ଦିନକୁ ଦିନ ଉତ୍କଟ ହେଉଛି ପାନୀୟ ଜଳ ସମସ୍ୟା : ବାଧ୍ୟ ହୋଇ ପୋଖରୀ ପାଣି ବ୍ୟବହାର କରୁଛନ୍ତ ପୁରୀର ବସନ୍ତପୁର ଗ୍ରାମବାସୀ

31

କନକ ବ୍ୟୁରୋ : ଦିନକୁ ଦିନ କଣାସରେ ଉତ୍କଟ ହେଉଛି ପାନୀୟ ଜଳ ସମସ୍ୟା । ପାଣି ଅଭାବରୁ ଲୋକେ ବାଧ୍ୟ ହୋଇ ପୋଖରୀ ପାଣି ବ୍ୟବହାର କରୁଛନ୍ତି । ମୋଟ ୨୮ଟି ଗ୍ରାମ ପଂଚାୟତରୁ ପ୍ରାୟ ୨୩ଟି ଗ୍ରାମ ପଂଚାୟତରେ ପାନୀୟ ଜଳ ସମସ୍ୟା ବର୍ଷତମାମ ଲାଗିରହିଛି । ତଥାପି ସମସ୍ୟାର ସ୍ଥାୟୀ ପ୍ରତିକାର ହୋଇପାରୁନଥିବା ଅଭିଯୋଗ ହୋଇଛି । ପାନୀୟ ଜଳ ସମସ୍ୟାରେ ଘାଂଟି ହେଉଛନ୍ତି ପୁରୀ ଜିଲ୍ଲା କଣାସ ବ୍ଲକ ବସନ୍ତପୁର ଗ୍ରାମବାସୀ । ଗାଁରେ ପ୍ରାୟ ୨ ହଜାର ଲୋକ ବସବାସ କରୁଥିବା ବେଳେ ପିଇବା ପାଣି ଯୋଗାଇବା ପାଇଁ ମାତ୍ର ଦୁଇଟି ନଳକୂପ ଅଛି । ଦୁଇଟି ନଳକୂପ ଆବଶ୍ୟକୀୟ ପାନୀୟ ଜଳ ଯୋଗାଇବାରେ ଅସମର୍ଥ ହେବାରୁ ଲୋକ ବାଧ୍ୟ ହୋଇ ପୋଖରୀ ପାଣି ଉପରେ ନିର୍ଭର କରନ୍ତି । ଫଳରେ ଅନେକ ସମୟରେ ଗ୍ରାମବାସୀ ଅନେକ ସମୟରେ କିଡିନ୍ ଓ ଚର୍ମରୋଗରେ ଆକ୍ରାନ୍ତ ହେଉଥିବା ଅଭିଯୋଗ ହୋଇଛି ।

ଶ୍ରୁଜଳଧାରେ ପ୍ରତ୍ୟେକ ଗାଁକୁ ବିଶୁଦ୍ଧ ପାନୀୟଜଳ ଯୋଗାଇ ଦିଆଯାଉଥିବା ବେଳେ ଏ ଗାଁ ସେଥିରୁ ବଂଚିତ ହୋଇଛି । ପାନୀୟଜଳ ସମସ୍ୟା ସମାଧାନ ଲାଗି ସରପଂଚ, ବିଡିଓ ଓ ଜିଲ୍ଲାପାଳଙ୍କୁ ଜଣାଇଲେ ମଧ୍ୟ କିଛି ଲାଭ ମିଳୁନଥିବା ଅଭିଯୋଗ ହୋଇଛି । ସେପଟେ ପାନୀୟଜଳ ସମସ୍ୟା ଲାଗି ସରପଂଚଙ୍କୁ ଡାକି ସଚେତନତା କରାଯିବ ଓ ଏପ୍ରେଲି ସୁଦ୍ଧା ଟ୍ୟାଙ୍କର ଯୋଗେ ପାଣି ଯୋଗାଇ ଦିଆଯିବ ବୋଲି କହିଛନ୍ତି ବିଭାଗୀୟ ଅଧିକାରୀ । ସରକାରୀ ଅର୍ଥ ଖର୍ଚ୍ଚ କରାଯାଇ ପାନୀୟଜଳ ଯୋଗାଇବା ପାଇଁ ବ୍ୟବସ୍ଥା ଥିଲେ ମଧ୍ୟ ଏଥିରୁ ବାଦ ପଡିଛନ୍ତି କଣାସ ବ୍ଲକର ବସନ୍ତପୁର ଗ୍ରାମବାସୀ । ଆଗକୁ ଖରାର ପ୍ରକୋପ ବଢିବା ସହ ପୋଖରୀ ଗାଡିଆ ଗୁଡିକ ଶୁଖିଯିବ, ଯାହାକୁ ନେଇ ଚିନ୍ତାରେ ପଡିଛନ୍ତି ଲୋକେ ।