ଧୂପକାଠି ପ୍ରସ୍ତୁତ କରି ସ୍ୱାବଲମ୍ବୀ ହେଉଛନ୍ତି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା, ନିଜେ ରୋଜଗାରକ୍ଷମ ହେବା ସହ ଅନ୍ୟକୁ ଦେଉଛନ୍ତି ରୋଜଗାର

115

କନକ ବ୍ୟୁରୋ : ମାଲକାନଗିରି ଏମଭି-୩୯ ଗାଁର ଏସଏଚଜି ମହିଳାମାନେ ଧୂପକାଠି ପ୍ରସ୍ତୁତ କରି ସ୍ୱାବଲମ୍ବୀ ହୋଇଛନ୍ତି । ଓଡ଼ିଶା ଜୀବିକା ମିଶନ ସହାୟତାରେ ବ୍ୟାଙ୍କରୁ ରୁଣ ଆଣି ଆରମ୍ଭ କରିଛନ୍ତି ଧୂପକାଠି ବ୍ୟବସାୟ । ଧୂପକାଠି ତିଆରି ମେସିନ୍, ବାଉଁଶ କାଠି, ପ୍ରିମିକ୍ସ ପାଉଡ଼ର ଓ ବିଭିନ୍ନ ଅତର କିଣି ଧୂପକାଠି ପସ୍ତୁତ କରୁଛନ୍ତି ମହିଳା । ଘର କାମ ପରେ ଗ୍ରୁପର ୧୦ ଜଣ ମହିଳା ଏକାଠି ହୋଇ ଧୂପ ତିଆରିରେ ଲାଗିପଡ଼ନ୍ତି । କିଏ ମେସିନରେ ବସି ଧୂପକାଠି ତିଆରି କରିଥାଏ ତ ଆଉ କିଏ ଧୂପକାଠି ଗଣି ତାକୁ ପ୍ୟାକିଂ କରିବାରେ ବ୍ୟସ୍ତ ରହିଥାଏ । ଘରେ ବସିବା ଅପେକ୍ଷା ଏହି ଧୂପକାଠି କାମ କରି ବେଶ ଦି ପଇସା ରୋଜଗାର କରି ନିଜ ପରିବାର ଚଳାଇପାରୁଛନ୍ତି ବୋଲି କହିଛନ୍ତି ମହିଳାମାନେ ।

ପ୍ରଥମେ ପ୍ରିମିକ୍ସଂ ପାଉଡ଼ରରେ ପାଣି ଓ ଅଠାର ମିଶ୍ରଣ କରାଯାଏ । ଏହା ପରେ ଏହି ମିଶ୍ରଣକୁ ମେସିନ୍ ସାହାଯ୍ୟରେ ଧୂପକାଠି ପ୍ରସ୍ତୁତ କରି କିଛି ସମୟ ଖରାରେ ଶୁଖାଇବାକୁ ପଡ଼ିଥାଏ । ଧୂପକାଠି ଶୁଖିଯିବା ପରେ ଏହାକୁ ବିଡା ବାନ୍ଧି ବିଭିନ୍ନ ସୁଗନ୍ଧଯୁକ୍ତ ଅତରରେ ବୁଡ଼ାଇ ରଖାଯାଏ । ଏହା ପରେ ଜରିରେ ପ୍ୟାକିଂ କରି ଏହାକୁ ବିକ୍ରି ଉପଯୋଗୀ କରାଯାଏ । ଏହାର ଦାମ ୫ ଟଙ୍କାରୁ ଆରମ୍ଭ କରି ୫୦ ଟଙ୍କା ପର୍ଯ୍ୟନ୍ତ ରହିଛି । ସାଣ୍ଡାଲ, ଲାଭେଣ୍ଡର, ମୋଗରା, ଗୁଲାବ ଭଳି ପ୍ରାୟ ୨୦ ପ୍ରକାରର ସୁଗନ୍ଧ ଯୁକ୍ତ ଧୂପ ବଜାରରେ ବିକ୍ରି କରୁଛନ୍ତି ମହିଳା । ବଜାର ଅପେକ୍ଷା ଏହି ଧୂପକାଠିର ଦର ଟିକିଏ କମ ରହୁଥିବାରୁ ବ୍ୟବସାୟୀ ମାନେ ମହିଳାଙ୍କ ଠାରୁ କିଣି ବିଭିନ୍ନ ଦୋକାନରେ ବିକ୍ରି କରନ୍ତି ।