ପୁରୀ ପରିକ୍ରମା ପ୍ରକଳ୍ପ ସମୀକ୍ଷା  କଲେ  ଫାଇଭ-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ । ମଠ ଗୁଡିକର ପୁନଃରୁଦ୍ଧାର ଉପରେ ଦେଲେ  ଗୁରୁତ୍ୱ । 

195

କନକ ବ୍ୟୁରୋ: ପୁରୀ ପରିକ୍ରମା ପ୍ରକଳ୍ପରୁ ସମୀକ୍ଷା କରିଛନ୍ତି ଫାଇଭ-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍ । ଆଜି ଭୋରୁ ଭୋରୁ ଶ୍ରୀକ୍ଷେତ୍ରରେ ପହଞ୍ଚି ଯାଇଥିଲେ ପାଣ୍ଡିଆନ୍ । ସକାଳ ୫ରୁ ୭ ଟା ଯାଏଁ ୨ ଘଣ୍ଟା ଧରି ପୁରୀ ପରିକ୍ରମା ପ୍ରକଳ୍ପର ସମୀକ୍ଷା କରିଛନ୍ତି । ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା, ଦକ୍ଷ ଭିଡ ନିୟନ୍ତ୍ରଣ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେଇଛନ୍ତି । ମଠ ଗୁଡିକର ପୁନଃରୁଦ୍ଧାର ଓ ଶ୍ରୀମନ୍ଦିରର ଉତର, ଦକ୍ଷିଣ ଓ ପଶ୍ଚିମ ଦ୍ୱାର ଲ୍ୟାଣ୍ଡସ୍କାପିଂ କାମ ଡିସେମ୍ବର ୯ ତାରିଖ ସୁଦ୍ଧା ସରିବାକୁ ପରାମର୍ଶ ଦେଇଛନ୍ତି ପାଣ୍ଡିଆନ୍ ।

ଏହାସହ ଦୋଳବେଦୀ ଅଞ୍ଚଳର ତ୍ୱରିତ୍ ବିକାଶ, ଅଧିକ ଦକ୍ଷ କାରିଗର ନିଯୁକ୍ତ କରି ଏମାର ମଠ, ପଞ୍ଜାବୀ ମଠ ଆଦିର ପୁନଃରୁଦ୍ଧାର କରିବା ସହ ପରିକ୍ରମା ପ୍ରକଳ୍ପ ସମ୍ମୁଖ ଭାଗର ରଙ୍ଗ କାମ ଆଗେଇ ନେବାକୁ କୁହାଯାଇଛି । ଏହାସହ ପୁରୀରେ ହେବାକୁ ଥିବା ଏସି ଟନେଲ ପାଇଁ ରାସ୍ତା କଡକୁ ଉଠା ଦୋକାନ ହଟେଇ, ଅନ୍ୟତ୍ର ଥଇଥାନ କରିବାକୁ ପରାମର୍ଶ ଦେଇଛନ୍ତି । ସିଂହଦ୍ୱାରରୁ ମରିଚି କୋର୍ଟ ପର୍ଯ୍ୟନ୍ତ ରାସ୍ତା ସଫା କରିବାକୁ କହିଛନ୍ତି । ଏହାସହ ମେଘନାଦ ପାଚେରୀ ନିକଟରେ ଥିବା ପୁରୁଣା ଐତିହାସିକ ମନ୍ଦିର ଓ ନିର୍ମାଣକୁ ସୁରକ୍ଷିତ ରଖିବା ସହ ବିଦ୍ୟୁତ୍ କାମ ଶୀଘ୍ର ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଫାଇଭ-ଟି ଅଧ୍ୟକ୍ଷ । ପରିକ୍ରମା ପ୍ରକଳ୍ପର ପରିଦର୍ଶନ ବେଳେ ପୁରୀରେ ପରିମଳ ବ୍ୟବସ୍ଥା ଉପରେ ଗୁୁରୁତ୍ୱ ଦେଇଛନ୍ତି ।