‘ପୁଟିନଙ୍କ ବ୍ରେନ୍’ କୁହାଯାଉଥିବା ଡୁଗିନଙ୍କ ଝିଅକୁ ହତ୍ୟା । କାରରେ ଯାଉଥିବାବେଳେ ବିସ୍ଫୋରଣ ।

273

କନକ ବ୍ୟୁରୋ: ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଘନିଷ୍ଠ ସହଯୋଗୀ ଆଲେକଜାଣ୍ଡାର ଡୁଗିନଙ୍କ ଝିଅ ଡାରିଆ ଡୁଗିନଙ୍କୁ ହତ୍ୟା କରାଯାଇଛି । ସୂଚନା ମୁତାବକ, ଡାରିଆ ମସ୍କୋରେ ଏକ କାରରେ ଯାଉଥିବାବେଳେ କାରରେ ବିସ୍ଫୋରଣ ହୋଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।

କୁହାଯାଉଛି ଯେ ଆକ୍ରମଣକାରୀଙ୍କ ଟାର୍ଗେଟରେ ଡାରିଆ ଡୁଗିନଙ୍କ ପିତା ଆଲେକଜାଣ୍ଡାର ଡୁଗିନ ଅନେକ ଦିନ ହେବ ରହିଥିଲେ । ୟୁକ୍ରେନ ଯୁଦ୍ଧର ମାଷ୍ଟରମାଇଣ୍ଡ କୁହାଯାଉଥିବା ତଥା ଋଷ ରାଷ୍ଟ୍ରପତି ଭ୍ଲାଦିମିର ‘ପୁଟିନଙ୍କ ବ୍ରେନ୍’ କୁହାଯାଉଥିବା ଆଲେକଜାଣ୍ଡାର ଡୁଗିନଙ୍କୁ ଆକ୍ରମଣ ହେବାକୁ ଯୋଜନା କରାଯାଉଥିବା ବେଳେ ତାଙ୍କ ଝିଅ ଏହାର ଶିକାର ହୋଇଥିବା କୁହାଯାଉଛି ।
ରିପୋର୍ଟ ମୁତାବକ, ୟୁକ୍ରେନ ସହ ଋଷର ଯୁଦ୍ଧ ପରେ ବ୍ରିଟେନ୍ ଯେଉଁ କେତେକ ବ୍ୟକ୍ତିଙ୍କ ଉପରେ ପ୍ରତିବନ୍ଧକ ଲଗାଇଥିଲା ସେମାନଙ୍କ ମଧ୍ୟରେ ପୁଟିନଙ୍କ ସହଯୋଗୀ ଆଲେକଜାଣ୍ଡାର ଡୁଗିନ ଓ ତାଙ୍କ ଝିଅ ଡାରିଆ ମଧ୍ୟ ଥିଲେ । ଡାରିଆ ଜଣେ ରହସ୍ୟମୟ ବିଷୟବସ୍ତୁର ଲେଖିକା ଭାବେ ଋଷରେ ଜଣାଶୁଣା ।

୬୦ ବର୍ଷିୟ ଆଲେକଜାଣ୍ଡାର ଡୁଗିନ୍ ଜଣେ ବିଚକ୍ଷଣ ରାଜନେତା ଓ ବିଶେଷଜ୍ଞ । କ୍ରିମିୟା ଓ ୟୁକ୍ରେନ ଉପରେ ଆକ୍ରମଣ ଘଟଣାରେ ତାଙ୍କୁ ମାଷ୍ଟରମାଇଣ୍ଡ ବୋଲି କୁହାଯାଏ । ୨୦୧୫ରେ ଆମେରିକା ତାଙ୍କ ଉପରେ ପ୍ରତିବନ୍ଧକ ଲଗାଇଥିଲା । ଏହାପରେ କ୍ରିମିଆ ଓ ୟୁକ୍ରେନ ଆକ୍ରମଣ ପରେ ଏକାଧିକ ୟୁରୋପୀୟ ରାଷ୍ଟ୍ର ମଧ୍ୟ ତାଙ୍କ ଉପରେ କଟକଣା ଲଗାଇଛନ୍ତି ।