ଟନେଲରେ ଫସିଥିବା ଶ୍ରମିକଙ୍କୁ ଉଦ୍ଧାର ପାଇଁ ଆରମ୍ଭ ହେଲା ଭର୍ଟିକାଲ ଡ୍ରିଲିଂ । ପାହାଡ଼ ଉପରପଟୁ ଚାଲିଛି ଖନନ କାମ ।

167

କନକ ବ୍ୟୁରୋ: ଉତରକାଶୀ ଟନେଲରେ ଫଶିଥିବା ଶ୍ରମିକଙ୍କ ଉଦ୍ଧାର ପାଇଁ ଜାରି ରହିଛି ଉଦ୍ୟମ । ଭର୍ଟିକାଲ ଡ୍ରିଲିଂ କରି ଶ୍ରମିକଙ୍କ ଉଦ୍ଧାର କରିବାକୁ ଆରମ୍ଭ ହୋଇଛି କାମ । ଶନିବାର ଖନନ ସମୟରେ ଆମେରିକାରୁ ଆସିଥିବା ଅଗର ମେସିନର ବ୍ଲେଡ ଭାଂଗିଯିବାରୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା । ତେବେ ସୁଡ଼ଙ୍ଗରେ ସମସ୍ତ ଶ୍ରମିକ ସୁସ୍ଥ ଥିବା ସୂଚନା ମିଳିଛି ।

ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର କରାଯିବ ଉପରେ ଉଦ୍ଧାରକାରୀ ଦଳ ଗୁରୁତ୍ୱ ଦେଉଛନ୍ତି । ଅଗର ମେସିନ ଫେଲ ମାରିବା ପରେ ଏବେ ପାହାଡ଼ର ଉପର ପଟୁ ଡ୍ରିଲିଂ କରି ଉଦ୍ଧାର ପାଇଁ ବିକଳ୍ପ ପନ୍ଥା ବାଛିଛି ଉଦ୍ଧାରକାରୀ ଦଳ । ଭର୍ଟିକାଲ ଡ୍ରିଲିଂ ମେସିନ ପହଂଚିବା ପରେ ଡ୍ରିଲିଂ ଆରମ୍ଭ ହୋଇଛି । ତେବେ ହାତରେ ପାହାଡ କାଟିବା ଉପରେ ବି ଗୁରୁତ୍ୱ ଦେଉଛି ଉଦ୍ଧାରକାରୀ ଦଳ । ସେପଟେ ଉଦ୍ଧାର କାମରେ ଲାଗିଥିବା ଅଷ୍ଟ୍ରେଲିଆର ବିଶେଷଜ୍ଞ ଆର୍ଣ୍ଣୋଲ୍ଡ ଡିସ୍କ କହିଛନ୍ତି, ବଡ ଦିନ ସମସ୍ତ ଶ୍ରମିକ ଘରେ ପାଳନ କରିବେ । ଶନିବାର ଅଗର ମେସିନ ୪୮ ମିଟର ଡ୍ରିଲିଂ କରିବା ପରେ ଶୀଘ୍ର ଉଦ୍ଧାର ଆଶା ଦେଖା ଦେଇଥିଲା । ଆହୁରି ୧୨ ମିଟିର ଡ୍ରିଲିଂ କରିବା ପରେ ଶ୍ରମିକଙ୍କୁ ସୁର କ୍ଷିତ ଉଦ୍ଧାର କରାଯିବ ବୋଲି ଆଶା କରାଯାଉଥିଲା । ହେଲେ ଭୁଶୁଡି ପଡିଥିବା ଲୁହାଛଡ ଓ କଂକ୍ରିଟରେ ଫସି ଅଗର ମେସିନର ବ୍ଲେଡ ଭାଙ୍ଗିଯିବାରୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ସେପଟେ ଟନେଲରେ ପ୍ଲାଜମା ମେସିନ ପହଞ୍ଚିବା ପରେ କାର୍ଯ୍ୟ ଆରମ୍ଭ ହୋଇଛି ।