ଅଭିଯୁକ୍ତ ପୋଲିସ କର୍ମଚାରୀଙ୍କୁ ଗିରଫ ଦାବି : ବିଜେପି ପକ୍ଷରୁ ରାତି ସାରା କ୍ୟାପିଟାଲ ଥାନା ସମ୍ମୁଖରେ ଧାରଣା

89

କନକ ବ୍ୟୁରୋ : ବିଜେପି ପକ୍ଷରୁ ରାତି ସାରା କ୍ୟାପିଟାଲ ଥାନା ସମ୍ମୁଖରେ ଧାରଣା ଦିଆଯାଇଛି । ଅଭିଯୁକ୍ତ ପୋଲିସ କର୍ମଚାରୀଙ୍କୁ ଗିରଫ ଦାବିରେ ଆନ୍ଦୋଳନ କରିଛନ୍ତି ବିଜେପି ନେତା । ବରିଷ୍ଠ ବିଜେପି ନେତା ମଧ୍ୟ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ ।

ଦଳ ଅଭିଯୋଗ କରିଛି, ଯୁବ ମୋର୍ଚ୍ଚା ପକ୍ଷରୁ ଲୋୟର ପିଏମ୍ଜିରେ କରାଯାଇଥିବା ଆନ୍ଦୋଳନ ସମୟରେ ପୋଲିସ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ପୋଲିସ ମାଡରେ ବିଜେପି କର୍ମୀ ଆହତ ହୋଇଛନ୍ତି । ସାଧା ପୋଷାକଧାରୀ ପୋଲିସ ବିଜେପି କର୍ମୀଙ୍କ ଉପରେ ଆକ୍ରମଣ କରିବା ସହ ମହିଳା କର୍ମୀଙ୍କୁ ମଧ୍ୟ ଅସଦାଚରଣ କରାଯାଇଥିବା ଦଳ ଅଭିଯୋଗ କରିଛି । ଏନେଇ ବିଜେପି ଯୁବ ମୋର୍ଚ୍ଚା ରାଷ୍ଟ୍ରୀୟ ଉପ ସଭାପତି ଅର୍ପିତା ଅପରାଜିତା ବଡଜେନାଙ୍କ ପକ୍ଷରୁ ମଧ୍ୟ ଥାନାରେ ଏତଲା ଦିଆଯାଇଛି ।

ଆହତ ହୋଇଥିବା ୧୫ରୁ ଅଧିକ ପୋଲିସ କର୍ମଚାରୀଙ୍କୁ ଭେଟିଛନ୍ତି ଡିଜିିପି ସୁନୀଲ ବଂଶଲ । ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ, ଡିସିପି ପ୍ରତୀକ ସିଂ କ୍ୟାପିଟାଲ ହସ୍ପିଟାଲରେ ଆହତଙ୍କୁ ଭେଟି ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି । ଆହତମାନଙ୍କ ମଧ୍ୟରୁ କଟକ ଜୋନ୍-୨ ଏସିପି ଅମିତାଭ ମହାପାତ୍ରଙ୍କ ସମେତ ୩ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ଡିଜିପି କହିଛନ୍ତି, ଗଣତାନ୍ତ୍ରିକ ରାଷ୍ଟ୍ରରେ ସମସ୍ତେ ବିରୋଧ କରିପାରିବେ । ବିଜେପି କର୍ମୀଙ୍କ ଆକ୍ରମଣ ସତ୍ୱେ ପୋଲିସ ସଂଯମତାର ସହ ସେମାନଙ୍କୁ ସାମ୍ନା କରିଥିଲା । ଅଟକାଇବାକୁ ଚେଷ୍ଟା କରିବାରୁ କ୍ଷୁବ୍ଧ ହୋଇ ଆନ୍ଦୋଳନକାରୀ ପୋଲିସକୁ ଆକ୍ରମଣ କରିଥିଲେ ।