ଦନ୍ତେୱାଡା ନକ୍ସଲ ଆକ୍ରମଣ, ମାଓବାଦୀଙ୍କ ଚାପରେ ସହିଦଙ୍କ ଅନ୍ତିମ ସଂସ୍କାରରେ ସାମିଲ ହେଲେ ନାହିଁ ଗ୍ରାମବାସୀ

277

କନକ ବ୍ୟୁରୋ : ଚତିଶଗଡ ଦନ୍ତେୱାଡା ଜିଲ୍ଲାରେ ବୁଧବାର ହୋଇଥିବା ମାଓବାଦୀ ଆକ୍ରମଣରେ ୧୦ ଜଣ ଯବାନଙ୍କ ସମେତ ଜଣେ ଡ୍ରାଇଭର ପ୍ରାଣ ହରାଇଛନ୍ତି । ହେଲେ ଏହି ୧୦ ଜଣ ଯବାନଙ୍କ ମଧ୍ୟରୁ ଜଣେ ଯବାନ ଏମିତି ଅଛନ୍ତି ଯାହାଙ୍କ ଅନ୍ତିମ ସଂସ୍କାରରେ ସାମିଲ ହେବାକୁ ଗ୍ରାମବାସୀ ମନା କରିଦେଇଛନ୍ତି । କେବଳ ସେତିକି ନୁହେଁ ଗ୍ରାମବାସୀମାନେ ସହିଦ ଯବାନଙ୍କ ମର ଶରୀରକୁ ଗ୍ରାମ ଭିତରକୁ ଆଣିବାକୁ ମନା କରିଦେଇଛନ୍ତି । କୁହାଯାଉଛି କି ମାଓବାଦୀଙ୍କ ଚାପରେ ଗ୍ରାମବାସୀମାନେ ସଂପୃକ୍ତ ଯବାନଙ୍କ ଅନ୍ତିମ ସଂସ୍କାରରେ ସାମିଲ ହେବାକୁ ମନା କରିଦେଇଛନ୍ତି ।
ଏନେଇ ଏକ ଜାତୀୟ ଗଣମାଧ୍ୟମରେ ସହିଦ ଯବାନଙ୍କ ଅନ୍ୟ ଜଣେ ଭାଇ ଯେ କି ଡିଆରଜିରେ କାର୍ଯ୍ୟରତ ସେ ତାଙ୍କ ବୟାନରେ ଏସବୁ କହିଛନ୍ତି । ଗତକାଲି ମାଓବାଦୀ ଆକ୍ରମଣରେ ସହିଦ ହୋଇଥିବା ଡିଆରଜି ଯବାନ ଦୁଲାଗେ ମଣ୍ଡାବିଙ୍କ ଭାଇ ମଙ୍ଗଲୁ ରାମ ମଣ୍ଡାବି କହିଛନ୍ତି କି, ଗାଁର ସରପଞ୍ଚ ସହିଦ ଯବାନଙ୍କ ମର ଶରୀରକୁ ଗାଁକୁ ଆଣିବାକୁ ମନା କରିଦେଇଛନ୍ତି ।

ମଙ୍ଗଲୁ କହିଛନ୍ତି କି, ଏହା ପଛରେ ମାଓବାଦୀଙ୍କ ଚାପ ରହିଛି । ଏହାସହ ସହିଦ ଯବାନ ଦୁଲାଗେ ମଣ୍ଡାବିଙ୍କ ବାପା ବି ୨୦୧୭ ମସିହାରେ ମାଓବାଦୀଙ୍କ ଆକ୍ରମଣରେ ଶିକାର ହୋଇ ମୃତ୍ୟୁବରଣ କରିଥିଲେ । ସେପଟେ ମଙ୍ଗଲୁ କହିଛନ୍ତି କି ଡିଆରଜି ଯବାନଙ୍କ ପରିବାର ଲୋକଙ୍କ ବିଭିନ୍ନ ସମୟରେ ନକ୍ସଲମାନେ ମାରପିଟ୍ କରୁଛନ୍ତି ।

ସୂଚନା ଥାଉକି, ଗତକାଲି ଅର୍ଥାତ ଏପ୍ରିଲ ୨୬ ତାରିଖ ଦିନ ଛତିଶଗଡର ଦନ୍ତେୱାଡା ଜିଲ୍ଲାରେ ନକ୍ସଲମାନେ ଡିଆରଜି ଯବାନଙ୍କ ଗାଡି ଉପରକୁ ଅଚାନକ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ୧୦ ଜଣ ଡିଆରଜି ଯବାନଙ୍କ ସମେତ ଜଣେ ଡ୍ରାଇଭରଙ୍କର ମୃତ୍ୟୁ ହୋଇଥିଲା । ଆଜି ଦନ୍ତେୱାଡାର ପୋଲିସ ଲାଇନ କାରଲି ଠାରେ ସମସ୍ତ ସହିଦ ଯବାନଙ୍କୁ ଶେଷ ସଲାମୀ ଦିଆଯାଇଥିଲା । ଏଥିରେ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ମଧ୍ୟ ସାମିଲ ହୋଇଥିଲେ ।