ପାୱାର ଚାନେଲକୁ ଡେଇଁ ପଡ଼ିଲେ ଭିସୁଟ୍ ଛାତ୍ରୀ : ବିଳମ୍ବିତ ରାତି ଯାଏଁ ଖୋଜାଖୋଜି ପରେ ବି ମିଳିଲାନି ସନ୍ଧାନ; ଆଜି ପୁଣି ଖୋଜିବେ ପୋଲିସ ଓ ଅଗ୍ନିଶମ ବାହିନୀ

227

କନକ ବ୍ୟୁରୋ : ପାୱାର ଚାନେଲକୁ ଡେଇଁପଡ଼ିଲେ ଭିସୁଟ୍ ଛାତ୍ରୀ । ଆତ୍ମହତ୍ୟା କରିବା ଉଦ୍ଦେଶ୍ୟରେ ଗତକାଲି ରାତି ୧୦ଟାରେ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁ ଡେଇଁପଡ଼ିଛନ୍ତି । ଜଣେ ସାଙ୍ଗଙ୍କ ଉପସ୍ଥିତିରେ ଅଚାନକ ପାୱାର ଚାନେଲକୁ ଡେଇଁ ପଡ଼ିଥିଲେ । ବହୁ ଖୋଜାଖୋଜି ପରେ ମଧ୍ୟ ତାଙ୍କ ସନ୍ଧାନ ମିଳିପାରିନାହିଁ ।

ଆଜି ସକାଳେ ପୁଣି ଖୋଜାଖୋଜି ଆରମ୍ଭ ହେବ । ପୋଲିସ ଓ ଅଗ୍ନିଶମ ବାହିନୀ ପକ୍ଷରୁ ଖୋଜାଖୋଜି ଆରମ୍ଭ କରାଯିବ । କଳାହାଣ୍ଡି ଜିଲ୍ଲା ରାମପୁର ମଦନପୁର ନିବାସୀ ଚିନ୍ମୟୀ ପ୍ରିୟଦର୍ଶନୀ ଆଇଟି ବିଭାଗର ସ୍ନାତକ‌ ଶ୍ରେଣୀରେ ଉତୀର୍ଣ୍ଣ ହୋଇଥିଲେ। ଆଜି ସମାବର୍ତ୍ତନ ଉତ୍ସବ ଥିବାରୁ ତାଙ୍କ ସାର୍ଟିଫିକେଟ୍ ନେବା ପାଇଁ ବୁର୍ଲା ଭିସୁଟକୁ ଆସିଥିଲେ। କୌଣସି କାରଣରୁ ମାନସିକ ବିଷାଦରେ ଥିଲେ । ତାଙ୍କ ଜଣେ ସହପାଠୀ ଭୁବନେଶ୍ବର ବିଜେବି ନଗର ନିବାସୀ ପ୍ରୀତିମନ ଦେ’ଙ୍କ ସହିତ ସେ ପିସି ବ୍ରିଜ୍ ନିକଟକୁ ବୁଲିବାକୁ ଯାଇଥିଲେ । ପିସି ବ୍ରିଜ୍‌ ଉପରେ ବାଇକ୍‌ ରଖି କଥାବାର୍ତ୍ତା କରୁଥିବା ବେଳେ ଅଚାନକ ସେ ପାୱାର ଚାନେଲକୁ ଡେଇଁ ପଡ଼ିଥିଲେ ।

ପ୍ରୀତିମାନ ଘଟଣା ସମ୍ପର୍କରେ ତୁରନ୍ତ ଭିସୁଟ୍ କର୍ତ୍ତୃପକ୍ଷ ତଥା ଅଗ୍ନିଶମ ବାହିନୀକୁ ସୂଚନା ଦେଇଥିଲେ । ଖବର ମିଳିବା ପରେ ତୁରନ୍ତ ବୁର୍ଲା ପୁଲିସ, ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି କରିଥିଲେ। ରାତିର ଅନ୍ଧକାର ମଧ୍ୟରେ ରାତି ସାଢ଼େ ୧୧ଟା ପର୍ଯ୍ୟନ୍ତ ଖୋଜାଖୋଜି କରାଯାଇଥିଲା । ଅନ୍ଧାର ଯୋଗୁ ଏଥିରେ ବାଧା ସୃଷ୍ଟି ହେବାରୁ ଉଦ୍ଧାର ଅଭିଯାନକୁ ସ୍ଥଗିତ ରଖାଯାଇ ଆଜି ସକାଳେ ପୁଣି ଖୋଜାଖୋଜି କରିବାକୁ ସ୍ଥିର କରାଯାଇଛି । ପୁଲିସ ଚିନ୍ମୟୀଙ୍କ ସାଙ୍ଗ ପ୍ରୀତିମାନକୁ ଥାନାକୁ ଡାକି ଆଣି ଘଟଣା ସଂକ୍ରାନ୍ତରେ ପଚରାଉଚରା କରିଥିଲା ।