟପଟେ ନିଜ ଲୋକଙ୍କୁ ଏତେ ଦିନ ଅପେକ୍ଷା ପରେ ଉତ୍ତରକାଶୀ ଅଭିମୁଖେ ବାହାରିଛନ୍ତି ଶ୍ରମିକ ଭଗବାନ ନାୟକଙ୍କ ପରିବାର । ସରକାରଙ୍କ ସହାୟତାରେ ବିମାନ ଯୋଗେ ଉତ୍ତରକାଶୀ ଯାଇଛନ୍ତି ଭଗବାନଙ୍କ ଭାଇ ଓ ସମ୍ପର୍କୀୟ ।