ଶଶିକଳାଙ୍କ ସ୍ୱାମୀଙ୍କ ପରଲୋକ! ଅନ୍ତ୍ୟେଷ୍ଟିରେ ଯୋଗ ଦେବା ପାଇଁ ୧୫ ଦିନ ପାଇଁ ପାରୋଲରେ ଯିବାକୁ ଶଶିକଳାଙ୍କ ଆବେଦନ

21

ଜେଲରେ ବନ୍ଦୀ ଭାବେ ଜୀବନ କାଟୁଥିବା ଏଆଇଡିଏମେକେ ନେତ୍ରୀ ଭି.କେ ଶଶିକଳାଙ୍କ ସ୍ୱାମୀ ଏମ୍ ନଟରାଜନଙ୍କ ପରଲୋକ ହୋଇଯାଇଛି । ସ୍ୱାମୀ ଏମ୍ ନଟରାଜନଙ୍କ ଅନ୍ତ୍ୟେଷ୍ଟିରେ ଯୋଗ ଦେବାକୁ ୧୫ ଦିନ ପାରୋଲରେ ଯିବା ପାଇଁ ଆବେଦନ କରିଛନ୍ତି ବନ୍ଦିନୀ ଏଆଇଏଡିଏମକେ ନେତ୍ରୀ ଭି କେ ଶଶିକଳା। ତାଙ୍କର ଆବେଦନ ବିଚାରାଧୀନ ରହିଛି ବୋଲି କାରାଗାର ସୂତ୍ରରୁ ପ୍ରକାଶ।

ସୋମବାର ପ୍ରତ୍ୟୁଷରେ ୭୪ ବର୍ଷିୟ ନଟରାଜନଙ୍କର ପରଲୋକ ହୋଇଯାଇଛି। ଶେଷ ଦର୍ଶନ ପାଇଁ ତାଙ୍କ ମର ଶରୀର ଚେନ୍ନାଇସ୍ଥିତ ବେସାନ୍ତ ନଗର ବାସଭବନରେ ରଖାଯାଇଛି। ଛାତିରେ ଭୀଷଣ ସଂକ୍ରମଣ ହେବାରୁ ନଟରାଜନଙ୍କୁ ଶନିବାର ଦିନ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଭେଣ୍ଟିଲେଟରରେ ରଖା ଯାଇଥିଲା। ୨୦୧୭ରେ ତାଙ୍କର ବୃକକ ପ୍ରତିରୋପଣ କରାଯାଇଥିଲା।

ଶେଷକୃତ୍ୟ ପାଇଁ ତାମିଲନାଡୁର ତାଞ୍ଜାବୁର୍ ଜିଲ୍ଲା ଅନ୍ତର୍ଗତ ତାଙ୍କ ଜନ୍ମିତ ଗ୍ରାମକୁ ଶବ ନିଆ ଯିବ ବୋଲି ନଟରାଜ ପରିବାରର ନିକଟତମଙ୍କ ସୂତ୍ରରୁ ପ୍ରକାଶ। ୬୬.୬ କୋଟି ଟଙ୍କାର ଆୟ ବହିର୍ଭୁତ ସମ୍ପତ୍ତି ମାମଲାରେ ଶଶିକଳାଙ୍କୁ ୪ ବର୍ଷ କରାଦଣ୍ଡାଦେଶ ହୋଇଥିବାରୁ ସେ ବେଙ୍ଗାଲୁରୁର ପରପ୍ପନା ଅଗ୍ରାହରା ଜେଲରେ ବନ୍ଦିନୀ ହୋଇ ରହିଛନ୍ତି।