ରିଲିଜ ହୋଇପାରନ୍ତି ଆଇପିଏଲର ଦାମୀ ଖେଳାଳୀ , ଏଥର ନିଲାମୀରେ ଚମକିବେ ବିଶ୍ୱକପ ଷ୍ଟାର ! 

51

କନକ ବ୍ୟୁରୋ : ଆସନ୍ତା ଡିସେମ୍ବର ୧୯ ତାରିଖରେ ଦୁବାଇରେ ହୋଇପାରେ ଆଇପିଏଲ ନିଲାମୀ । ତେବେ ଏହି ନିଲାମୀ ପୂର୍ବରୁ ଦଳ ଭିତରେ ଆରମ୍ଭ ହୋଇଛି ଟ୍ରେଡ ।  ନିଲାମୀ ପୂର୍ବରୁ ଅନେକ ଖେଳାଳୀଙ୍କୁ ରିଲିଜ କରିବେ ଫ୍ରାଞ୍ଚାଇଜ । ଯେଉଁ ତାଲିକାରେ ଅନେକ ଦାମୀ ଖେଳାଳୀ ମଧ୍ୟ ରହିଛନ୍ତି । ଗତ ସିଜିନରେ ଯେଉଁ ଖେଳାଳୀଙ୍କର ପ୍ରଦର୍ଶନ ସେତେଟା ପ୍ରଭାବୀ ନଥିଲା ସେମାନଙ୍କୁ ରିଲିଜ କରି ନୂଆ ମୁହଁକୁ ଦଳରେ ସାମିଲ କରିବାକୁ ଚାହୁଁଛନ୍ତି ଅନେକ ଫ୍ରାଞ୍ଚାଇଜ । ଏହାସହ ଚଳିତ ବିଶ୍ୱକପରେ ଦମଦାର ପ୍ରଦର୍ଶନ କରିଥିବା ଖେଳାଳୀଙ୍କ ଉପରେ ମଧ୍ୟ ନଜର ରଖିଛନ୍ତି ଫ୍ରାଞ୍ଚାଇଜ । ତେବେ ରିଲିଜ ହେବାକୁ ଥିବା ଖେଳାଳୀଙ୍କ ଭିତରେ ସବୁଠୁ ଦାମୀ ଖେଳାଳୀ ସାମ କୁରାନ ରହିଥିବା ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।

ଇଂଲଣ୍ଡର ଅଲରାଉଣ୍ଡର ସାମ କୁରାନଙ୍କୁ ୨୦୨୩ରେ ହୋଇଥିବା ମହାନିଲାମୀରେ ସର୍ବାଧିକ ଟଙ୍କା ଦେଇ ଦଳରେ ସାମିଲ କରିଥିଲା ପଞ୍ଜାବ କିଙ୍ଗସ । ୧୮.୫ କୋଟିରେ ପଞ୍ଜାବ କିଙ୍ଗସରେ ସାମିଲ ହୋଇଥିବା ସାମ କୁରାନଙ୍କର ପ୍ରଦର୍ଶନ ସେତେଟା ଉତ୍ସାହଜନକ ନଥିଲା । ୧୪ଟି ମ୍ୟାଚରୁ ସାମ କୁରାନ ୨୭୬ ରନ୍ କରିଥିବା ବେଳେ ୧୦ଟି ୱିକେଟ ହାତେଇଥିଲେ । ସାମ କୁରାନଙ୍କ ଏଭଳି ପ୍ରଦର୍ଶନ ଫ୍ରାଞ୍ଚାଇଜକୁ ନିରାଶ କରିଥିଲା । କାରଣ ୨୦୨୨ ଟି-୨୦ ବିଶ୍ୱକପ ପ୍ରଦର୍ଶନ ଆଧାରରେ ସାମ କୁରାନଙ୍କୁ ସର୍ବାଧିକ ଟଙ୍କା ଦେଇ ଦଳରେ ସାମିଲ କରିବାକୁ ପଛାଇ ନଥିଲା ପଞ୍ଜାବ କିଙ୍ଗସ । ତେଣୁ ଚଳିତ ନିଲାମୀ ପୂର୍ବରୁ ସାମ କୁରାନଙ୍କୁ  ରିଲିଜ କରି ପୁଣିଥରେ କମ ଦାମରେ ଦଳରେ ସାମିଲ କରିପାରେ ପଞ୍ଜାବ ।

ସେହିଭଳି ଆରସିବି ପକ୍ଷରୁ ଖେଳୁଥିବା ହସରଙ୍ଗାଙ୍କୁ ମଧ୍ୟ ପୁଣିଥରେ ନିଲାମୀରେ ଦେଖିବାକୁ ମିଳିପାରେ । କାରଣ ଗତ ସିଜିନରେ ହସରଙ୍ଗାଙ୍କ ପ୍ରଦର୍ଶନ ସେତେଟା ପ୍ରଭାବୀ ନଥିବା ବେଳେ ଏବେ ଆହତ ସମସ୍ୟା କାରଣରୁ କ୍ରିକେଟ ମୈଦାନରୁ ଦୂରେଇ ରହିଛନ୍ତି । ତେଣୁ ତାଙ୍କୁ ଏତେ ଟଙ୍କାରେ ରିଟେନ ନ କରିବାକୁ ପ୍ରସ୍ତୁତ ହେଉଛି ଆରସିବି ମ୍ୟାନେଜମେଣ୍ଟ । ହସରଙ୍ଗାଙ୍କ ବ୍ୟତୀତ ହର୍ଷଲ ପଟେଲ, ଦିନେଶ କାର୍ତ୍ତିକଙ୍କୁ ମଧ୍ୟ ରିଲିଜ କରିପାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ।  ସାମ କୁରାନଙ୍କ ଭଳି ଇଂଲଣ୍ଡର ଷ୍ଟାର ଅଲରାଉଣ୍ଡର ବେନ୍ ଷ୍ଟୋକ୍ସଙ୍କୁ ମଧ୍ୟ ଚେନ୍ନାଇ ସୁପର କିଙ୍ଗସ ରିଲିଜ କରିପାରେ । ଗତ ସିଜିନରେ ଷ୍ଟୋକ୍ସ ଆଇପିଏଲରେ ସେଭଳି ଛାପ ଛାଡିବାରେ ସଫଳ ହୋଇନଥିଲେ । ଏପରିକି ଚଳିତ ବିଶ୍ୱକପରେ ମଧ୍ୟ ଷ୍ଟୋକ୍ସ ସେଭଳି ଆଖିଦୃଶିଆ ପ୍ରଦର୍ଶନ କରିବାରେ ବିଫଳ ହୋଇଛନ୍ତି । ଅଧିକାଂଶ ମ୍ୟାଚରେ ଷ୍ଟୋକ୍ସଙ୍କୁ ପ୍ୟାଭିଲିୟନରେ ଦେଖିବାକୁ ମିଳିଛି । ତେଣୁ ଷ୍ଟୋକ୍ସଙ୍କୁ ରିଲିଜ କରି ନୂଆ ଅଲରାଉଣ୍ଡର ସନ୍ଧାନରେ ଚେନ୍ନାଇ ରହିଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।

ଇଂଲଣ୍ଡର ଷ୍ଟାର ବୋଲର ଜୋଫ୍ରା ଆର୍ଚରଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ରିଲିଜ କରିବାର ଯଥେଷ୍ଟ ସମ୍ଭାବନା ରହିଛି । କାରଣ ଦୀର୍ଘଦିନ ହେବ ଅନ୍ତର୍ଜାତୀୟ କ୍ରିକେଟ ପଡିଆରୁ ଦୂରେଇ ରହିଛନ୍ତି ଆର୍ଚର । ତେଣୁ ତାଙ୍କ ବଦଳରେ ନୂଆ ଦ୍ରୁତ ବୋଲରଙ୍କ ସନ୍ଧାନରେ ରହିଛି ମୁମ୍ବାଇ ଇଣ୍ଡିଆନ୍ସ ।

ଅନେକ ଦାମୀ ଖେଳାଳୀଙ୍କୁ ଫ୍ରାଞ୍ଚାଇଜ ରିଲିଜ କରିବାକୁ ଥିବା ବେଳେ ବିଶ୍ୱକପ ଷ୍ଟାରଙ୍କୁ ଦଳରେ ସାମିଲ କରିବାକୁ ଏବେଠାରୁ ପ୍ରସ୍ତୁତ ହେଉଛନ୍ତି । ଯେଉଁମାନଙ୍କ ମଧ୍ୟରେ ନ୍ୟୁଜିଲାଣ୍ଡର ରଚିନ ରବୀନ୍ଦ୍ର ଓ ଡାରେଲ ମିଚେଲ, ଅଷ୍ଟ୍ରେଲିଆର ଟ୍ରାଭିସ ହେଡ, ମିଚେଲ ଷ୍ଟାର୍କ, ପାଟ କମିନ୍ସଙ୍କ ଭଳି ଖେଳାଳୀ ରହିଛନ୍ତି । ଯେଉଁମାନେ ଚଳିତ ବିଶ୍ୱକପରେ ପ୍ରଭାବୀ ପ୍ରଦର୍ଶନ କରିବାରେ ସଫଳ  ହୋଇଛନ୍ତି ।