ନାର୍କୋ ଟେଷ୍ଟରେ କ’ଣ ପଚାରିବ ପୋଲିସ୍: କେଉଁ କେଉଁ ପ୍ରଶ୍ନର ସାମ୍ନା କରିବ ଅଫତାବ?

132

କନକ ବ୍ୟୁରୋ: ଦିଲ୍ଲୀ ଶ୍ରଦ୍ଧା ହତ୍ୟା ମାମଲାରେ ଅଭିଯୁକ୍ତ ଅଫତାବ ପୁନାୱାଲା ବାରମ୍ବାର କଥା ବଦଳାଉଥିବାରୁ ତାର କଥା ଉପରେ ତଦନ୍ତକାରୀ ଦଳ ଭରସା କରି ପାରୁ ନାହିଁ । ଫଳରେ ସତ ସାମ୍ନାକୁ ଆଣିବାକୁ ନାର୍କୋ ଟେଷ୍ଟ କରାଯିବ । । ଏଥିପାଇଁ ଦିଲ୍ଲୀ ପୋଲିସ୍ କୋର୍ଟଙ୍କ ପାଖରୁ ଅନୁମତି ପାଇସାରିଛି । ଦିଲ୍ଲୀର ସାକେତ କୋର୍ଟ ଅଫତାବର ନାର୍କୋ ଟେଷ୍ଟ ପାଇଁ ଅନୁମତି ଦେଇଛନ୍ତି । ଅଭିଯୁକ୍ତ ଅଫତାବ ଅମିନ ମଧ୍ୟ ଏହି ପରୀକ୍ଷା ପାଇଁ ରାଜି ହୋଇସାରିଛି । ସୋମବାର ଦିଲ୍ଲୀ ପୋଲିସ୍ ଏହି ନାର୍କୋ ଟେଷ୍ଟ କରିବ ବୋଲି କୁହାଯାଉଛି ।

ଶ୍ରଦ୍ଧା ହତ୍ୟାକାଣ୍ଡ ମାମଲାରେ ଅଫତାବଙ୍କ ନାର୍କୋ ଟେଷ୍ଟ ପାଇଁ  ଦିଲ୍ଲୀ ପୁଲିସ ପ୍ରଶ୍ନ ପ୍ରସ୍ତୁତ କରିଛି । ଏକ୍ସପର୍ଟମାନଙ୍କ ସହାୟତାରେ ନାର୍କୋ ଟେଷ୍ଟ ବେଳେ ଅଫତାବଙ୍କୁ କଣ ପ୍ରଶ୍ନ କରାଯିବ ତାର ଏକ ତାଲିକା ପ୍ରସ୍ତୁତ କରିଛି । ଜଣେ ଅଫିସରଙ୍କ ସୂଚନା ମୁତାବକ ୪୦ ଟି ପ୍ରଶ୍ନ ପୁଲିସ ପ୍ରସ୍ତୁତ କରିଛି ।

କ’ଣ ରହିବ ପୁଲିସର ପ୍ରଶ୍ନ ?

• ତମେ ଶ୍ରଦ୍ଧା ୱାଲକରଙ୍କୁ ଜାଣିଛ ? ସେ ତୁମର ଗାର୍ଲ ଫ୍ରେଣ୍ଡ ଥିଲେ କି ?

• ମୁମ୍ବାଇ ଛାଡିବା ପରେ ତୁମେ କେଉଁ÷ଆଡେ ଯାଇଥିଲ?

• କ’ଣ ପାଇଁ ହଠାତ୍ ତୁମେ ଦିଲ୍ଲୀ ଛାଡିଥିଲ ?

• ଶ୍ରଦ୍ଧାଙ୍କ ସହ ତୁମେ ସମ୍ପର୍କରେ ଥିଲ, ତୁମେ ତାଙ୍କୁ ଭଲ ପାଉଥିଲ?

• ବହୁ ସମୟରେ ତୁମେ ଝଗଡା ଲାଗ, ତୁମେ ଶ୍ରଦ୍ଧାଙ୍କୁ ମାଡ ମାର କି?

• ଶ୍ରଦ୍ଧା ଏବେ କେଉଁଠି ରହୁଛନ୍ତି ତୁମେ ଜାଣିଛ?

• ତୁମେ ଶ୍ରଦ୍ଧାଙ୍କୁ ମାରିଛ କି ?

• କେତେବେଳେ ଶ୍ରଦ୍ଧାଙ୍କୁ ହତ୍ୟା କଲ ?

• କାହିଁକି ତୁମେ ତାଙ୍କୁ ହତ୍ୟା କଲ ?

• କେମିତି ତୁମେ ଶ୍ରଦ୍ଧାଙ୍କୁ ହତ୍ୟା କଲ, ତାଙ୍କ ତଂଟି ଚିପିଦେଇଥିଲ କି ?

• ତୁମେ ଶ୍ରଦ୍ଧାର ଶରୀରକୁ କାଟି ଖଣ୍ଡ ଖଣ୍ଡ କରିଥିଲ କି ?

• କେଉଁଠାରେ ଶ୍ରଦ୍ଧାଙ୍କ ଖଣ୍ଡ ଖଣ୍ଡ ଶରୀରକୁ ପକାଇଛ ?

• ଶ୍ରଦ୍ଧାଙ୍କ ଶରୀରକୁ ପକାଇବାକୁ କେତେ ଥର ବାହାରକୁ ଯାଇଛ ?

• ତୁମେ ନିଶା ସେବନ କର କି ?

• ତୁମେ ଗଞ୍ଜେଇ ଖାଅ କି ?

• ହତ୍ୟା କରିବା ଦିନ ତମେ ନିସା ଖାଇଥିଲ କି ?

• ଶ୍ରଦ୍ଧାଙ୍କୁ ହତ୍ୟା କରିବା ଦିନ ତୁମେ ମଦ ପିଇଥିଲ କି ?

• ତୁମେ ଶ୍ରଦ୍ଧାଙ୍କୁ ମିସ୍ କରୁଛ, ନିଜକୁ ଦୋଷୀ ଭାବୁଛ କି ?

• ଶ୍ରଦ୍ଧାଙ୍କ ହତ୍ୟା ପରେ କେତେ ଜଣ ଝିଅଙ୍କ ସହ ଡେଟରେ ଯାଇଛ ?

ନାର୍କୋ ଟେଷ୍ଟ ହେଉଛି ନାର୍କୋ ଆନାଲିସିସ ଟେଷ୍ଟ । ଏଥିରେ ଯେଉଁ ବ୍ୟକ୍ତିଙ୍କର ଏହି ପରୀକ୍ଷା କରାଯିବ, ତାଙ୍କ ଶରୀରକୁ ସୋଡିୟମ ପେଂଟୋଥାଲ ନାମକ ଏକ ଡ୍ରଗ୍ ଛଡ଼ାଯାଏ । ଇଞ୍ଜେକସନ ମାଧ୍ୟମରେ ଏହି ଡ୍ରଗସ୍ ଅଭିଯୁକ୍ତ ଶରୀରକୁ ପଠାଯାଏ । ଫଳରେ ଅଭିଯୁକ୍ତ ଜଣକ ହିପ୍ନୋଟିକ ଅବସ୍ଥା ବା ସମ୍ମୋହିତ ସ୍ଥିତକୁ ଆସି ଯାଆନ୍ତି । ଏହି ଅବସ୍ଥାରେ ଜଣେ ବ୍ୟକ୍ତି କିଛି କାଳ୍ପନିକ କଥା ଭାବିବାକୁ ଅସମର୍ଥ ହୋଇଥାଏ । ଫଳରେ ମିଛ କହିପାରେ ନାହିଁ ।  ତେଣୁ ନାର୍କୋ ଟେଷ୍ଟ ବେଳେ ଅଭିଯୁକ୍ତକୁ ଗୋଟିଏ ପରେ ଗୋଟିଏ ପ୍ରଶ୍ନ ପଚରାଯାଏ, ଆଉ ସେ ଯେଉଁ ଉତର ଦିଏ, ତାହା ସତ ବୋଲି ବିଶ୍ୱାସ କରାଯାଏ । ବିଭିନ୍ନ ଜଟିଳ କେସରେ ତଥ୍ୟ ପ୍ରମାଣ ପାଇଁ ତଦନ୍ତକାରୀ ସଂସ୍ଥା ଏହି ପ୍ରକ୍ରିୟା ଆପଣେଇଥାନ୍ତି । ନାର୍କୋ ଟେଷ୍ଟରୁ ମିଳିଥିବା ତଥ୍ୟକୁ କୋର୍ଟରେ ପ୍ରମାଣ ହିସାବରେ ରଖାଯାଇ ପାରିବ ନାହିଁ । ହେଲେ ଏଥିରୁ ମିଳିଥିବା ତଥ୍ୟକୁ ଆଧାର କରି ଯାଂଚ ଟିମ୍ ଯେଉଁ ପ୍ରମାଣ ଯୋଗାଡ଼ କରିବ, ତାକୁ କୋର୍ଟରେ ଦାଖଲ କରାଯାଇପାରିବ ।