ଭାରତ-ଇଂଲଣ୍ଡ ପ୍ରଥମ ଦିନିକିଆ : ଟି-୨୦ ପରେ ଦିନିକିଆ ସିରିଜ କବଜା ଲକ୍ଷ୍ୟରେ ରୋହିତ ବାହିନୀ, ଫର୍ମ ନଥିବାରୁ କୋହଲୀଙ୍କୁ ନେଇ ଚିନ୍ତା

308

କନକ ବ୍ୟୁରୋ : ଆଜି ଭାରତ-ଇଂଲଣ୍ଡ ପ୍ରଥମ ଦିନିକିଆ । ଟି-୨୦ ପରେ ଦିନିକିଆ ସିରିଜ କବଜା ଲକ୍ଷ୍ୟରେ ରୋହିତ ବାହିନୀ । ଧଳା ବଲ୍‌ର ସମସ୍ତ କ୍ରିକେଟ୍ ଦଳ ପାଇଁ ଗୁରୁତ୍ବପୂର୍ଣ୍ଣ। ଦିନିକିଆରେ ଟ୍ବେଣ୍ଟି-୨୦ ତୁଳନାରେ କମ ବିପଦପୂର୍ଣ୍ଣ ସଟ୍ ଖେଳିବାକୁ ହୋଇଥାଏ। ତଥାପି ଆମର ଏକମାତ୍ର ଲକ୍ଷ୍ୟ ହେଉଛି ବିଜୟ। ଆମେ ଏହି ପ୍ରକ୍ରିୟା ଓ ଲକ୍ଷ୍ୟକୁ କୌଣସି ପରିସ୍ଥିତିରେ ପରିତ୍ୟାଗ କରିବୁ ନାହିଁ । ବୋଲି ରବିବାରର ତୃତୀୟ ଟି-୨୦ ପରେ କହିଥିଲେ ସେ ।

ତେବେ ମାତ୍ର ଗୋଟିଏ ଫର୍ମାଟ୍ ଖେଳୁଥିବା ଶିଖର ଧାୱନଙ୍କ ଭଳି ଖେଳାଳିଙ୍କ ପାଇଁ ଏହି ଶୃଙ୍ଖଳା ଅଧିକ ଆହ୍ବାନ ନେଇ ଆସିବ। ୱେଷ୍ଟଇଣ୍ଡିଜ୍ ଗସ୍ତରେ ସେ ଭାରତର ନେତୃତ୍ବ ନେବାକୁ ଯାଉଥିବାରୁ ତାଙ୍କୁ ମଧ୍ୟ ତିନିଟି ଯାକ ମ୍ୟାଚ୍‌ରେ ସୁଯୋଗ ମିଳିବାର ସମ୍ଭାବନା ଅଧିକ । ଆଇପିଏଲ୍‌ରେ ଭଲ କରିଥିବାରୁ ଦୀର୍ଘ ବ୍ୟବଧାନ ପରେ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳିବା ତାଙ୍କ ପାଇଁ ଅସୁବିଧା ହେବନି ବୋଲି ପ୍ରଶଂସକ ଆଶା ରଖିଛନ୍ତି । ଫର୍ମ ପାଇଁ ଯୁଝୁଥିବା ବିରାଟ କୋହଲିଙ୍କ ପାଇଁ କିନ୍ତୁ ଏହି ଶୃଙ୍ଖଳା ଅଗ୍ନିପରୀକ୍ଷା ସଦୃଶ ହେବ । କୋହଲିଙ୍କ ଭଳି ହାର୍ଦିକ ପାଣ୍ଡ୍ୟାଙ୍କ ଦିନିକିଆ ପ୍ରତ୍ୟାବର୍ତ୍ତନ ଉପରେ ମଧ୍ୟ ସମସ୍ତଙ୍କ ତୀକ୍ଷ୍ଣ ନଜର ରହିବ । ଇଂଲଣ୍ଡ ବିପକ୍ଷ ଶେଷ ଟି-୨୦ରେ ଶତକ ଜମାଇଥିବା ସୂର୍ଯ୍ୟକୁମାର ଯାଦବଙ୍କୁ ନିଜ ସ୍ଥାନ ପାଇଁ ଶ୍ରେୟସ୍ ଆୟରଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ହେବ ।

ସେପଟେ ଇଅନ ମୋର୍ଗାନଙ୍କ ଅବସର‌ ପରେ ଇଂଲଣ୍ଡ ଦିନିକିଆ ଅଧିନାୟକ ଭାବେ ଜୋସ୍ ବଟଲରଙ୍କର ଏହା ପ୍ରଥମ ଶୃଙ୍ଖଳା ହେବ। ଭାରତ ବିପକ୍ଷ ଟି-୨୦ ଶୃଙ୍ଖଳା ହାରିଥିବାରୁ ଏହାର ପ୍ରତିଶୋଧ ଦିନିକିଆରେ ନେବା ଆଶାରେ ନିଶ୍ଚିତ ଭାବେ ରହିଥିବେ ସେ। ବେନ୍ ‌ଷ୍ଟୋକ୍ସ, ଜୋ ରୁଟ୍ ଓ ଜନି ବେୟାରଷ୍ଟୋଙ୍କ ଭଳି ଖେଳାଳି ଫେରୁଥିବାରୁ ଇଂଲଣ୍ଡର ଆତ୍ମବିଶ୍ବାସ ବି ଉଚ୍ଚରେ ଥିବ। ଅତୀତ ପରିସଂଖ୍ୟାନକୁ ବିଚାରକୁ ନେଲେ ଜଣାପଡ଼େ ଯେ ଭାରତ ଓ ଇଂଲଣ୍ଡ ପରସ୍ପର ବିପକ୍ଷରେ ୧୦୩ ଦିନିକିଆ ଖେଳିଛନ୍ତି ।

ଫର୍ମ ଫେରି ପାଇବାକୁ ସଂଘର୍ଷ କରୁଥିବା ବିରାଟ କୋହଲି ମଙ୍ଗଳବାରର ପ୍ରଥମ ଦିନିକିଆ ଖେଳି ନପାରନ୍ତି । ଇଂଲଣ୍ଡ ବିପକ୍ଷ ତୃତୀୟ ତଥା ଶେଷ ଟ୍ବେଣ୍ଟି-୨୦ରେ କୋହଲି ଆହତ ହୋଇଥିବା ଜଣାପଡ଼ିଛି । ତାଙ୍କ ଜଙ୍ଘ ଓ ପେଟର ଯୋଡ଼ସ୍ଥଳରେ ଆଘାତ ଲାଗିଛି। କୋହଲିଙ୍କ ଆଘାତକୁ ନେଇ ଦଳୀୟ ଅଧିକାରୀମା‌ନେ କୌଣସି ସୂଚନା ଦେଇ ନାହାନ୍ତି । ତେବେ ପ୍ରଥମ ଦିନିକିଆରେ ତାଙ୍କୁ ବିଶ୍ରାମ ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି ।